ସୋର: ବାଲେଶ୍ବର ଜିଲ୍ଲା କୁଲଡ଼ିହା ଅଭୟାରଣ୍ୟରେ ବନ୍ୟଜନ୍ତୁ ବିପଦରେ। ଏଠାରେ ଅବାଧ ଶିକାର ଚାଲିଛି। ପୂର୍ବରୁ ଶିକାରୀଙ୍କ ଏକାଧିକ ଫଟୋ ‘ସମ୍ବାଦ’ ହାତରେ ଲାଗିଥିବା ବେଳେ ଏବେ ଶିକାର ହୋଇଥିବା ଜନ୍ତୁଙ୍କ ଫଟୋ ମିଳିଛି। ଯାହା ପରିବେଶପ୍ରେମୀଙ୍କୁ ଚିନ୍ତାରେ ପକାଇଛି। କୁଲଡ଼ିହା ଅଭୟାରଣ୍ୟ ଉପରେ ଶିକାରୀଙ୍କ ଲୋଲୁପ ଦୃ୍ଷ୍ଟି ପଡ଼ିଛି। ବନ ବିଭାଗ ସଜାଗ ଥିବା ସତ୍ତ୍ବେ ବନ୍ଧସାହି, ବାଘ ଆମ୍ପୁଡ଼ା, କିଆନାଳିଆ, ସିନ୍ଧୁଆ, ହାତୀଖୋଲିଆ, ହଦ ଆଦି ଅଞ୍ଚଳ ନିକଟ ଜଙ୍ଗଲରେ ପ୍ରତିଦିନ ଅବାଧ ଶିକାର ଚାଲିଛି। ଶିକାରୀମାନେ ମେଳିକରି କୁଲଡ଼ିହା ଅଭୟାରଣ୍ୟ ଭିତରକୁ ଶିକାର ପାଇଁ ଯାଉଥିବାର ଏକାଧିକ ଫଟୋ ‘ସମ୍ବାଦ’ ହାତରେ ଲାଗିଥିଲା। ଖବର ପ୍ରକାଶ ପାଇବା ପରେ ବି ବନ ବିଭାଗ ଚେତୁନି କି ଶିକାର ଥମୁନି।

Advertisment

xxcddc

ଅଭିଯୋଗ ହେଉଛି; କିଛି ଅସାଧୁ ବନ କର୍ମଚାରୀ ଓ ଶିକାରୀ ମିଳିମିଶି ଏଭଳିୁ କାର୍ଯ୍ୟ କରୁଛନ୍ତି। ଶିକାରୀମାନେ କୁଟ୍ରା, ବାର୍‌ହା, ମାଲୁଆ, ବଜ୍ରକାପ୍ତା, ଗୁରାଣ୍ଡି, ଝିଙ୍କ, ବଣ କୁକୁଡ଼ା, ଠେକୁଆ ଆଦିଙ୍କ ମାଂସକୁ ହଜାର ହଜାର ଟଙ୍କାରେ ବିକ୍ରି କରୁଛନ୍ତି। ‌ସେହିପରି ବନ୍ୟପ୍ରାଣୀଙ୍କ ଚମଡ଼ା, ଶିଙ୍ଗ, ଦାନ୍ତ, ନଖ, କାତି ଆଦି ମଧ୍ୟ ବିକ୍ରି କରି ମାଲାମାଲ୍‌ ହେଉଛନ୍ତି। ତେବେ ପୂର୍ବରୁ ଶିକାରୀଙ୍କ ଫଟୋ ‘ସମ୍ବାଦ’ ହାତରେ ଲାଗିଥିବା ବେଳେ ଏବେ ଶିକାର ହୋଇଥିବା ୨ଟି ଗୁରାଣ୍ଡି ଓ ଗୋଟିଏ ମାଲୁଆର ଫଟୋ ମିଳିଛି। ଗତକାଲି ରାତିରେ ଶିକାର କରାଯାଇଥିବା କୁହାଯାଉଛି।

ଏହାକୁ ନେଇ ପରିବେଶ ପ୍ରେମୀ ଶଙ୍କର୍ଷଣ ବାରିକ, ଯୋଗେନ୍ଦ୍ର ଜେନା ଓ ସାଗର ସିଂ କ୍ଷୋଭ ପ୍ରକାଶ କରିଛନ୍ତି। ଏହା ସହିତ ବନ ବିଭାଗ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେଉ ବୋଲି ଦାବି ରଖିଛନ୍ତି। ଘଟଣା ବାବଦରେ ମତାମତ ନେବାକୁ କୁଲଡ଼ିହା ରେଞ୍ଜର ସୁବ୍ରତ କୁମାର ବେହେରାଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେ କହିଛନ୍ତି, ଆମ ପାଖରେ ଶିକାର ନେଇ କୌଣସି ଖବର ନାହିଁ। ସ୍ଥାନୀୟ ବନ ଅଧିକାରୀଙ୍କୁ ପଚାରିବି। ସତ ହୋଇଥିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି।