ଭୁବନେଶ୍ବର : ବୈତରଣୀ ଦକ୍ଷିଣ ଆଡ଼ି ବନ୍ଧ ଜରିଆରେ ଖପ୍ରାଖାଇ ଠାରୁ ପଞ୍ଜୁପଲ୍ଲୀ ପର୍ଯ୍ୟନ୍ତ ସାତ ଗୋଟି ଗ୍ରାମକୁ ବନ୍ୟା ପ୍ରକୋପ ଓ ଫସଲ ହାନିରୁ ସୁରକ୍ଷା ଦେବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ଏହି ଅଞ୍ଚଳର ନଦୀ କୂଳର ସୁରକ୍ଷା ସହିତ ବୈତରଣୀ ନଦୀର ଡାହାଣ ପାର୍ଶ୍ବର ଉତ୍‌ଥାନ ଓ ସୁଦୃଢ଼ୀକରଣ ପାଇଁ ୧୬.୩୫ କୋଟି ଟଙ୍କାର ଅଟକଳକୁ ୨୦୧୫ ସେପ୍ଟେମ୍ବରରେ ମଞ୍ଜୁର କରାଯାଇଥିଲା। ପୁରୁଣ ସ୍ଲୁଇସ୍‌ ସିଲ୍‌କୁ ଭାଙ୍ଗି ୧.୯୧ କୋଟି ଟଙ୍କା ବ୍ୟୟରେ ନୂତନ ସ୍ଲୁଇସ୍‌ ନିର୍ମାଣ କରିବାର ଥିଲା। ୨୦୧୬ ଜୁନ୍‌ରେ ଏଥିପାଇଁ ୧୫.୭୯ କୋଟି ଟଙ୍କାର କାର୍ଯ୍ୟାଦେଶ ତିଆଯାଇଥିଲା ଯାହାର କାମ ୨୦୧୭ ଡିସେମ୍ବର ସୁଦ୍ଧା ଶେଷ ହେବାର ଥିଲା। ମାତ୍ର ୨୦୨୧ ମାର୍ଚ୍ଚ ପର୍ଯ୍ୟନ୍ତ କାମ ସରିନଥିଲା। ୧୭.୪୦ କୋଟି ଟଙ୍କା ବ୍ୟୟରେ କାମ ଚାଲୁ ରହିଥିଲା ବୋଲି ସିଏଜି ରିପୋର୍ଟରେ ଉଲ୍ଲେଖ ରହିଛି। ସାତଟି ଗ୍ରାମର ଆୟାକଟ୍‌କୁ ବନ୍ୟା ଦାଉରୁ ସୁରକ୍ଷା ଦେବାର ମୂଳ ଲକ୍ଷ୍ୟ ହାସଲ ହୋଇପାରିଲା ନାହିଁ। ୧.୯୧ କୋଟି ଟଙ୍କାରେ ଆଡ଼ିବନ୍ଧ ପ୍ରଶସ୍ତୀକରଣ କାର୍ଯ୍ୟରେ ଅନିୟମିତ ବ୍ୟୟ ସହ ୧୭.୪୦ କୋଟି ଟଙ୍କା ଅଯଥାରେ ଖର୍ଚ୍ଚ ହୋଇଥିଲା।

Advertisment

ଅନ୍ୟ ଏକ ମାମଲାରେ ମହାନଦୀ ବାମ ପାର୍ଶ୍ବରେ ବାଲିପୁଟ ଠାରୁ ଓଡ଼ସିଂହ ପର୍ଯ୍ୟନ୍ତ ସାଢ଼େ ଆଠ କିମିର କୌଣସି ଆଡ଼ି ବନ୍ଧ ନଥିବାରୁ ବନ୍ୟାଜଳ ନିକଟବର୍ତ୍ତୀ ଚାଷ ଜମି ଓ ଗାଁଗୁଡ଼ିକରେ ପ୍ରବେଶ କରୁଥିଲା। ସେହି ସମସ୍ୟାର ସମାଧାନ ଲାଗି ୨୦୧୫ରେ ୨୦.୨୮ କୋଟି ଟଙ୍କାର ଏକ ପ୍ରସ୍ତାବ ମଞ୍ଜୁର କରାଯାଇଥିଲା। ନାବାର୍ଡ ସେଥିପାଇଁ ଋଣ ସହାୟତା ଦେଇଥିଲା। ୨୦୧୬ରେ ଏଥିପାଇଁ ୧୭.୦୭ କୋଟି ଟଙ୍କାର କାର୍ଯ୍ୟାଦେଶ ଦିଆଯାଇଥିଲା ଯାହାର କାମ ୨୦୧୮ ନଭେମ୍ବର ସୁଦ୍ଧା ଶେଷ ହେବାର ଥିଲା। ପ୍ରସ୍ତାବ ପ୍ରସ୍ତୁତ ବେଳେ ବିଭାଜନ ଅଧିକାରୀ କହିଥିଲେ ଯେ କାମ ପାଇଁ ସରକାରୀ ଜମି ଉପଲବ୍ଧ ଅଛି। କିନ୍ତୁ ପ୍ରକୃତ ଆବଶ୍ୟକ ସରକାରୀ ଜମି ଉପଲବ୍ଧ ନଥିଲା ସେଥିପାଇଁ ଠିକାଦାର ଏହି କାମ ଶେଷ କରିପାରିନଥିଲେ। ଘରୋଇ ଜମି ମାଲିକମାନେ ମଧ୍ୟ ସେମାନଙ୍କ ଜମିରେ ଆଡ଼ି ବନ୍ଧ ନିର୍ମାଣକୁ ବିରୋଧ କରିଥିଲେ। ସେଥିପାଇଁ ୯.୮୭ କୋଟି ଟଙ୍କା ବ୍ୟୟ କରିବା ପରେ କାମକୁ ୨୦୧୯ ଫେବ୍ରୁଆରିରେ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ଫଳରେ ୨.୬୯ କିମିର କାମ ଶେଷ ହୋଇପାରିନଥିଲା। ତେଣୁ ଯେଉଁ ଖର୍ଚ୍ଚ ହୋଇଥିଲା ତାହାର କୌଣସି ଲାଭ ମିଳିନଥିଲା।

ଓଡ଼ିଶା ନିର୍ମାଣ ନିଗମ ଲିମିଟେଡ୍‌କୁ ତତ୍ତ୍ବାବଧାନ ଖଚର୍ଚ୍ଚ ବାବଦରେ ୧୦ ପ୍ରତିଶତ ପରିବର୍ତେ ୧୫ ପ୍ରତିଶତ ହା‌ରରେ ଅର୍ଥ ଦିଆଯାଇଥିଲା। ‌ଫଳରେ ନିଗମକୁ ୧୮.୫୭ କୋଟି ଟଙ୍କା ଅଧିକ ଦିଆଯାଇଥିଲା। ଅର୍ଥ ବିଭାଗ ଆଦେଶ ବିରୋଧରେ ଯାଇ ଏହି କାମ କରାଯାଇଥିଲା। ଅଡିଟ୍ ବେଳେ ଜଣାପଡ଼ିଥିଲା ଯେ ନିଗମକୁ ୪.୨୮ କୋଟି ଟଙ୍କା ହସ୍ତାନ୍ତର କରାଯାଇଛି। ବିନିଯୋଗ ପ୍ରମାଣପତ୍ରରୁ ତାହା ଜଣାପଡ଼ିଛି।

