ପୁରୀ: ପଞ୍ଚତୀର୍ଥ ପୁଷ୍କରିଣୀକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶରୀରର ପଞ୍ଚଭୂତ ବିବେଚନା କରାଯାଏ। ଏଥିପାଇଁ ଦୂରଦୂରାନ୍ତରରୁ ଆସୁଥିବା ପର୍ଯ୍ୟଟକମାନେ ଏହି ପୁଷ୍କରିଣୀର ଜଳକୁ ସାଙ୍ଗରେ ନେଇ ଘରକୁ ଫେରନ୍ତି। ଏହାକୁ ସିଞ୍ଚି ହେଲେ ପାପ କ୍ଷୟ ‌ହୁଏ ବୋଲି ବିଶ୍ବାସ ରହିଛି। ବିଶେଷକରି ଶ୍ବେତଗଙ୍ଗା ପୁଷ୍କରିଣୀ ପବିତ୍ର ଗଙ୍ଗା ନଦୀ ସହ ସଂଯୋଗ ଥିବା ବିଶ୍ବାସ ରହିଛି। ତେଣୁ ଏହାର ଜଳକୁ ନିର୍ମଳ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜଳ ବିଶୋଧନ ପ୍ଲାଣ୍ଟ ସ୍ଥାପନ ହୋଇଥିଲା। କିନ୍ତୁ ୧୫ ବର୍ଷ ତଳୁ ସ୍ଥାପନ ହୋଇଥିବା ଏହି ମୂଲ୍ୟବାନ ମେସିନ୍‌ ନଷ୍ଟ ହୋଇଗଲା। ଅଚଳ ହୋଇ ବହୁ ବର୍ଷ ପଡ଼ି ରହିଥିଲେ ବି ଶ୍ରୀମନ୍ଦିର ପ୍ରଶାସନ ଏହାକୁ ଗୁରୁତ୍ବ ଦେଲା ନାହିଁ। ତେଣୁ ବହୁ ଆଡ଼ମ୍ବରରେ ଆରମ୍ଭ ହୋଇଥିବା ଏହି ସୁଦୂରପ୍ରସାରୀ ପ୍ରକଳ୍ପର ଭାଗ୍ୟରେ ଯବନିକା ପଡ଼ିଗଲା।

Advertisment

publive-image

ସୁରେଶ ଚନ୍ଦ୍ର ମହାପାତ୍ର ପୁରୀର ଜିଲ୍ଲାପାଳ ଥିବା ବେଳେ ଏଇ ପ୍ରକଳ୍ପର ପରିକଳ୍ପନା ହୋଇଥିଲା। ନ୍ୟାସ୍‌ନାଲ୍‌ ପାୱାର ଥର୍ମାଲ୍‌ କର୍ପୋରେସନ୍‌ (ଏନ୍‌ଟିପିସି) ଜରିଆରେ ଏହା ଶ୍ବେତଗଙ୍ଗାରେ ସ୍ଥାପନ ହୋଇଥିଲା। ଏଥିପାଇଁ ସେତେବେଳେ ପ୍ରାୟ ୧୫ ଲକ୍ଷ ଟଙ୍କା ବ୍ୟୟ ହୋଇଥିଲା। ଆଧୁନିକ ଜ୍ଞାନକୌଶଳର ଉପଯୋଗ ପୂର୍ବକ ପୁଷ୍କରିଣୀ ଜଳରାଶିକୁ ବିଶୋଧନ କରାଯାଉଥିଲା। ତେବେ ଦୁଇ ତିନିମାସ ଚାଲିବା ପରେ ଏହା ଅକାମୀ ହୋଇଗଲା। ଏନେଇ ସ୍ଥାନୀୟ ବାସିନ୍ଦା ଆଇନଜୀବୀ ବିଶ୍ବଜିତ ମହାପାତ୍ର କହିଛନ୍ତି, ଏହା ଏକ ମହତ୍ତ୍ବାକାଂକ୍ଷୀ ପ୍ରକଳ୍ପ ଥିଲା। ତେବେ ଏହାକୁ ବଜାୟ ରଖିବା ପାଇଁ ଶ୍ରୀ ମହାପାତ୍ର ଯେତିକି ଉଦ୍ୟମ କରିଥିଲେ ଏହା ପରବର୍ତ୍ତୀ ଅଧିକାରୀମାନେ ସେତିକି ଆନ୍ତରିକତା ଦେଖାଇଲେ ନାହିଁ। ଶ୍ରୀ ମହାପାତ୍ର ପୁନର୍ବାର ଯେବେ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତ ହେଲେ ସେତେବେଳେ ସେ ପୁନଃ ଏନ୍‌ଟିପିସିର ଯନ୍ତ୍ରୀମାନଙ୍କୁ ଡକାଇ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ଉଦ୍ୟମ କରିଥିଲେ। କାମ ହେବା ପରେ ଏହା କିଛିଦିନ ଚାଲିଲା। କିନ୍ତୁ ପୁଣି ୧୫ ଦିନ ପରେ ତ୍ରୁଟି ଦେଖାଦେଲା।
ପରବର୍ତ୍ତୀ ସମୟରେ ପ୍ରଦୀପ୍ତ କୁମାର ମହାପାତ୍ର ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଥିବା ସମୟରେ ଏହାକୁ କାର୍ଯ୍ୟକ୍ଷମ କରାଇବା ସହ କିଛି କର୍ମଚାରୀଙ୍କୁ ଏହାର ପରିଚାଳନା ଦାୟିତ୍ବ ଦେଇଥିଲେ। କିନ୍ତୁ ପୁନର୍ବାର କିଛିଦିନ ପରେ ଏହା ଅଚଳ ହୋଇଗଲା। ତା’ପରଠୁ ଏହି ଜଳ ବିଶୋଧନ ପ୍ଲାଣ୍ଟ ନଷ୍ଟ ହେଉଥିଲେ ହେଁ କେହି ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ଆନ୍ତରିକତା ଦେଖାଇଲେ ନାହିଁ।

ଶ୍ରୀ ମହାପାତ୍ରଙ୍କ କହିବା ଅନୁଯାୟୀ, ଶ୍ବେତ ମାଧବ ରାଜା ଏଠାରେ ଯଜ୍ଞ କରିଥିବାରୁ ଏହି ତୀର୍ଥ ପୁଷ୍କରିଣୀ ଶ୍ବେତଗଙ୍ଗା ଭାବେ ପରିଚିତ। ତେବେ ଜଣେ ମାତାଜୀ ଏହି ଶ୍ବେତଗଙ୍ଗାରେ ସ୍ନାନ କରିବା ବେଳେ ବୁଡ଼ ପକାଇବା ବେଳେ ସେ ଯାଇ ଆହ୍ଲାବାଦରେ ଗଙ୍ଗା ନଦୀରେ ବାହାରିଥିଲେ। ଏହା ସେଠାରେ ଥିବା ଲୋକଙ୍କୁ ଆଚମ୍ବିତ କରିଥିଲା। ସେଠାରେ ୩ଦିନ ରହଣି ପରେ ଯେବେ ଗଙ୍ଗାରେ ବୁଡ଼ ପକାଇଲେ, ସେଠାରୁ ଆସି ଶ୍ବେତଗଙ୍ଗାରେ ବାହାରିଲେ। ତେଣୁ ରାଜା ଏକଥା ଜାଣିବା ପରେ ମାତାଜୀଙ୍କ ନାମରେ ଶ୍ବେତଗଙ୍ଗା ନିକଟରେ ଏକ ମାତା ମଠ ସ୍ଥାପନ କରାଇଥିଲେ। ତେଣୁ ଏହି ପୁଷ୍କରିଣୀକୁ ଗୁପ୍ତଗଙ୍ଗା ବୋଲି ମଧ୍ୟ କୁହାଯାଏ। ଏଥିପାଇଁ ପ୍ରତିଦିନ ଶ୍ବେତଗଙ୍ଗାକୁ ବହୁ ପର୍ଯ୍ୟଟକଙ୍କ ଆଗମନ ହୁଏ। ବହୁ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଶ୍ରାଦ୍ଧ ତର୍ପଣ ଉଦ୍ଦେଶ୍ୟରେ ଏଠାକୁ ଆସି ବୁଡ଼ ପକାଇଥାଆନ୍ତି। ତେଣୁ ଏହି ଜଳର ପବିତ୍ରତା ଅକ୍ଷୁଣ୍ଣ ରଖିବା ପାଇଁ ଜଳ ବିଶୋଧନ ପ୍ଲାଣ୍ଟ ସ୍ଥାପନକୁ ଗୁରୁତ୍ବ ଦିଆଯାଇଥିଲା। କିନ୍ତୁ ଏହି ମହତ୍ତ୍ବାକାଂକ୍ଷୀ ପ୍ରକଳ୍ପକୁ ବଜାୟ ରଖିପାରିଲା ନାହିଁ ଶ୍ରୀମନ୍ଦିର ପ୍ରଶାସନ।