ଅସୁରକ୍ଷିତ ଇମ୍ଫା ଖଣି : ଖଣି ସଂଲଗ୍ନ ପାହାଡ଼ ଧସିଛି

ସ୍ଥିତି ପରଖିଲେ ଖଣି ସୁରକ୍ଷା ଉପନିର୍ଦେଶକ, ଶ୍ରମିକଙ୍କ ସୁରକ୍ଷା ଦାବିରେ ଆନ୍ଦୋଳନ ଜାରି

କାଳିଆପାଣି : ଇମ୍ଫା ମହାଗିରି ଭୂତଳ କ୍ରୋମାଇଟ୍ ଖଣି ଅସୁରକ୍ଷିତ। ମହାଗିରି ଖଣିରେ ଗତ ୩୧ ତାରିଖ ଦିନ ଘଟିଥିବା ଦୁର୍ଘଟଣା ସଂପର୍କରେ ମିଳିଛି ଚାଞ୍ଚଲ୍ୟକର ତଥ୍ୟ। ସେଦିନ ଏଠାରେ କୌଣସି ଛୋଟମୋଟ ଦୁର୍ଘଟଣା ଘଟି ନଥିଲା। ମନଇଚ୍ଛା ଖଣି ଖନନ ଯୋଗୁଁ ଖଣି ସଂଲଗ୍ନ ପାହାଡ଼ ଧସିଯାଇଥିଲା। ପାହାଡ଼ର ଉପର ଭାଗ ଧସିବା କାରଣରୁ ପାଖାପାଖି ଲକ୍ଷେ ଘନମିଟର ମାଟି, ବଡ଼ ବଡ଼ ଗଛ, ପଥରଖଣ୍ଡ ସବୁ ପଡ଼ି ଖଣି ପୋତି ହୋଇଯାଇଛି। କେନ୍ଦ୍ର ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରାଳୟ ଏହି ଦୁର୍ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କରିଛି। ଧାନବାଦସ୍ଥିତ ଖଣି ସୁରକ୍ଷା ମହାନିର୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ବର ଜୋନ୍‌ ଖଣି ସୁରକ୍ଷା ଉପନିର୍ଦେଶକ(ଡିଡିଏମ୍ଏସ୍) ନଗେନ୍ଦ୍ର କୁମାର ଶ୍ରୀରାମ ଗତ ୨ ତାରିଖ ମହାଗିରି ଉକ୍ତ ଖଣିରେ ପହଞ୍ଚି ସ୍ଥିତି ପରଖିଥିଲେ। ମହାଗିରି ଖଣିର ୯ ନଂ ବ୍ଲକ ଅନ୍ତର୍ଗତ ଦୁର୍ଘଟଣା ସ୍ଥଳ ଓ ଏହାର ପାରିପାର୍ଶ୍ବିକ ଅଞ୍ଚଳ ଅନୁଧ୍ୟାନ କରିଥିଲେ। ଦୁର୍ଘଟଣାର କାରଣ ଅନୁଧ୍ୟାନ କରିବା ସହ ଖଣିରେ ଶ୍ରମିକଙ୍କ ନିରାପତ୍ତା ବ୍ୟବସ୍ଥା ଯାଞ୍ଚ୍ କରିବା ସହ ଖଣି ସୁରକ୍ଷାର ବିଭିନ୍ନ ଦିଗକୁ ସମୀକ୍ଷା କରିଥିଲେ। ୩ ନଂ ଓ ୫ ନଂ ବ୍ଲକ ସୁରକ୍ଷିତ ଥିବାବେଳେ ୯ ନଂ ବ୍ଲକ ତ୍ରୁଟିଯୁକ୍ତ ଥିଲା ବୋଲି ଡିଡିଏମ୍ଏସ୍ ଶ୍ରୀ ଶ୍ରୀରାମ ‘ସମ୍ବାଦ’କୁ ସୂଚନା ଦେଇଛନ୍ତି। ତେବେ ଦୁର୍ଘଟଣାସ୍ଥଳ ଓ ଏହାର ପାରିପାର୍ଶ୍ବିକ ଇଲାକାକୁ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରି କାରଣ ଜାଣିବାକୁ ଅତିକମ୍‌ରେ ଏକ ସପ୍ତାହ ଲାଗିବ ବୋଲି ସେ କହିଛନ୍ତି। ଇମ୍ଫା କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯିବାରୁ ପାହାଡ଼ ଧସିଥିବା ବିଷୟକୁ ସ୍ବୀକାର କରିଛନ୍ତି।

