ଅସୁରକ୍ଷିତ ଏମ୍‌ସ ବିଲ୍ଡିଂ : ଯାଞ୍ଚ କରିବ ଆଇଆଇଟି

ଭୁବନେଶ୍ୱର : ପ୍ରଥମେ ଟ୍ରମା ସେଣ୍ଟର ରେଡ୍‌ ଜୋନ୍‌ କାନ୍ଥ ଦବିଲା। ପରେ ପରେ ଟିକେଟ୍‌ କାଉଣ୍ଟର ଛାତରୁ ସିଲିଂ ଖସିଲା। ଦୁଇ ଦୁଇଟି ଅଘଟଣ ପରେ ଏମ୍‌ସ ବିଲ୍ଡିଂ ଅସୁରକ୍ଷିତ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ତେଣୁ ବିଲ୍ଡିଂ କାମ ନିମ୍ନମାନର ହୋଇଛି ବୋଲି ସବୁ ମହଲରୁ ଅଭିଯୋଗ ଉଠିଲା। ଏବେ ଭୁବନେଶ୍ୱର ଆଇଆଇଟି ଏହି ନିର୍ମାଣ କାମର ସଠିକତା ଯାଞ୍ଚ କରିବ। ସୋମବାରଠାରୁ ୩ଜଣିଆ ଏକ ବିଶେଷଜ୍ଞ କମିଟି ଏହି ଯାଞ୍ଚ କାମ ଆରମ୍ଭ କରିବେ। ସିପିଡବ୍ଲ୍ୟୁଡି ଏଥିରେ ସହଯୋଗ କରିବ। ଏମିତିକି ମୂଳ ଡିଜାଇନର୍‌, ଠିକାଦାର ଓ ପ୍ରୋଜେକ୍ଟ କନ୍‌ସଲ୍‌ଟାଣ୍ଟଙ୍କ ଭୂମିକା ବାବଦରେ ମଧ୍ୟ ତଦନ୍ତ କରାଯିବ। ଠିକାଦାର ସଂସ୍ଥାର ଫାଇନାଲ୍‌ ବିଲ୍‌ (ବିଲ୍ଡିଂ ନିର୍ମାଣ ବାବଦ ଦେୟ) ସବୁ ପ୍ରକାର ଯାଞ୍ଚ ପରେ କରାଯିବ। ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ଏମ୍‌ସ ନିର୍ଦେଶିକା ଗୀତାଞ୍ଜଳି ବାତ୍ମାବାନେ ଏହି ସୂଚନା ଦେଇଛନ୍ତି। ତେଣୁ ଏହି ବିଶ୍ୱସ୍ତରୀୟ ହସ୍ପିଟାଲର ବିଲ୍ଡିଂ ସୁରକ୍ଷିତ ବୋଲି କହି ଆସୁଥିବା ଏମ୍‌ସ କର୍ତୃପକ୍ଷ ଆଜି ପରୋକ୍ଷ ଭାବେ ବିଲ୍ଡିଂ ନିର୍ମାଣରେ ରହିଯାଇଥିବା ତ୍ରୁଟିକୁ ନେଇ ନିଜେ ସଂଶୟ ପ୍ରକଟ କରିଛନ୍ତି ଓ ଆଇଆଇଟିର ବିଶେଷଜ୍ଞ କମିଟିର ଯାଞ୍ଚ ଉପରେ ଛାଡ଼ି ଦେଇଛନ୍ତି।

ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇ ସେ କହିଲେ ଯେ ସିପିଡବ୍ଲ୍ୟୁଡି ତଦନ୍ତ ଶେଷ କରି ରିପୋର୍ଟ ଦେଇ ସାରିଛି। ଏକ ମହଲା କୋଠା ଟ୍ରମା ବିଲ୍ଡିଂର କାନ୍ଥ ମୂଳରେ ପ୍ଲିନ୍ଥ ବିମ୍‌ ନଥିବାରୁ ଏଭଳି ହୋଇଛି। ମୂଳ ଡିଜାଇନ୍‌ରେ ଏହି ବିମ୍‌ କାହିଁକି ଦିଆ ଯାଇନଥିଲା, ତାହା ଉପରେ ତଦନ୍ତ କରାଯିବ। ଏବେ ସିପିଡବ୍ଲ୍ୟୁଡି ଏହି କାନ୍ଥକୁ ନୂଆ କରି ଗଢ଼ିବ ଓ ପି୍ଲନ୍ଥ ବିମ୍‌ ଉପରେ କାନ୍ଥକୁ ନିର୍ମାଣ କରାଯିବ। ତେବେ ପୂରା ବିଲ୍ଡିଂ ବାବଦରେ ଆଇଆଇଟି ବିଶେଷଜ୍ଞ ଟିମ୍‌ର ଯାଞ୍ଚ ପରେ ଯାହା କିଛି କୁହାଯାଇପାରିିବ ବୋଲି ସେ ସୂଚନା ଦେଇଥିଲେ। ଏମିତିକି ନିର୍ମାଣ ଦାୟିତ୍ୱ ନେଇଥିବା ଠିକାଦାର ସଂସ୍ଥା ଏଲ୍‌ ଆଣ୍ଡ ଟିକୁ ମଧ୍ୟ ଏହି ସମସ୍ତ ଯାଞ୍ଚ ବାବଦରେ ଅବଗତ କରାଯାଇଛି ଓ ଯାଞ୍ଚ ସମୟରେ କମ୍ପାନି କର୍ତୃପକ୍ଷ ଉପସ୍ଥିତ ରହିବାକୁ ନିର୍ଦେଶ ଦିଆଯାଇଛି।