ମେଗା ଲିଫ୍ଟ ପ୍ରକଳ୍ପର ବିଭାଜନଗୁଡ଼ିକର ନିର୍ବାହୀ ଯନ୍ତ୍ରୀମାନେ ଚାରିଟି କ୍ଲଷ୍ଟର ଅଧୀନରେ ୨୦୧୫ରୁ ୨୦୧୬ ମଧ୍ୟରେ ୪୮ଟି ମେଗା ଲିଫ୍ଟ ପ୍ରକଳ୍ପ ନିମନ୍ତେ ୧୬୩୧.୬୫ କୋଟି ଟଙ୍କାର କାର୍ଯ୍ୟବରାଦ ପ୍ରଦାନ କରିଥିଲେ। ୨୦୧୯ ଜୁନ୍ ସୁଦ୍ଧା କାମ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ସମୀକ୍ଷା ବେଳେ ଜଣାପଡ଼ିଥିଲା ଯେ ୨୦୨୦ ଜାନୁଆରି ସୁଦ୍ଧା ପ୍ରକଳ୍ପଗୁଡ଼ିକର କାମ ଚାଲୁ ରହିଛି। ଏଥିପାଇଁ ଠିକାଦାରମାନଙ୍କୁ ୧୪୩୧.୮୮ କୋଟି ଟଙ୍କା ଦିଆଯାଇଛି। ସମୀକ୍ଷା ଯାଞ୍ଚରୁ ଜଣାପଡ଼ିଥିଲା ଯେ ୨୦୧୨ ଡିସେମ୍ବରରେ ଜାରି ହୋଇଥିବା କାର୍ଯ୍ୟାଳୟ ସ୍ମାରକ ଆଧାରରେ ଦର ବିବିଧତା ବାବଦରେ ଠିକାଦାରମାନଙ୍କୁ ୯୦.୧୨ କୋଟି ଟଙ୍କା ପ୍ରଦାନ କରାଯାଇସାରିଥିଲା। ଯେହେତୁ ଏହି କାମଗୁଡ଼ିକ ୨୦୧୯ ନଭେମ୍ବରର ସାନି କାର୍ଯ୍ୟାଳୟ ସ୍ମାରକ ଜାରି ହେବା ପୂର୍ବରୁ ସମ୍ପନ୍ନ ହୋଇଥିଲା ତଥାପି ହାଇକୋର୍ଟଙ୍କ ଦ୍ବାରା ନାକଚ ହୋଇଥିବା ୨୦୧୨ କାର୍ଯ୍ୟାଳୟ ସ୍ମାରକ ଅନୁଯାୟୀ ମୂଲ୍ୟବୃଦ୍ଧି ବାବଦକୁ ଠିକାଦାରମାନଙ୍କୁ ଯେଉଁ ୯୦.୧୨ କୋଟି ଟଙ୍କା ଦିଆଯାଇଥିଲା ତାହା ଅଦାଲତ ଅବମାନନା ସଦୃଶ ଓ ତାହା ଅସୁଲ ହେବା ଦରକାର ବୋଲି ସିଏଜି ନିଜ ରିପୋର୍ଟରେ ଜଣାଇଛନ୍ତି।

କିଛି ପ୍ରକଳ୍ପରେ ଅଟକଳ ମୂଲ୍ୟ ବୃଦ୍ଧି ହେତୁ ଠିଦାକାରମାନଙ୍କୁ ଅନୁଚିତ ଲାଭ ମିଳିଥିଲା। ଦୁଇଟି ଜଳ ସେଚନ ବିଭାଗରେ ୨.୫ ଟନ୍‌ରୁ ଅଧିକ ଓଜନ ବିଶିଷ୍ଟ ଆର୍ମୋରି ଶିଳାର ପରିବହନ ଏବଂ କୁଢ଼େଇବା ପାଇଁ ୩୫ ଟନ୍ କ୍ଷମତା ବିଶିଷ୍ଟ କ୍ରେନ୍‌ର ଭଡ଼ା ଦର ନିର୍ଧାରଣ କରାଯାଇଥିଲା। ୩୫ ଟନ୍ ବିଶିଷ୍ଟ କ୍ରେନ୍‌ର ଘଣ୍ଟା ପ୍ରତି ଭଡ଼ା ୫୫୦ ଟଙ୍କା ଓ ୮୦ ଟନ୍ କ୍ଷମତା ବିଶି‌ଷ୍ଟ କ୍ରେନ୍‌ର ଭଡ଼ା ୮୨୫ ଟଙ୍କା ଥିଲା। ୧୦ଟି କାର୍ଯ୍ୟରେ ନିର୍ବାହୀ ଯନ୍ତ୍ରୀମାନେ ୩୫ ଟନ୍ ବଦଳରେ ୮୦ ଟନ୍‌ ବିଶି‌ଷ୍ଟ କ୍ରେନ୍‌କୁ ବ୍ୟବହାର କରିଥିଲେ। ଫଳରେ ଏହି ୧୦ଟି କାମର ଅଟକଳ ମୂଲ୍ୟ ଅଯଥାରେ ୭.୭୨ କୋଟି ଟଙ୍କା ବୃଦ୍ଧି ପାଇଥିଲା ବୋଲି ସିଏଜି ଜଣାଇଛନ୍ତି।