ଜାତୀୟ ରାଜପଥରେ ଜୀବନବାଜି : ପୁରୀ-ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥର ଚନ୍ଦନପୁର ନିକଟରେ ସେତୁ ଉପରେ ବାଉଁଶ ବାଡ଼ା କରୁଛି ଜୀବନ ସୁରକ୍ଷା

ପୁରୀ : ଜାତୀୟ ରାଜପଥରେ ଲାଗିଛି ଜୀବନବାଜି। ‌ସେତୁ ଉପରେ ବାଉଁଶ ବାଡ଼ା କରୁଛି ଜୀବନ ସୁରକ୍ଷା। ଏଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି ରାଜ୍ୟର ଅନ୍ୟତମ ମୁଖ୍ୟ ରାସ୍ତା ପୁରୀ-ଭୁବନେଶ୍ବର ୩୧୬ ନମ୍ବର ଜାତୀୟ ରାଜପଥର ଚନ୍ଦନପୁର ନିକଟରେ। ମାସେ କି ଦୁଇ ମାସ ନୁହେଁ, ଦୀର୍ଘ ୬ ମାସ ହେଲା ଏଭଳି ଅବସ୍ଥା ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ, କାଠପୋଲ ଠାରୁ ଅଠରନଳା ଭିତରେ ଏକାଧିକ ସ୍ଥାନ ଖାଲଖମାରେ ଭର୍ତ୍ତି ହେବା ଯୋଗୁଁ ଦୈନିକ ଏକାଧିକ ଦୁର୍ଘଟଣା ଘଟୁଛି। ଯାହାକୁ ନେଇ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ପୁରୀକୁ ବିଶ୍ବ ଐତିହ୍ୟ ସହର ଭାବେ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ସ୍ବପ୍ନ ଦେଖୁଥିବା ବେଳେ ଜାତୀୟ ରାଜପଥର ଏଭଳି ଅବସ୍ଥା ପ୍ରଶାସନିକ ଦୁର୍ବଳତାକୁ ପଦାରେ ପକାଇଛି। ଚନ୍ଦନପୁର ବଜାର ଭାର୍ଗବୀ ନଦୀ ଉପର ଦେଇ ଯାଇଥିବା ସେତୁଟି ବହୁ ପୁରୁଣା। ଏହି ସେତୁ ଦେଇ ଦୈନିକ ହଜାର ହଜାର ଗାଡ଼ିମୋଟର ଯାଆସ କରୁଛି। ପୁରୀକୁ ଯାତାୟାତର ଏହା ପ୍ରମୁଖ ରାସ୍ତା କହିଲେ ଅତ୍ୟୁକ୍ତି ହେବନି। କିନ୍ତୁ ବାତ୍ୟା ଫନିରେ ଏହି ସେତୁର ଦୁଇକଡ଼ ରିଟେନିଂ ୱାଲ ଭାଙ୍ଗିପଡ଼ିଛି।

କେଉଁଠି ୨୦ ଫୁଟ ରିଟେନିଂ ୱାଲ ଭାଙ୍ଗିଯାଇଛି ତ କେଉଁଠି ୧୦ ଫୁଟ। ଏଭଳି ଏକାଧିକ ସ୍ଥାନରେ ରିଟେନିଂ ୱାଲ ସବୁ ଭାଙ୍ଗି ଭାର୍ଗବୀ ନଦୀରେ ପଡ଼ିଛି। ଏହାର ସ୍ଥାୟୀ ମରାମତି କରିବା ବଦଳରେ ବିଭାଗୀୟ ଅଧିକାରୀମାନେ ଭଙ୍ଗା ଜାଗାରେ କିଛି ବାଉଁଶ ବାନ୍ଧି ଜନଜୀବନ ସୁରକ୍ଷା କରୁଛନ୍ତି। ଏହି ରାସ୍ତା ଦେଇ ରାଜ୍ୟ ତଥା ରାଜ୍ୟ ବାହାରୁ ଶହ ଶହ ବସ ଯାତ୍ରୀଙ୍କୁ ନେଇ ଯାତାୟାତ କରୁଛନ୍ତି। ଦୈନିକ ଦୁଇଚକିଆ ଠାରୁ ଆରମ୍ଭ କରି ଶହ ଶହ ମାଲବାହୀ, ଯାତ୍ରୀବାହୀ ଗାଡ଼ିମୋଟର ଯାଆସ କରୁଛି। ପରିସ୍ଥିତି ଏପରି ହୋଇଛି ଯେ ଯଦି କିଛି ବି ଅଘଟଣ ଘଟେ, ତେବେ ଯାତ୍ରୀମାନଙ୍କ ସହ ବସ ଅବା ଅନ୍ୟ ଗାଡ଼ି ଭାର୍ଗବୀର ପ୍ରଖର ଜଳରେ ପଡ଼ିବ। ଫଳରେ ଅନେକ ମୃତାହତ ହେବା ଆଶଙ୍କା ଦେଖାଦେଇଛି। ରାଜ୍ୟରେ ବହୁ ସ୍ଥାନରେ ବ୍ରିଜ ଉପରୁ ବସ ଖସି ଲୋକଙ୍କ ମୃତ୍ୟୁ ହେବା ଘଟଣା ବିରଳ ନୁହେଁ। ତଥାପି ଜାତୀୟ ରାଜପଥ ବିଭାଗ ଏଥିପ୍ରତି ଦୃଷ୍ଟି ନଦେବା ପରିତାପର ବିଷୟ। ତୁରନ୍ତ ଏହାର ମରାମତି ନହେଲେ ସ୍ଥାନୀୟ ସଂଗଠନ, ବିଭିନ୍ନ ରାଜନୈତିକ ଦଳ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର