ଭୁବନେଶ୍ବର : ସରକାରୀ ସ୍ବୀକୃତି ପାଇ ନଥିବା ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ସାରା ରାଜ୍ୟରୁ ଏ ନେଇ ବିରୋଧର ସ୍ବର ଉଠିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବୀକୃତିପ୍ରାପ୍ତ ସ୍କୁଲଗୁଡ଼ିକର ତାଲିକା ପ୍ରକାଶ ପାଇଥିବା ବେଳେ ଅଣସ୍ବୀକୃତିପ୍ରାପ୍ତ ସ୍କୁଲଗୁଡ଼ିକ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ବୋଲି ଓଡ଼ିଶା ଅଭିଭାବକ ମହାସଂଘ ପ୍ରଶ୍ନ ଉଠାଇଛି। ଅଣସ୍ବୀକୃତିପ୍ରାପ୍ତ ସ୍କୁଲଗୁଡ଼ିକ ଚିହ୍ନଟ କରାଯାଇ ତାଲିକା ତୁରନ୍ତ ପ୍ରକାଶ କରିବାକୁ ଦାବି ହୋଇଛି। ଏନେଇ ମହାସଂଘର ଏକ ପ୍ରତିନିଧି ଦଳ ଆଜି ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରି(ସିବିଏସ୍ଇ) କର୍ତୃପକ୍ଷଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ସ୍ବୀକୃତି ପାଇ ନଥିବା ସ୍କୁଲ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସିବିଏସ୍ଇ ଆଞ୍ଚଳିକ ଅଧିକାରୀ ଥୋଙ୍ଗଖୋଲେଟ ମାଟେଙ୍କୁ ସ୍ମାରକପତ୍ର ପ୍ରଦାନ କରିଛି ମହାସଂଘର ପ୍ରତିନିଧି ଦଳ। ଏହି ଅବସରରେ ରାଜ୍ୟ ସରକାରଙ୍କ ସ୍ବୀକୃତି ପାଇ ନ ଥିବା କେତେକ ବିଦ୍ୟାଳୟର ତାଲିକା ସିବିଏସ୍ଇ ଅଧିକାରୀଙ୍କୁ ପ୍ରଦାନ କରାଯିବା ସହ ଏନେଇ ଆଲୋଚନା ହୋଇଥିଲା। ସିବିଏସ୍ଇ ଅନୁବନ୍ଧିତ ନଥିବା ବିଦ୍ୟାଳୟଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଓ ସ୍ବୀକୃତି ପ୍ରଦାନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଆଞ୍ଚଳିକ ଅଧିକାରୀ ଶ୍ରୀ ମାଟେ ପ୍ରତିଶ୍ରୁତି ଦେଇଥିବା ମହାସଂଘ ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ବାରା ସ୍କୁଲ ବ୍ୟାଗ୍ ସମ୍ପର୍କିତ ଅଧ୍ୟାଦେଶକୁ ଗୁରୁତର ସହ ଗ୍ରହଣ କରି ଯଥାବିଧି କାର୍ଯ୍ୟାନୁଷ୍ଠାନ ନେବାକୁ ସିବିଏସ୍ଇ କର୍ତୃପକ୍ଷ ଆଶ୍ବାସନା ଦେଇଛନ୍ତି। କେତେକ ଘରୋଇ ବିଦ୍ୟାଳୟ ପିଲାଙ୍କ ପାଠପଢ଼ା ସଂକ୍ରାନ୍ତରେ ସ୍କୁଲଗୃହ, ଟେବୁଲ ସାମଗ୍ରୀ, ଖେଳପଡ଼ିଆ ଆଦି ଆବଶ୍ୟକୀୟ ବ୍ୟବସ୍ଥା କ୍ୟାମ୍ପସ୍ରେ କରୁ ନଥିବା ମହାସଂଘ ପକ୍ଷରୁ ସିବିଏସ୍ଇ କର୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା। ସିବିଏସ୍ଇ ଅଧିକାରୀ ଶ୍ରୀ ମାଟେ କହିଥିଲେ ଯେ ଅଭିଯୋଗ ଅନୁଯାୟୀ କେତେକ ବିଦ୍ୟାଳୟ ଉପରେ ଅଚାନକ ଚଢ଼ଉ କରାଯିବ। ସ୍କୁଲଗୁଡ଼ିକ ନିୟମ ପାଳନ କରିବାକୁ ନିର୍ଦେଶ ଦିଆଯିବ। ସାକ୍ଷାତ ସମୟରେ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ସହ ଅଧ୍ୟକ୍ଷ ପ୍ରସନ୍ନ ବିଶୋୟୀ, ସତ୍ୟବ୍ରତ ପରିଜା, ସାଧାରଣ ସମ୍ପାଦକ ଅଶୋକ ପାଇକରାୟ, ଉପସଭାପତି ସତ୍ୟ ନାରାୟଣ ବିଶ୍ବାଳ, ଉପଦେଷ୍ଟା ମନୋଜ ଜେନା, ରଶ୍ମି କାନୁନ୍ଗୋ, ସୁଜାତା ନାୟକ ପ୍ରମୁଖ ସାମିଲ ହୋଇଥିଲେ।