ନୂଆପଡ଼ା : ନୂଆପଡ଼ା ଜିଲ୍ଲାର ସୁନାବେଡ଼ା ଅଭୟାରଣ୍ୟ ପୁଣି ଅଶାନ୍ତ ହେବାରେ ଲାଗିଛି। ବିଗତ ୧୨ ବର୍ଷ ଧରି ଯେଉଁ ଅଞ୍ଚଳ ଶାନ୍ତ ରହିଥିଲା, ମାଓବାଦୀଙ୍କ ଆକ୍ରମଣ ପରେ ପରିସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି। ଏହି ଅଭୟାରଣ୍ୟ ପୁଣିଥରେ ମାଓବାଦୀଙ୍କ କବ୍ଜାକୁ ଚାଲିଯିବ ବୋଲି ଏକ ଆଶଙ୍କା ବି ପ୍ରକାଶ ପାଇଛି। ଏହାକୁ ନେଇ ବି ଚିନ୍ତାରେ ରହିଛି ରାଜ୍ୟ ପୁଲିସ।
/sambad/media/post_attachments/wp-content/uploads/2021/11/naxal-1-300x169.jpg)
୨୦୦୭ ମସିହାରୁ ସୁନାବେଡ଼ା ଅଭୟାରଣ୍ୟରେ ମାଓବାଦୀମାନେ ସେମାନଙ୍କର ଉପସ୍ଥିତି ଜାହିର କରିଥିଲେ। ଛତିଶଗଡ଼-ଓଡ଼ିଶା ସୀମାନ୍ତରେ ଥିବାରୁ ଏହା ମାଓବାଦୀଙ୍କ ପାଇଁ ସୁରକ୍ଷିତ ସ୍ଥାନ ଥିଲା। ୨୦୦୮ରୁ ମାଓବାଦୀମାନେ ଉଭୟ ଛତିଶଗଡ଼ ଓ ଓଡ଼ିଶାକୁ ନେଇ ବିଭିନ୍ନ ଡିଭିଜନ ପ୍ରସ୍ତୁତ କରି ସେମାନଙ୍କ କାର୍ଯ୍ୟ କରିଆସୁଥିଲେ। ବିଭିନ୍ନ ସମୟରେ ମାଓବାଦୀମାନେ ଯୋଜନା କରି ପୁଲିସ ଇନଫର୍ମର ସନ୍ଦେହରେ ନିର୍ମମ ଭାବେ ହତ୍ୟା ବି କରୁଥିଲେ। ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ ସୁନାବେଡ଼ାକୁ ମାଓବାଦୀମାନଙ୍କ ଦୁର୍ଗ ବୋଲି କୁହାଯାଉଥିଲା। ମାଓବାଦୀମାନେ ଅଭୟାରଣ୍ୟରେ ବସବାସ କରୁଥିବା ଲୋକମାନଙ୍କୁ ତାଙ୍କ କବ୍ଜାରେ ରଖି ଉଭୟ ରାଜ୍ୟରେ ସେମାନଙ୍କ ଉପସ୍ଥିତି ଜାହିର କରୁଥିଲେ। ନିରୀହ ଆଦିବାସୀମାନଙ୍କୁ ମାଓବାଦୀ ବିଭିନ୍ନ ପ୍ରତିଶ୍ରୁତି ଦେଇ ନିଜ ଆଡ଼କୁ ଆକୃଷ୍ଟ କରୁଥିଲେ। ଦୁର୍ଗମ ଓ ମାଓପ୍ରବଣ ଅଞ୍ଚଳ ଯୋଗୁ ଜିଲ୍ଲା ପ୍ରଶାସନ କୌଣସି ବିକାଶମୂଳକ କାର୍ଯ୍ୟ କରିପାରୁନଥିବାରୁ ଏହାର ଫାଇଦା ନେଉଥିଲେ ମାଓବାଦୀ। ଏଥିଯୋଗୁ ଆଦିବାସୀମାନେ ସମସ୍ୟାରେ ପଡ଼ିଯାଇଥିଲେ। ଗାଁ ଲୋକ ମାଓବାଦୀ ଭୟରେ ରହିଥିବାବେଳେ ଯବାନମାନେ ମଧ୍ୟ ସେମାନଙ୍କୁ ହଇରାଣ କରୁଥିଲେ। ସେଥିପାଇଁ ୨୦୧୧ରୁ ୨୦୧୩ ଯାଏ ମାଓବାଦୀମାନେ ପୁଲିସ ଇନଫର୍ମର କହି ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ ଘଟାଇ ସରକାର ଓ ଜିଲ୍ଲା ପୁଲିସକୁ ଚାଲେଞ୍ଜ କରିଥିଲେ।
/sambad/media/post_attachments/wp-content/uploads/2022/04/Mkg-naxal-killed-villager-2-300x168.jpg)
୨୦୦୯ ମସିହାରେ ପ୍ରଥମକରି ଜଣେ ଫରେଷ୍ଟ ୱାଚରଙ୍କୁ, ୨୦୧୦ରେ ଧରମବନ୍ଧା ଫରେଷ୍ଟରଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ହେଲେ, ରାଜ୍ୟ ସରକାର ଏହାକୁ କାଠ ମାଫିଆଙ୍କ କାମ ବୋଲି ଆଖ୍ୟା ଦେଇଥିଲେ। ସେହିଭଳି, ୨୦୧୧ରେ ମାଓବାଦୀମାନେ ସୁନାବେଡ଼ାରେ ଛତିଶଗଡ଼ର ଅତିରିକ୍ତ ଏସ୍ପି ସହ ୯ ଜଣ ଯବାନଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ସେହିଦିନଠାରୁ କେନ୍ଦ୍ର ଓ ରାଜ୍ୟ ସରକାର ନୂଆପଡ଼ା ଜିଲ୍ଲାକୁ ନକ୍ସଲ ପ୍ରବଣ ବୋଲି ଚିହ୍ନଟ କରିଥିଲେ। ଏବଂ, ମାଓବାଦୀ ଦମନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଯୋଜନା କରିଥିଲେ। ଆଇପିଏସ୍ ଅଧିକାରୀ ଉମାଶଙ୍କର ଦାସଙ୍କୁ ନୂଆପଡ଼ା ଏସ୍ପି ଭାବେ ଦାୟିତ୍ବ ଦିଆଯାଇଥିଲା। ମାଓ ଦମନ ପାଇଁ ପ୍ରଥମେ ଆଦିବାସୀମାନଙ୍କୁ ନିଜ ଆଡ଼କୁ ଆଣିବା ପାଇଁ ଏସ୍ପି ଜିଲ୍ଲା ପୁଲିସକୁ ନିର୍ଦେଶ ଦେଇଥିଲେ। ଏହାପରେ ସୁନାବେଡ଼ାରେ ଉନ୍ନୟନ କାମ ଆରମ୍ଭ ହୋଇଥିଲା। ଏହାକୁ ବିରୋଧ କରି ମାଓବାଦୀମାନେ ପୁଣି ହତ୍ୟାକାଣ୍ଡ କରିଥିଲେ।
ଅନ୍ୟପକ୍ଷରେ, ଏହାକୁ ବିରୋଧ କରିବା ସହ ସୁନାବେଡ଼ାବାସୀ ମାଓବାଦୀଙ୍କୁ ଗାଁରେ ପୂରାଇ ଦେବେ ନାହିଁ ବୋଲି ଶପଥ ନେଇଥିଲେ। ଗାଁଲୋକ ଧନୁତୀର ଧରି ଗାଁ ଚାରିପଟେ ମାଓବାଦୀଙ୍କୁ ଜଗିବସିଥିଲେ। ଏହାର ସୁଯୋଗ ନେଇ ଏସ୍ପି ଶ୍ରୀ ଦାସ ସୁନାବେଡ଼ାରେ ମାଓ ଦମନ ପାଇଁ ଶିବିର ଆରମ୍ଭ କରିଥିଲେ। ସେହି ଦିନଠାରୁ ଜିଲ୍ଲାରେ ମାଓ ଗତିବିଧି ଧୀରେ ଧୀରେ କମ୍ ହେବାରେ ଲାଗିଥିଲା। ୫ ବର୍ଷ ପର୍ଯ୍ୟନ୍ତ ଅଭୟାରଣ୍ୟରେ କୌଣସି ଅଘଟଣ ଘଟି ନଥିଲା। ଗତ ୨୧ତାରିଖ ଦିନ ପୁଣି ମାଓବାଦୀମାନେ ସେମାନଙ୍କ ଉପସ୍ଥିତି ଜାହିର୍ କରିବା ସହ ୩ ଜଣ ସିଆର୍ପିଏଫ୍ ଯବାନଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ଏଥିସହିତ, ରକେଟ ମାଡ଼ ବି କରିଛନ୍ତି, ଯାହାକି, ରାଜ୍ୟ ସରକାର ଓ ଜିଲ୍ଲା ପୁଲିସର ଚିନ୍ତାକୁ ପୁଣି ବଢ଼ାଇ ଦେଇଛି।