ସେହିପରି ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ନିର୍ଦେଶରେ ଯାଜପୁରରୋଡ଼ ସର୍କଲ ଉପନିର୍ଦେଶକ ପ୍ରଭାସ ଚନ୍ଦ୍ର ଓଝା, ଖଣି ଅଧିକାରୀ ଅସୀତ୍ ବେହେରା ଓ କାଳିଆପାଣି ଥାନା ଅଧିକାରୀ ଯୁବରାଜ ସ୍ବାଇଁ ମଧ୍ୟ ଇମ୍ଫା ମହାଗିରି କ୍ରୋମାଇଟ୍ ଖଣି ଅଞ୍ଚଳରେ ତଦନ୍ତ କରି ଫେରିଛନ୍ତି। ଏଠାକାର ଅବସ୍ଥା ଦେଖି ଖଣି ଉପନିର୍ଦେଶକ ପ୍ରଭାସ ଚନ୍ଦ୍ର ଓଝା ଦୁର୍ଘଟଣାଗ୍ରସ୍ତ ଖଣି ଭିତରକୁ ଯିବାକୁ ଭୟ କରିଥିଲେ ବୋଲି ସୂଚନା ମିଳିଛି। ତେଣୁ ଖଣି ଅଧିକାରୀ ଶ୍ରୀ ବେହେରା ଓ ଥାନା ଅଧିକାରୀ ଶ୍ରୀ ସ୍ବାଇଁ ଖଣି ଭିତରକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ। ଦୁର୍ଘଟଣାରେ ଆହତ ହୋଇଥିବା ଖଣି ଶ୍ରମିକ ରଞ୍ଜନ କୁମାର ଭୂୟାଁଙ୍କ ବୟାନ ରେକର୍ଡ କରିଥିଲେ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଓଡ଼ିଶା ସେଫ୍ଟି କନ୍‌କ୍ଲେଭରେ ଗତ ୨ ତାରିଖ ଦିନ ଇମ୍ଫା ଖଣି ସୁରକ୍ଷା ପାଇଁ ପୁରସ୍କୃତ ହୋଇଥିଲା। ତେବେ ଏହାର ଦିନକ ପୂର୍ବରୁ ଅକ୍ଟୋବର ୩୧ ତାରିଖରେ ଇମ୍ଫା ମହାଗିରି ଖଣି ସଂଲଗ୍ନ ପାହାଡ଼ ଧସିଥିଲା। ଏହି ଦୁର୍ଘଟଣାରେ ୩ ଜଣ ଶ୍ରମିକ ଆହତ ହୋଇଥିଲେ।

ଅନ୍ୟପକ୍ଷରେ ଇମ୍ଫା ଭୂତଳ କ୍ରୋମାଇଟ୍ ଖଣିରେ ପର୍ଯ୍ୟାପ୍ତ ନିରାପତ୍ତା ବ୍ୟବସ୍ଥା ଓ ଏଠାରେ କାର୍ଯ୍ୟରତ ଶ୍ରମିକଙ୍କ ସୁରକ୍ଷା ଦାବିରେ ସୁକିନ୍ଦା ରିଜିଅନ କ୍ରୋମାଇଟ୍ ଖାଦାନ ମଜଦୁର ସଂଘର କାର୍ଯ୍ୟବନ୍ଦ୍ ଆନ୍ଦୋଳନ ଆଜି ୩ୟ ଦିନରେ ପହଞ୍ଚିଛି। ସାଧାରଣ ସଂପାଦକ ନାରାୟଣ ଚନ୍ଦ୍ର ଧୀର, ଯୁଗ୍ମ ସାଧାରଣ ସଂପାଦକ ଭରତ ଚନ୍ଦ୍ର ମହାନ୍ତ, ବିଜେଡି ଯୁବ ସଂଗଠକ ଆଶିଷ କୁମାର ଜେନା, ଇମ୍ଫା ଶାଖା ସଂପାଦକ ଦୀପକ ମହାରଣା, ସୁବ୍ରତ କୁମାର ଜେନା, ଗଣେଶ୍ବର ମହାନ୍ତ ପ୍ରମୁଖ ଗଣଧାରଣାରେ ବସିରହି ଆନ୍ଦୋଳନ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର