ବେଗୁନିଆପଡ଼ା/ଛତ୍ରପୁର: ଗଞ୍ଜାମ ଜିଲ୍ଲାରେ ସଂଗଠିତ ଅପରାଧ ଓ ଗୋଷ୍ଠୀ ଛକାପଞ୍ଝା ଦିନକୁ ଦିନ ଭୟଙ୍କର ରୂପ ନେଉଛି। ଗତ ୨୪ ଘଣ୍ଟା ଭିତରେ ବେଗୁନିଆପଡ଼ା ଓ ଛତ୍ରପୁର ଥାନା ଇଲାକାରେ ଦୁଇ ଦୁଇଟି ହତ୍ୟାକାଣ୍ଡ ପୁଲିସ ପ୍ରଶାସନର ନିଦ ହଜାଇଦେଇଛି। ଏହାକୁ ମିଶାଇ ୩ ଦିନ ଭିତରେ ମୋଟ ୪ଟି ହତ୍ୟାକାଣ୍ଡ ଘଟିଛି। ବେଗୁନିଆପଡ଼ା ଥାନା କେ.ବରିଡ଼ା ପଞ୍ଚାୟତ ବି.ନୂଆପଲ୍ଲୀ ଗ୍ରାମରେ ପୂର୍ବ ଶତ୍ରୁତାରୁ ଗତକାଲି ରାତିରେ ନିରାକାର ଦାସ (୩୫)ଙ୍କୁ ସଂଘବଦ୍ଧ ଆକ୍ରମଣ ସହ ନିର୍ମମ ହତ୍ୟା କରାଯାଇଛି। ନୂଆପଲ୍ଲୀ ଗ୍ରାମର ବାସିନ୍ଦା ନିରାକାର ୨୦୨୨ ମସିହାରେ ଉକ୍ତ ଗ୍ରାମର ଗୌରୀ ଦାସକୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଯାହାକୁ ନେଇ ଗୌରୀ ଥାନାରେ ଏତଲା ଦେଇଥିବା ବେଳେ ମାମଲା ରୁଜୁ ହୋଇଥିଲା। କିନ୍ତୁ ଉକ୍ତ ମାମଲାକୁ ପ୍ରତ୍ୟାହାର କରିବାକୁ ଗୌରୀ ଉପରେ ନିରାକାରଙ୍କ ଉପରେ ବାରମ୍ବାର ଚାପ ପକାଇବା ସହ ହତ୍ୟା ଧମକ ବି ଦେଇଆସୁଥିଲେ। ଫଳରେ ନିରାକାରଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ଗୌରୀ ଯୋଜନା କରିଥିଲା।
୩ ଦିନରେ ୪ ହତ୍ୟାକାଣ୍ଡ
ବଢ଼ୁଛି ସଂଗଠିତ ଅପରାଧ
ଗତକାଲି ରାତିରେ ନିରାକାର କେନ୍ଦୁପାଟ ଜଙ୍ଗଲ ଆଡ଼କୁ ଯାଇଥିବା ବେଳେ ଗୌରୀ ତା’ ସହଯୋଗୀମାନଙ୍କ ସହ ମିଶି ପିଛା କରିଥିଲା। ପ୍ରଚୁର ମଦ ପିଇ ସୁଯୋଗକୁ ଅପେକ୍ଷା କରିଥିଲା। ନିରାକାର ଗୋଟିଏ ସ୍ଥାନରେ ବସିଥିବା ବେଳେ ଏକ କଟୁରିରେ ହଠାତ୍ ତାଙ୍କ ବେକ ଓ ପାଟିକୁ ଚୋଟ ପକାଇ ନିର୍ମମ ଭାବେ ହତ୍ୟା କରି ସେଠାରୁ ଫେରାର ହୋଇଯାଇଥିଲା। ମୃତକଙ୍କ ଭାଇ ଟିଟୁ ଦାସଙ୍କ ଏତଲାକ୍ରମେ ବେଗୁନିଆପଡ଼ା ଥାନାରେ କେସ୍ ନମ୍ବର ୩୫୧ ଅନୁସାରେ ଏକ ମାମଲା ରୁଜୁ ସହ ତଦନ୍ତ ଆରମ୍ଭ ହୋଇଛି। ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଛି। ସେହିପରି ଛତ୍ରପୁର ଥାନା ଅଧୀନ ଗୋବା ଗ୍ରାମରେ ଗ୍ରାମ କମିଟି ଗଠନ ସମେତ ବିଭିନ୍ନ ବିବାଦକୁ ନେଇ ଦୁଇ ଗୋଷ୍ଠୀ ଭିତରେ ଛକାପଞ୍ଝା ଆଜି ସକାଳେ ଉଗ୍ର ରୂପ ନେଇଛି। ପ୍ରତିପକ୍ଷ ଗୋଷ୍ଠୀର ଠେଙ୍ଗା ଓ ଖଣ୍ଡା ଆକ୍ରମଣରେ ତୋଫାନ୍ ସ୍ବାଇଁ (୨୮) ପ୍ରାଣ ହରାଇଛନ୍ତି। ସେହିପରି ସୁଧୀର ସ୍ବାଇଁ, ନନ୍ଦ ବାରିକ ଓ ରାହୁଲ ସ୍ବାଇଁ ଆହତ ହୋଇଛନ୍ତି। ତୋଫାନ୍ ଓ ତାଙ୍କ ସହଯୋଗୀମାନେ ବାଇକ୍ରେ ତାରାତାରିଣୀ ଛକ ଆଡ଼କୁ ଯାଉଥିଲେ। ଏହି ସମୟରେ ଗୋବା ଗ୍ରାମ ଛକରେ ୧୦ରୁ ଅଧିକ ଯୁବକ ହଠାତ୍ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଠେଙ୍ଗା ଓ ଖଣ୍ଡାରେ ଆକ୍ରମଣ କରିଥିଲେ। ସମସ୍ତଙ୍କୁ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ତୋଫାନ୍ଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଛତ୍ରପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ସହ ଦୁଇଜଣଙ୍କୁ ଅଟକ ରଖାଯାଇଛି। ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାକୁ ଆସି ଆହତମାନଙ୍କ ସହ ଆଲୋଚନା କରିଛନ୍ତି।