ଜଳେଶ୍ବର: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ବିଦ୍ୟାଳୟର ଦୁଇଜଣ ସହକାରୀ ଶିକ୍ଷକ ଗିରଫ ହୋଇଛନ୍ତି। ଏପରି ଏକ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳରେ। ସୂଚନା ଅନୁସାରେ; ଜଳେଶ୍ୱର ବ୍ଲକ୍ ଅଧୀନ ଏକ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀଙ୍କ ମାଆ ଗତକାଲି ଜଣେ ଶିକ୍ଷକ ତାଙ୍କ ଝିଅଙ୍କୁ ଅସଦାଚରଣ କରିଥିବା ନେଇ ରାଇବଣିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ରାତିରେ ଅଭିଯୁକ୍ତ ଶିକ୍ଷକ କୈଳାସ ଚନ୍ଦ୍ର ବେଜ (୪୩) ଏବଂ ପ୍ରଧାନଶିକ୍ଷକ ଭବାନୀଶଙ୍କର ପାଳଙ୍କୁ ଥାନାକୁ ଉଠାଇ ଆଣିଥିଲା। ତେବେ ଘଟଣାରେ ସଂପୃକ୍ତି ନଥିବା ଜାଣି ପ୍ରଧାନଶିକ୍ଷକ ଶ୍ରୀ ପାଳଙ୍କୁ ଆଜି ଛାଡ଼ି ଦିଆଯାଇଥିବା ବେଳେ ଶିକ୍ଷକ ଶ୍ରୀ ବେଜ ଗିରଫ ହୋଇଛନ୍ତି।
ତଦନ୍ତ ଜାରି, ସିସିଟିଭି ହାର୍ଡଡିସ୍କ ଜବତ
ସେହିପରି ବିଦ୍ୟାଳୟକୁ ତଦନ୍ତ ପାଇଁ ଯାଇଥିବା ପୁଲିସ ନିକଟରେ କିଛି ଛାତ୍ରୀ ଶିକ୍ଷକ କାଳୀଚରଣ ମାଝୀ (୪୧)ଙ୍କ ନାମରେ ଅସଦାଚରଣ ଅଭିଯୋଗ ଆଣିବାରୁ ତାଙ୍କୁ ମଧ୍ୟ ଗିରଫ କରାଯାଇଛି। ତଦନ୍ତକାରୀ ଦଳ ବିଦ୍ୟାଳୟ ଓ ପୀଡ଼ିତାଙ୍କ ଘରକୁ ଯାଇ ତଦନ୍ତ କରିଛି। ସେପଟେ ଅନ୍ୟ ଏକ ଟିମ୍ ଛାତ୍ରୀ ଓ ଶିକ୍ଷକମାନଙ୍କର ବୟାନ ରେକର୍ଡ କରିଛି। ବିଦ୍ୟାଳୟରେ ଲାଗିଥିବା ସିସିଟିଭି ହାର୍ଡଡିସ୍କ ଜବତ କରାଯାଇଛି।ତେବେ ଗିରଫ ଶିକ୍ଷକମାନେ ଅଭିଯୋଗ ମିଛ ବୋଲି ଗଣମାଧ୍ୟମକୁ କହିଛନ୍ତି।
ନାବାଳିକା କ୍ରୀଡ଼ାବିତ୍ଙ୍କୁ ଗଣଦୁଷ୍କର୍ମ: ୨ କୋଚ୍ ଥାନାରେ ଅଟକ
ଯାଜପୁରସଦର: ଯାଜପୁରରେ ଜଣେ ନାବାଳିକା କ୍ରୀଡ଼ାବିତ୍ଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୁଲିସ ଦୁଇଜଣ କୋଚ୍ଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଯାଜପୁର ସହରରେ ୪ ବର୍ଷ ତଳେ ହକି ପ୍ରଶିକ୍ଷଣ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଥିଲା। ଏଠାରେ ତିନିଜଣ ପ୍ରଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ଅଭିଯୋଗ ଅନୁଯାୟୀ ଗତ ୩ ତାରିଖ ସନ୍ଧ୍ୟାରେ ଯାଜପୁର ସହରର ଜଣେ ନାବାଳିକା କ୍ରୀଡ଼ାବିତ୍ ଘରକୁ ଯାଉଥିବାବେଳେ ଉପହାର ଲୋଭ ଦେଖାଇ ମୁଖ୍ୟ ଅଭିଯୁକ୍ତ କୋଚ୍ ସନ୍ଦୀପ ସ୍ବାଇଁ ଓ ସିଦ୍ଧାର୍ଥ ରାଉତ, ପୂର୍ବତନ କୋଚ୍ ସାର୍ଥକ ତାଙ୍କୁ ସାଙ୍ଗରେ ଯିବାକୁ କହିଥିଲେ। ନାବାଳିକା ଜଣକ ଅରାଜି ହେବାରୁ ଅଭିଯୁକ୍ତମାନେ ତାଙ୍କୁ ଜୋର୍ ଜବରଦସ୍ତ ବାଇକ୍ରେ ବସାଇ ଏକ ଲଜ୍କୁ ନେଇ ସେଠାରେ ଗଣଦୁଷ୍କର୍ମ କରିବା ପରେ ଘଟଣା ସଂପର୍କରେ କାହାକୁ ଜଣାଇଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ।
ଏ ସମ୍ପର୍କରେ ପୀଡ଼ିତା ପରିବାର ଲୋକଙ୍କୁ ବିଳମ୍ବରେ ଜଣାଇଥିଲେ। ପରିବାର ଲୋକେ ଗତ ୧୭ ତାରିଖରେ ଏ ନେଇ ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ। କ୍ରୀଡ଼ା ଅଧିକାରୀ ଏ ସଂପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରିବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ଗତକାଲି ନାବାଳିକା ଜଣକ ଟାଉନ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିଛି। ଆଜି ନାବାଳିକାଙ୍କ ବୟାନ ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ପୁଲିସ ହକି ଷ୍ଟାଡିୟମ ଓ ଲଜ୍କୁ ଯାଇ ସିସିଟିଭି ଯାଞ୍ଚ କରିବା ସହ କର୍ମଚାରୀଙ୍କୁ ପଚରାଉଚରା କରିଛି। ସେହିପରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଶିଶୁ ସୁରକ୍ଷା ବିଭାଗ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କୁ ନେଇ ଗଠିତ କମିଟି ରିପୋର୍ଟ ପ୍ରସ୍ତୁତ କରିଛି। ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିବା ଆଇନଜୀବୀ (ପିପି) ରାଜୀବ ମହାନ୍ତି କହିଛନ୍ତି।
ଛାତ୍ରୀଙ୍କୁ ଅଧ୍ୟାପକଙ୍କ ଅସଦାଚରଣ: ଅଧ୍ୟକ୍ଷ, ଅଧ୍ୟାପକ ନିଲମ୍ବିତ
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ଏକ କଲେଜରେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ପୁଣି ତାଜା ହୋଇଛି। ଜନଶୁଣାଣି ପୋର୍ଟାଲ୍ରେ ଅଭିଯୋଗ ପରେ ଜୁନିୟର କଲେଜ୍ର ଅଧ୍ୟକ୍ଷ ରମେଶଚନ୍ଦ୍ର ସାହୁ ଓ ଗଣିତ ଅଧ୍ୟାପକ ଶାଶ୍ବତ ମହାନ୍ତିଙ୍କୁ ଆଜି ନିଲମ୍ବିତ କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥିସହିତ ସମ୍ପୃକ୍ତ କଲେଜର ଅଧ୍ୟକ୍ଷଙ୍କୁ ରିପୋର୍ଟ ତଲବ କରିଛନ୍ତି ଜିଲ୍ଲାପାଳ। ଅନ୍ୟପଟେ ତଦନ୍ତ କମିଟି ଅଧ୍ୟାପକଙ୍କ ବିରୋଧରେ ପୂର୍ବରୁ ରିପୋର୍ଟ ଦେଇଥିଲେ ହେଁ ଆପୋସ ସମାଧାନ ଆଳରେ ଘଟଣାକୁ ଚପାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ, ରଘୁନାଥପୁର ଅରୂପାନନ୍ଦ କଲେଜର ଗଣିତ ଅଧ୍ୟାପକଙ୍କ ବିରୋଧରେ ଗତ ଜାନୁଆରି ୧୫ରେ ଜଣେ +୨ ଦ୍ବିତୀୟ ବର୍ଷର ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏ ନେଇ ଛାତ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଜାନୁଆରି ୧୬ରେ ଅଧ୍ୟକ୍ଷ ଆଭ୍ୟନ୍ତରୀଣ ତଦନ୍ତ କମିଟି ଗଠନ କରିଥିଲେ।
ଦୁଇ ଜଣ ଅଧ୍ୟାପକ ଓ ଜଣେ ମହିଳା କର୍ମଚାରୀଙ୍କୁ ନେଇ ୩ଜଣିଆ ତଦନ୍ତ କମିଟି ଗଠିତ ହୋଇଥିଲା। କମିଟି ଅଧ୍ୟାପକଙ୍କ ବିରୋଧରେ ରିପୋର୍ଟ ଦେଇଥିଲା। ପରେ ଫେବ୍ରୁଆରି ଓ ମାର୍ଚ୍ଚରେ ଦୁଇ ଥର ଅଧ୍ୟାପକଙ୍କୁ ହାଜର ପାଇଁ ନୋଟିସ୍ କରାଯାଇଥିଲେ ମଧ୍ୟ ସେ ହାଜର ହୋଇ ନ ଥିଲେ। ଏପ୍ରିଲ ୨ରେ ଛାତ୍ରୀ ଅଧ୍ୟକ୍ଷଙ୍କୁ ଲିଖିତ ଦରଖାସ୍ତ ଦେଇଥିଲେ। ସମ୍ପୃକ୍ତ ଅଧ୍ୟାପକ ସର୍ବସମ୍ମୁଖରେ ନିଜର ଭୁଲ୍ ସ୍ବୀକାର କରିବା ସହ କ୍ଷମା ମାଗିଥିବାରୁ ମାମଲାକୁ ବନ୍ଦ କରିବା ପାଇଁ ଛାତ୍ରୀ ଜଣକ ଚିଠିରେ ଉଲ୍ଲେଖ କରିଥିଲେ। କିନ୍ତୁ ଛାତ୍ରୀ ଚାପରେ ପଡ଼ି ମାମଲାକୁ ବନ୍ଦ କରିବା ପାଇଁ ଦରଖାସ୍ତ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ଅଧ୍ୟାପକଙ୍କ ବିରୋଧରେ ଅସଦାଚରଣ ଓ ଅଶାଳୀନ ବ୍ୟବହାର ଅଭିଯୋଗର ସତ୍ୟତା ଥିବା ନେଇ ତଦନ୍ତ କମିଟି ଦେଇଥିବା ରିପୋର୍ଟକୁ ଅଧ୍ୟକ୍ଷ ସ୍ବୀକାର କରିଥିଲେ। ଏ ସମ୍ପର୍କରେ ଏକ ଷ୍ଟାଫ୍ କମିଟି ବୈଠକ ଡକାଯାଇଥିଲା। ସେଠାରେ ଅଧ୍ୟାପକ ଭୁଲ୍ ସ୍ବୀକାର କରିବା ପରେ ଛାତ୍ରୀ ଆପୋସ ସମାଧାନ ପାଇଁ ଲିଖିତ ଆବେଦନ କରିଥିଲେ ବୋଲି ଅଧ୍ୟକ୍ଷ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/04/25/pxazD5HtuXjZlHFAZBhR.jpg)