ପ୍ରକାଶ ପାଇନି ଜେଇଇ ମେନ୍‌ ଓ ନିଟ୍‌ ‌ରେଜଲ୍ଟ: ଦ୍ବନ୍ଦ୍ବରେ ମେଧାବୀ ଛାତ୍ରଛାତ୍ରୀ

ଯୁକ୍ତ୩ରେ ସିଟ୍‌ ପାଇ ନାମ ଲେଖାଇପାରୁ ନାହାନ୍ତି, ପ୍ରଥମ ଦୁଇ ଦିନରେ ମାତ୍ର ୩୨ ହଜାର ନାମ ଲେଖାଇଲେ

ଭୁବନେଶ୍ବର: ଲଗାଣ ବର୍ଷା ଯୋଗୁଁ ଯୁକ୍ତ୩(ସ୍ନାତକ) କଲେଜ‌ ପାଇଁ ଜାରି ରହିଥିବା ନାମଲେଖା ବାଧାପ୍ରାପ୍ତ ହୋଇଛି। ଦୁଇ ଦିନ ‌ହେଲା ବର୍ଷା ଲାଗିରହିବା ହେତୁ ଉପକୂଳ ଓ ପଶ୍ଚିମ ଓଡ଼ିଶାର ବହୁ ଛାତ୍ରଛାତ୍ରୀ ନାମ ଲେଖାଇବାକୁ କଲେଜରେ ପହଞ୍ଚିପାରି ନାହାନ୍ତି। ବସ୍‌ ଚଳାଚଳ ବନ୍ଦ ରହିବା, ଟ୍ରେନ୍‌ ସେବା ପ୍ରଭାବିତ ହେବା କାରଣରୁ କେତେକ ଜିଲ୍ଲାର ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସେପଟେ ଏପର୍ଯ୍ୟନ୍ତ ଜେଇଇ ମେନ୍‌ ଓ ନ୍ୟାସନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ ବା ନିଟ୍‌ ପରୀକ୍ଷା ଫଳ ପ୍ରକାଶ ପାଇ ନ ଥିବାରୁ ଓଡ଼ିଶାର ଛାତ୍ରଛାତ୍ରୀ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ଯୁକ୍ତ୩ରେ ନାମଲେଖା ଲାଗି ହାତରେ ଆଉ ମାତ୍ର ଦୁଇ ଦିନ ସମୟ ରହିଥିବାରୁ କ’ଣ କରିବେ ଜାଣିପାରୁ ନାହାନ୍ତି। ଯଦି ଏବେ ଯୁକ୍ତ୩ରେ ନାମ ‌ନ ଲେଖାଉଛନ୍ତି ତେବେ ସମ୍ପୂର୍ଣ୍ଣ ନାମଲେଖା‌ ପ୍ରକ୍ରିୟାରୁ ବାଦ୍‌ ପଡ଼ିବେ। ଯାହାକି ଭବିଷ୍ୟତ ଉପରେ ପ୍ରଭାବ ପକାଇବ।

ଉଚ୍ଚଶିକ୍ଷା ବିଭାଗ ତଥ୍ୟ ଅନୁଯାୟୀ ୨୦୨୧-୨୨ ଶିକ୍ଷାବର୍ଷରେ ୨ ଲକ୍ଷ ୪୯ ହଜାର ୫୩୯ ସିଟ୍‌ରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୬୮ ହଜାର ୫୩୭ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି। କଳାରେ ୧ ଲକ୍ଷ ୨ ହଜାର ୨୯୨, ଫିଜିକାଲ ସାଇନ୍ସରେ ୨୫ ହଜାର ୩୫୦, ବାୟୋଲୋଜିକାଲ ସାଇନ୍ସରେ ୧୮ ହଜାର ୩୩୮, ବାଣିଜ୍ୟରେ ୧୭ ହଜାର ୬୩୪, ସଂସ୍କୃତରେ ୩ ହଜାର ୭୮୮ ଓ ସେଲ୍ଫ ଫାଇନାନ୍ସିଂରେ ୧୧୩୫ ଜଣ ରହିଛନ୍ତି। ତେବେ ଗତ ଦୁଇ ଦିନ ମଧ୍ୟରେ ମାତ୍ର ୩୨ ହଜାର ୧୭୪ ଜଣ ନାମ‌ ଲେଖାଇଛନ୍ତି। କଳାରେ କଳାରେ ୧୮ ହଜାର ୭୨୨, ଫିଜିକାଲ ସାଇନ୍ସରେ ମାତ୍ର ୪୮୧୧, ବାୟୋଲୋଜିକାଲ ସାଇନ୍ସରେ ୩୭୪୯, ବାଣିଜ୍ୟରେ ୩୭୯୪ ୬୩୪, ସଂସ୍କୃତରେ ୮୮୦ ଓ ସେଲ୍ଫ ଫାଇନାନ୍ସିଂରେ ୨୧୮ ଜଣ ୧୦୨୫ କଲେଜରେ ନାମ ଳେଖାଇଛନ୍ତି। ଆହୁରି ୧ ଲକ୍ଷ ୩୬ ହଜାର ୩୬୩ ଜଣ ଏପର୍ଯ୍ୟନ୍ତ ନାମ ଲେଖାଇ ନାହାନ୍ତି। ଆସନ୍ତା ଦୁଇ ଦିନ ମଧ୍ୟରେ ଏତେ ସଂଖ୍ୟକ ଛାତ୍ରଛତ୍ରୀଙ୍କ ନାମଲେଖା କିଭଳି ହେବ ତାହାକୁ ନେଇ ପ୍ରଶ୍ନ ଉଠିଛି। ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ନଜରରେ ରଖି ସମୟ ଅବଧି ବଢ଼ାଇବାକୁ ଅଭିଭାବକ ଦାବି କରିଛନ୍ତି।

ବିଗତ ବର୍ଷଗୁଡ଼ିକରେ ଜେଇଇ ମେନ୍‌ ଓ ନିଟ୍‌ ପ୍ରବେଶିକା ପରୀକ୍ଷା ପରେ ଯୁକ୍ତ୩ ନାମଲେଖା‌ ପ୍ରକ୍ରିୟା ହେଉଥିଲା। ଫଳସ୍ବରୂପ ଇଞ୍ଜିନିୟରିଂ ଓ ମେଡିକାଲ ପାଠ୍ୟକ୍ରମରେ ସିଟ୍‌ ପାଉ ନ ଥିବା ଛାତ୍ରଛାତ୍ରୀ ଯୁକ୍ତ୩ରେ କ୍ୟାରିଅର କରିବାକୁ ଆଗେଇ ଆସୁଥିଲେ। ତେବେ ଏଥର ଯୁକ୍ତ୩ ନାମଲେଖା ଆଗୁଆ ହେଉଥିବାରୁ ସମସ୍ୟା ସୃଷ୍ଟି ହୋଇଛି। ଓଡ଼ିଶାରୁ ୬୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏବେ ବି ଜେଇଇ ମେନ୍‌ ଓ ନିଟ୍‌ ପରୀକ୍ଷା ଫଳକୁ ଅପେକ୍ଷା କରି ରହିଛନ୍ତି। ଯୁକ୍ତ୩ରେ ସିଟ୍‌ ମିଳିଥିବାରୁ ଯଦି ଏବେ ନାମ ଲେଖାନ୍ତି ପରବର୍ତୀ ସମୟରେ ସାର୍ଟିଫିକେଟ୍‌ ଫେରିପାଇବେ କି ନାହିଁ? ଜେଇଇ ମେନ୍‌ ଓ ନିଟ୍‌ରେ ଯଦି ଭଲ ରୢାଙ୍କ୍‌ ମିଳେ ତେବେ ଯୁକ୍ତ୩ ନାମଲେଖା ଫି’ ଫେରସ୍ତ ପାଇବେ ତ? ଠିକ୍‌ ସମୟରେ କଲେଜ କର୍ତୃପକ୍ଷ ସାର୍ଟିଫିକେଟ୍‌ ଫେରାଇବେ କି ନାହିଁ? ଏବେ ଯେଉଁ ବିଷୟ ଅନର୍ସରେ ନାମ ଲେଖାଇଥିବେ ପରବର୍ତୀ ସମୟରେ ତାହାକୁ ପରିବର୍ତନ କରିପାରିବେ କି ନାହିଁ? ଅଭିଭାବକଙ୍କ ମନରେ ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇ ନ ଥିବାରୁ ସେମାନେ ବିଭିନ୍ନ ଆଡ଼ୁ ପଚାରି ବୁଝୁଛନ୍ତି।
ଅନ୍ୟପକ୍ଷରେ ଯୁକ୍ତ୨ କଲେଜରେ ନାମଲେଖା ଗତକାଲି ମେଧା ତାଲିକା ପ୍ରକାଶ ସହ ଆଜିଠାରୁ ନାମ‌ଲେଖା ଆରମ୍ଭ ହୋଇଛି। ପ୍ରଥମ ଦିନ ୩୫ ହଜାର ୧୬୧ ଜଣ ନାମ ଲେଖାଇଛନ୍ତି। ଏହି ପର୍ଯ୍ୟାୟରେ ୩ ଲକ୍ଷ ୮୬ହଜାର ୪୬୪ ଜଣଙ୍କୁ ସିଟ୍‌ ଆଲଟ୍‌ମେଣ୍ଟ ହୋଇଛି। ବର୍ଷା ଯୋଗୁଁ ଆଜି ନାମଲେଖା ‌କିଛି ମାତ୍ରାରେ ପ୍ରଭାବିତ ହୋଇଥିବାରୁ ନାମଲେଖା ସମୟ ଅବଧିକୁ ୨ରୁ ୩ ଦିନ ବଢ଼ାଇବାକୁ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର