ଭୋଗରାଇ: ନିଜ ଅନ୍ତଃସତ୍ତ୍ବା ଝିଅ ସହ ଜ୍ବାଇଁ ଏବଂ ତାଙ୍କ ପରିବାର ଲୋକଙ୍କୁ ରାତିଅଧରେ ଗୁଣ୍ଡା ଲଗାଇ ପ୍ରାଣାନ୍ତକ ଆକ୍ରମଣ କରିବା ଝିଅର ବାପା ପାଇଁ ମହଙ୍ଗା ପଡ଼ିଛି। ବାଲେଶ୍ବର ଜିଲ୍ଲା ଭୋଗରାଇ ଅଞ୍ଚଳରେ ଅନରକିଲିଂ ଉଦ୍ୟମ ଘଟଣା ସାମ୍ନାକୁ ଆସିବା ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସ୍ଥାନୀୟ ପୁଲିସ। ତେବେ ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବାବେଳେ ସେମାନଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦିଆଯାଇଛି। ଭୋଗରାଇ ବ୍ଲକ ପଶରବିନ୍ଧା ପଞ୍ଚାୟତର ପୂର୍ବତନ ପଞ୍ଚାୟତ ସମିତିସଭ୍ୟ ହୃଷିକେଶ ଭୂୟାଁ ଏବଂ ପୂର୍ବତନ ସରପଞ୍ଚ ସବିତା ଭୂୟାଁଙ୍କ ପୁଅ ବ୍ୟୋମକେଶ(୨୬) ପଡ଼ୋଶୀ ସାନଆଉସା ଗ୍ରାମର ଗଣେଶ ବାରିକଙ୍କ ଝିଅ ପାଏଲପ୍ରିୟା(୧୯) ଦୀର୍ଘ ୫ବର୍ଷ ଧରି ପରସ୍ପର ସହ ପ୍ରେମସମ୍ପର୍କ ରଖିଥିଲେ। ଏନେଇ ଉଭୟଙ୍କ ପରିବାର ଲୋକ ରାଜି ନଥିବାରୁ ଗତ ଜୁଲାଇ ୧୩ ତାରିଖରେ ଦୁହେଁ ଘରୁ ଲୁଚି ପଳାଇଯାଇଥିଲେ। ପରେ ସେମାନେ କୋର୍ଟରେ ବିବାହ କରିଥିଲେ।
ଏନେଇ ଝିଅର ପରିବାର ଲୋକ ପୁଅ ପରିବାର ଲୋକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ବେଳେ ସେମାନଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଥିଲା। ସେପଟେ ଝିଅକୁ ଅପହରଣ କରାଯାଇଥିବା ନେଇ ତାଙ୍କ ବାପାଙ୍କ ତରଫରୁ ମଧ୍ୟ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା। ଏହାପରେ ଝିଅର ବୟାନ ମୂଳେ ହାଇକୋର୍ଟରେ ଅପହରଣ ମାମଲାର ରଫାଦଫା ହୋଇଥିଲା ମାତ୍ର ପ୍ରତିଶୋଧ ନିଆଁରେ ଜଳୁଥିବା ଗଣେଶ ଝିଅ ଏବଂ ଜ୍ବାଇଁଙ୍କୁ ଜୀବନରୁ ମାରିଦେବାକୁ ଯୋଜନା କରି ପଶ୍ଚିମବଙ୍ଗର ଭଡ଼ାଟିଆ ଗୁଣ୍ଡାଙ୍କୁ ଆଣି ରବିବାର ବିଳମ୍ବିତ ରାତିରେ ପ୍ରଥମେ ସ୍ଥାନୀୟ ବଡ଼ଆଉସା ଓ ଆଡମିରିଗି ଗାଁର ୨ଟି ଟ୍ରାନ୍ସଫରମରରୁ ବିଦ୍ୟୁତ ସଂଯୋଗ କାଟି ସମ୍ପୂର୍ଣ୍ଣ ଗାଁକୁ ଅନ୍ଧାର କରିଦେଇଥିଲେ। ଏହାପରେ ଗଣେଶ ଏବଂ ତାଙ୍କର ୨ ପୁଅ ପ୍ରଭୁରଞ୍ଜନ ଓ ଚିତ୍ତରଞ୍ଜନ, ଝିଅର ମାମୁଁ ପଶ୍ଚିମବଙ୍ଗ ରାମନଗର ଥାନା ପୂର୍ବ-ମୁକୁନ୍ଦପୁର ଗ୍ରାମର ରମେଶ ଘୋଷ, ପିଉସା ଭୋଗରାଇ ଥାନା ଗଣେଶ୍ବରପୁର ଗାଁର ଭଗୀରଥ ମହାକୁଡ଼ ମିଳିତ ଭାବେ ଅନ୍ୟ ୨୦/୨୫ ଜଣ ଭଡାଟିଆ ଗୁଣ୍ଡାଙ୍କୁ ନେଇ ଶୋଇଥିବା ଅବସ୍ଥାରେ ଜ୍ବାଇଁ-ଝିଅଙ୍କ ସମେତ ତାର ଶାଶୂ, ଶ୍ବଶୁର, ଦେଢ଼ଶୂର, ଯା’ଙ୍କୁ ବିଭିନ୍ନ ପ୍ରକାର ମାରଣାସ୍ତ୍ରରେ ଆକ୍ରମଣ କରି ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ। ତେବେ ପାଏଲ ପାଖରେ ରଖିଥିବା ଏକ ସେପ୍ଟିପିନ୍ରେ ପ୍ରତିଆକ୍ରମଣ କରି ଗୁଣ୍ଡାଙ୍କ କବଳରୁ ନିଜକୁ ରକ୍ଷା କରିବା ସହ ଚିତ୍କାର କରିଥିଲେ।
ପାଟିତୁଣ୍ଡ ଶୁଣି ଗାଁଲୋକେ ଆସିଯିବାରୁ ଗୁଣ୍ଡାମାନେ ସେଠାରୁ ଦୌଡ଼ି ପଳାଇଥିଲେ। ହେଲେ ଆକ୍ରମଣକାରୀ ଗଣେଶଙ୍କୁ ତାଙ୍କ ଆହତ ଝିଅ ପାଏଲ କାବୁ କରି ବାନ୍ଧି ପକାଇଥିଲେ। ଖବର ପାଇ ଭୋଗରାଇ ଥାନା ଆଇଆଇସି ସୁଜାତା ଖମାରୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାକୁ ପଠାଇବାର ବ୍ୟବସ୍ଥା କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଗଣେଶଙ୍କୁ ଥାନାକୁ ନେଇଥିଲେ। ତେବେ ୨୬୦/୨୦ ନମ୍ବରରେ ଏନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଝିଅର ବାପା ଅଭିଯୁକ୍ତ ଗଣେଶଙ୍କୁ କୋର୍ଟ ଚାଲାଣ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/jail3.jpg)