ଭବାନୀପାଟଣା: ଜଳଭଣ୍ଡାରରେ ଅକାତକାତ ପାଣି। ସେଥିରେ ପୁଣି ଜୀବନକୁ ବାଜି ଲଗାଇ ହୁଲି ଡଙ୍ଗାରେ ୮ କିମି ଯାଏଁ ଅତ୍ୟନ୍ତ ବିପଦଜନକ ଅବସ୍ଥାରେ ଯାତ୍ରା କରୁଛନ୍ତି ଇନ୍ଦ୍ରାବତୀ ବୁଡ଼ି ଅଞ୍ଚଳବାସୀ। ପ୍ରଶାସନଠୁ ଆରମ୍ଭ କରି ଜନ ପ୍ରତିନିଧିଙ୍କ ପର୍ଯ୍ୟନ୍ତ ସମସ୍ତେ ଏ ସମ୍ପର୍କରେ ଅବଗତ। ହେଲେ ଆଜିକୁ ୨୬ ବର୍ଷ ହେଲା ଏମିତି ଚାଲିଛି ଜୀବନଯାତ୍ରା। ଇନ୍ଦ୍ରାବତୀ ଜଳଭଣ୍ଡାରରେ ମଧ୍ୟରେ ରହିଛି କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ୍‌ର ପୋଡ଼ାପଦର ପଞ୍ଚାୟତ ଅନ୍ତର୍ଗତ ୧୬ଟି ଓ ମାଲିଗାଁ ପଞ୍ଚାୟତର ଝିରି ଗାଁ। ଗ୍ରାମବାସୀଙ୍କ ଯିବା ଆସିବା ପାଇଁ କାଠଡଙ୍ଗା ହିଁ ଏକମାତ୍ର ଭରସା। ପିଡିଏସ୍‌ ଚାଉଳ ପାଇଁ ଏହି ସବୁ ଗାଁର ଲୋକେ ନିକଟସ୍ଥ ପଞ୍ଚାୟତ ଅଫିସକୁ ଡଙ୍ଗା ଦ୍ବାରା ଯିବାଆସିବା କରିଥାନ୍ତି। ଦୈନନ୍ଦିନ ସାମଗ୍ରୀ କିମ୍ବା ଡାକ୍ତରଖାନା ଯିବା ପାଇଁ ମଧ୍ୟ ଏହି କାଠଡଙ୍ଗା ଏକମାତ୍ର ମାଧ୍ୟମ। 

Advertisment

୧୯୯୯ ମସିହାରେ ୧୧୦ ବର୍ଗ କିମି ପରିବ୍ୟାପ୍ତ ଇନ୍ଦ୍ରାବତୀ ଜଳଭଣ୍ଡାର ସୃଷ୍ଟି ହେବା ପରେ ବିଭିନ୍ନ ଟାପୁମାନଙ୍କରେ ରହିଥିବା ଲୋକମାନଙ୍କର ସାମାଜିକ ଜୀବନ ଓ ଅର୍ଥନୀତି ପ୍ରଭାବିତ ହେଲା। ପରବର୍ତ୍ତୀ ସମୟରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଆଦି ମୌଳିକ ସୁବିଧା ମଧ୍ୟ ଅପହଞ୍ଚ ହେବାରେ ଲାଗିଲା। ଆରମ୍ଭ ହେଲା ଏକ ଅନିଶ୍ଚିତ ଜୀବନଯାତ୍ରା। କାଠଡଙ୍ଗା ହିଁ ଜୀବନରେଖା ପାଲଟିଲା। ଡାଇରିଆରେ ମୃତ୍ୟୁ ଓ କ୍ରମାଗତ ଡଙ୍ଗାବୁଡ଼ି ଘଟଣା ଲୋକଙ୍କ ଜୀବନ ଧାରଣକୁ ଦୁର୍ବିଷହ କରିଛି। ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ୍‌ର ଭୌଗୋଳିକ ପରିସୀମାକୁ ଦୁଇ ଭାଗରେ ବାଣ୍ଟୁଥିବା ଇନ୍ଦ୍ରାବତୀ ଜଳଭଣ୍ଡାର ଉପରେ ଏକ ସେତୁ ନିର୍ମାଣ ପାଇଁ କେନ୍ଦୁଗୁଡ଼ା ଘାଟରୁ ୨୦୧୪ ମସିହାରୁ ପ୍ରସ୍ତୁତି ଆରମ୍ଭ ହେଲା। ୨୦୨୨ ମସିହାରେ ଚୁକ୍ତି ସ୍ୱାକ୍ଷରିତ ହୋଇ ୫୪.୯୯ କୋଟି ଟଙ୍କା ବ୍ୟୟରେ କାର୍ଯ୍ୟ ଆରମ୍ଭ ହେବା ସହିତ ୨୦୨୪ ମସିହାରେ ସେତୁ ପୂର୍ଣ୍ଣାଙ୍ଗ ହେବାର ପରିକଳ୍ପନା କରାଯାଇଥିଲା। ଏବେ ନିର୍ମାଣସ୍ଥଳୀରେ କାହାର ଦେଖା ମିଳୁ ନ ଥିବା ବେଳେ ସେତୁକୁ ନେଇ ଲୋକଙ୍କ ଆଶଙ୍କା ବଢ଼ିବାରେ ଲାଗିଛି। ଅନ୍ୟପଟେ ଡି. ଚେପଟା ଘାଟରୁ କେ. ଚେପଟା ଘାଟ ପର୍ଯ୍ୟନ୍ତ ସଡ଼କ ସଂଯୋଗ ପାଇଁ ଗୋଲାଗାଢ଼ ନଦୀ ଉପରେ ଏକ ସେତୁ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଟେଣ୍ଡର ଚୂଡ଼ାନ୍ତ କରାଗଲା। କିନ୍ତୁ ଏହାମଧ୍ୟରେ ୬ ବର୍ଷ ବିତି ଯାଇଥିଲେ ମଧ୍ୟ ସେତୁ ନିର୍ମାଣ ପ୍ରକ୍ରିୟା ମୂଳଦୁଆରେ ହିଁ ଅଟକି ରହିଥିବା ଦେଖିବାକୁ ମିଳିଛି। ଏହା ପୂର୍ଣ୍ଣାଙ୍ଗ ହୋଇ ପାରିଥିଲେ ପୋଡ଼ାପଦର ପଞ୍ଚାୟତର ୧୬ଟି ଜଳବନ୍ଦି ଗ୍ରାମ ପାଇଁ ସଂଯୋଗ ବ୍ୟବସ୍ଥା ହେବା ସହିତ ରାୟଗଡ଼ାନବରଙ୍ଗପୁର ଜିଲ୍ଲାକୁ ଗମନାଗମନ ସୁବ୍ୟବସ୍ଥିତ ହୋଇପାରିଥାନ୍ତା। ରାଜ୍ୟ ସରକାର ତୁରନ୍ତ ଏ ନେଇ ହସ୍ତକ୍ଷେପ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।