ତେବେ ଟିକେଟ୍‌ କାଉଣ୍ଟର ଲବିର ସିଲିଂ ଖସିବା କଥାକୁ ସେ ଖଣ୍ଡନ କରିଥିଲେ। ଏହା ଏକ ମରାମତି କାମ ଥିଲା ବୋଲି ସେ ସଫେଇ ଦେଇଥିଲେ। ଗୋଟିଏ ସ୍ଥାନରେ ଜିପ୍‌ସମ ସିଲିଂ ଖରାପ ଥିବାରୁ ସେହି ପ୍ୟାଚ୍‌କୁ ବାହାର କରାଯାଇଛି ଓ ସେଠାରେ ଏକ ନୂଆ ପ୍ୟାଚ୍‌ ଲଗାଯାଉଥିଲା ବୋଲି ସେ ଦର୍ଶାଇଥିଲେ। ଏଲ୍‌ ଆଣ୍ଡ ଟି ପକ୍ଷରୁ ରିତିମତ ଚାଲିଥିବା ମରାମତି କାମର ଏହା ଏକ ଅଂଶ ଥିଲା ବୋଲି ସେ କହିଥିଲେ। ୫ ବର୍ଷ ନ ବିତୁଣୁ, ବିଲ୍ଡିଂ ମରାମତି ଦରକାର ପଡ଼ିଲାଣି ବୋଲି ତାଙ୍କ ମୁହଁରେ ମାନିଥିଲେ। ଅର୍ଥାତ୍‌ ପରୋକ୍ଷରେ କାମ ନିମ୍ନମାନର ହୋଇଛି ବୋଲି ସେ ସ୍ୱୀକାର କରିଥିଲେ। କିନ୍ତୁ ଆହୁରି ଅନେକ କାମ ବାକି ଅଛି ଓ ପ୍ରାପ୍ୟ ୨୬୧ କୋଟି ଟଙ୍କାରୁ ଏଲ୍‌ ଆଣ୍ଡ ଟି କମ୍ପାନି ସମସ୍ତ ପଇସା ପାଇନାହିଁ ବୋଲି କହି ସେ ଏହାକୁ ଘୋଡ଼ାଇବାକୁ ଚେଷ୍ଟା କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ ଗତକାଲି ସିଲିଂ ଖସୁଥିବା ଖବର ପ୍ରକାଶ ପାଇବା ପରେ ଆଜି ଏମ୍‌ସ କର୍ତୃପକ୍ଷ ପ୍ରତିକ୍ରିୟାଶୀଳ ହୋଇପଡ଼ିଥିଲେ। ସକାଳେ ଏହି ଖବର ସଂଗ୍ରହ କରିବା ପାଇଁ ଯାଇଥିବା ‘କନକ ନ୍ୟୁଜ୍‌’ ପ୍ରତିନିଧିଙ୍କୁ ସୁରକ୍ଷା କର୍ମୀମାନେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏମିତିକି ତାଙ୍କ ମୋବାଇଲ୍‌ ଛଡ଼ାଇ ନେଇଥିଲେ। ଏ ନେଇ ଗଣମାଧ୍ୟମର ପ୍ରତିନିଧିମାନେ ଆଜି ନିର୍ଦେଶିକାଙ୍କୁ ଘେରିବା ପରେ ସେ ସୁରକ୍ଷା କର୍ମୀମାନଙ୍କ ଏଭଳି ବ୍ୟବହାର ନିନ୍ଦନୀୟ ବୋଲି କହିଥିଲେ। ଏହା ଉପରେ ଯାଞ୍ଚ କରାଯାଉଛି ବୋଲି କହିଥିଲେ। ଯଦି ଏଭଳି ଘଟିଥାଏ, ତେବେ ଉକ୍ତ ସିକ୍ୟୁରିଟି ସଂସ୍ଥା ଓ ଉକ୍ତ କର୍ମୀମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର