ଭୁବନେଶ୍ବର : ରାଜ୍ୟବାସୀଙ୍କ ଚକ୍ଷୁ ସ୍ବାସ୍ଥ୍ୟ ସୁବିଧା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ସାର୍ବଜନୀନ ଚକ୍ଷୁ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ‘ସୁନେତ୍ର’। ୨୦୧୭ ମସିହାରେ ଏହାର ଶୁଭାରମ୍ଭ ହୋଇଛି। ୨୦୨୨ ସୁଦ୍ଧା ରାଜ୍ୟରେ ୨୫ ପ୍ରତିଶତ ଅନ୍ଧତ୍ବ ଦୂରୀକରଣ କରିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି। ଅସ୍ତ୍ରୋପଚାର ପରେ ଲୋକମାନଙ୍କୁ ଚଷମା ଦିଆଯାଉଛି। ମାତ୍ର ଏହି ଯୋଜନାରେ ଗୋଟିଏ କମ୍ପାନିରୁ ଚଷମା କିଣିବା ଲାଗି ଅହେତୁକ ଅନୁକମ୍ପା ଦେଖାଇଛି ରାଜ୍ୟ ଔଷଧ ନିଗମ (ଓଏସ୍‌ଏମ୍‌ସିଏଲ୍)। ଏଥିପାଇଁ ରାଜକୋଷରୁ ୫୧ଲକ୍ଷ ଟଙ୍କା ଅତିରିକ୍ତ ଖର୍ଚ କରିବାକୁ ପଡ଼ିଛି। ଚଷମା କିଣାରେ ଗୋଟିଏ କମ୍ପାନିକୁ କିଭଳି ଅହେତୁକ ଅନୁକମ୍ପା ଦର୍ଶାଯାଇଛି ଅଡିଟ୍ ରିପୋର୍ଟରେ ଧରା ପଡ଼ିଛି।

Advertisment

ରିପୋର୍ଟ ଅନୁସାରେ, ୨୦୧୮ ନଭେମ୍ବର ମାସରେ ଚଷମା କିଣା ପାଇଁ ଓଏସ୍‌ଏମ୍‌ସିଏଲ ସର୍ବନିମ୍ନ ବିଡ୍‌ ମୂଲ୍ୟ ୨୨୪ ଟଙ୍କାକୁ ଗ୍ରହଣ କରିଥିଲା। ଚଷମା ଯୋଗାଣ ପାଇଁ ଆବେଦନ କରିଥିବା ଏଲ-୧ ବିଡର ନିଗମର ସର୍ତାବଳୀ ଉଲ୍ଲଂଘନ କରିଥିବାରୁ ସଂପୃକ୍ତ ବିଡରକୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ପରବର୍ତୀ ସମୟରେ ନିଗମ ଅନ୍ୟ ଏକ ବିଡର ସହିତ ବୁଝାମଣା କରିବା ସହିତ ୟୁନିଟ୍‌ ପିଛା ୨୮୪ ଟଙ୍କାରେ ଦେବା ଲାଗି ଆଲୋଚନା ହୋଇଥିଲା। ମାତ୍ର ନିଗମ ପୁଣିଥରେ ମୂଲ୍ୟ ବୁଝାମଣା କରିବା ପରେ ଏହାର ମୂଲ୍ୟ ୨୭୫ ଟଙ୍କାକୁ ଗ୍ରହଣ କରିଥିଲା। ଯାହାକି ପୂର୍ବରୁ ଧାର୍ଯ୍ୟ ୨୨୪ ଟଙ୍କାଠାରୁ ୨୩ ପ୍ରତିଶତ ଅଧିକ ରହିଥିଲା। ସେହିପରି ଏଲ-୨ ରହିଥିବା କମ୍ପାନିର ଧାର୍ଯ୍ୟ ମୂଲ୍ୟ ମଧ୍ୟ ନିଗମର ପୂର୍ବ ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ରହିଥିଲା। ହେଲେ ସଂପୃକ୍ତ ଏଲ-୨ କମ୍ପାନି ତାମିଲନାଡ଼ୁ ମେଡିକାଲ ସର୍ଭିସ ନିଗମକୁ ୨୦୧୮ ମସିହାରେ ଚଷମା ୟୁନିଟ୍ ପିଛା ୨୦୦ ଟଙ୍କାରେ ଯୋଗାଇଥିଲା।

୨୦୧୯ ମସିହା ଅକ୍ଟୋବର ସୁଦ୍ଧା ୧୯,୭୮୮ ଚଷମା ଯୋଗାଣ ପାଇଁ ସଂପୃକ୍ତ ଫାର୍ମ ସହିତ କ୍ରୟ ଅର୍ଡର ରଖିଥିଲା ରାଜ୍ୟ ଔଷଧ ନିଗମ। ଏ ବାବଦରେ ୧୩.୫୨ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ହେଲେ ଏଭଳି ଅହେତୁକ ଅନୁକମ୍ପା ବିରୋଧରେ ସ୍ବାସ୍ଥ୍ୟ ବିଭାଗ ଯେଉଁ ଉତ୍ତର ରଖିଥିଲା ତାହାକୁ ସିଏଜି ସହଜରେ ଗ୍ରହଣ କରିପାରି ନାହାନ୍ତି। ବିଭାଗ କହିଥିଲା, ଯେହେତୁ ଏଲ-୧ ବିଡରଙ୍କୁ ନିଗମ ବୈଷୟିକ ଭାବେ ପ୍ରତ୍ୟାଖାନ କରିଥିଲା ସେ ଦୃଷ୍ଟିରୁ ସଂପୃକ୍ତ ବିଡରଙ୍କ ମୂଲ୍ୟକୁ ଏଲ-୧ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ। ଗୋଟିଏ ପଟେ ଏଲ-୨ କମ୍ପାନି ତାମିଲନାଡ଼ୁ ମେଡିକାଲ ନିଗମକୁ ୨ଶହ ଟଙ୍କାରେ ଚଷମା ଯୋଗାଇଥିବା ବେଳେ ରାଜ୍ୟ ଔଷଧ ନିଗମକୁ ଏହା ୨୮୪ ଟଙ୍କାରେ ମୂଲ୍ୟରେ ଚଷମା ଯୋଗାଇବା ଗ୍ରହଣ ଯୋଗ୍ୟ ନୁହେଁ ରିପୋର୍ଟରେ ବୋଲି କୁହାଯାଇଛି।