କିରାସିନିର ଅହେତୁକ ମୂଲ୍ୟବୃଦ୍ଧି: ଅନ୍ଧାରରେ ରହିବେ ଗରିବଗୁରୁବା!

ଜଳେଶ୍ବର: ଜଳେଶ୍ବର ବ୍ଲକ ଆରୁହା ଗାଁର ବିପିନ ସିଂ। ବିପିନଙ୍କ ବୟସ ୬୫ ଟପିଲାଣି। ଜମିବାଡ଼ି କିଛି ନଥିବା ବେଳେ ମୂଲ ଲାଗିଲେ ୬ ଜଣିଆ ପରିବାରର ଚଳେ। ଦାରିଦ୍ର୍ୟ କାରଣରୁ ଏହି ପରିବାର ଆଜିଯାଏ ଘରକୁ ବିଦ୍ୟୁତ୍ ସଂଯୋଗ ନେଇ ପାରିନାହାନ୍ତି। ରାତି ହେଲେ ଡିବିରି ଓ ଲଣ୍ଠନ ହିଁ ସେମାନଙ୍କ ସାହାରା। ସେଥିପାଇଁ ପ୍ରତିମାସରେ ସରକାର ଯୋଗାଉଥିବା ୧.୩୦୦ ଲିଟର କିରାସିନି ସେମାନଙ୍କୁ କେବେ ମିଳିବ ଚାତକ ପରି ଚାହିଁ ରହିଥାନ୍ତି। ମାତ୍ର  କିଛି ଦିନ ଧରି କିରାସିନିର ଦର ଆକାଶଛୁଆଁ ହେବା ପରିବାର ପାଇଁ ଚିନ୍ତାର କାରଣ ପାଲଟିଛି। ସେମାନଙ୍କ କାର୍ଡରେ କିରାସିନି ମାସକୁ ମାସ ଆସୁଥିଲେ ମଧ୍ୟ ଅତ୍ୟଧିକ ଦରବୃଦ୍ଧି ଯୋଗୁ ରିଟେଲରଙ୍କଠାରୁ କିରାସିନି କିଣିବା କଷ୍ଟକର ହେଉଛି। କେବଳ ବିପିନ ନୁହନ୍ତି ଆରୁହା ଆଦିବାସୀ ସାହିରେ ଅନେକ ପରିବାରର ସମାନ ଅବସ୍ଥା।

ପ୍ରକାଶଯୋଗ୍ୟ ଯେ, ଗତ କିଛି ମାସ ଧରି ପେଟ୍ରୋଲିୟମ ଜାତୀୟ ସାମଗ୍ରୀ ବିଶେଷ କରି କିରାସିନିର ଦର ଆକାଶଛୁଆଁ ହୋଇଛି। ଗତ ୨୦୨୦ ମସିହାରେ କିରାସିନି ଲିଟର ପିଛା ୫ ଟଙ୍କା ଥିବା ବେଳେ ଚଳିତ ୨୦୨୨ ମସିହା ଜାନୁଆରି ମାସରେ ଏହି ଦର ୫୦ ଟଙ୍କାରେ ପହଞ୍ଚିଥିଲା। ସେହିପରି ଗତ ମାର୍ଚ୍ଚରେ କିରାସିନି ଲିଟର ପିଛା ୬୫ ଟଙ୍କା ରହିଥିବା ବେଳେ ଏପ୍ରିଲରୁ ୭୮ ଟଙ୍କାରେ ପହଞ୍ଚିବ ବୋଲି ଯୋଗାଣ ବିଭାଗ ତରଫରୁ କୁହା ଯାଇଛି। ଏଭଳି ହେଲେ ଗରିବଗୁରୁବାଙ୍କ ଘର ରାତିରେ ଆଲୋକିତ ହେବା ଏକ ପ୍ରକାର ଅସମ୍ଭବ ହୋଇପଡ଼ିବ।
ଜଳେଶ୍ବର ବ୍ଲକରେ ୪୫୬୯୬ ଜଣ ଓ ମ୍ୟୁନିସିପାଲଟିରେ ୫୨୯୮ ଜଣ କାର୍ଡଧାରୀ ରହିଥିବା ବେଳେ ଏମାନଙ୍କ ମଧ୍ୟରୁ ଅଧାରୁ ଅଧିକ ଦରବୃଦ୍ଧି ଯୋଗୁ କିରାସିନି ନେବାକୁ ଅମଙ୍ଗ ହେଉଛନ୍ତି। ଫଳରେ ରିଟେଲରମାନେ ମଧ୍ୟ ଡିପୋରୁ କିରାସିନି ଉଠାଇବାକୁ କୁନ୍ଥକୁନ୍ଥ ହେଉଥିବା ଦେଖାଯାଇଛି।

ସମ୍ବନ୍ଧିତ ଖବର