ଅସୁରକ୍ଷିତ ନୟାଗଡ଼ ଜଙ୍ଗଲ : ଅବାଧରେ ଚାଲିିଛି କାଠ କଟା ସହ ପଶୁ ଶିକାର, ଶିକାରୀଙ୍କ ନଜରରେ ବଣୁଆ ହାତୀପଲ

ନୂଆଗାଁ : ନୟାଗଡ଼ ଜିଲ୍ଲା ବନ୍ୟପ୍ରାଣୀଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଛି। ଏଠାରେ ଶିକାରୀମାନଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳୁଥିଲା ବେଳେ କାଠମାଫିଆମାନେ ଦିନଦ୍ବିପ୍ରହରେ ଜଙ୍ଗଲରେ ପଶି ଅବାଧରେ କାଠ କାଟୁଛନ୍ତି। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ହୋଇଥିବା ଜଙ୍ଗଲ ଏବେ ଧୀରେ ଧୀରେ ଲୀନ ହେବାରେ ଲାଗିଛି। ଆଗଭଳି ଜଙ୍ଗଲରେ ଥିବା ବିଭିନ୍ନ ପ୍ରଜାତିର ଜୀବଜନ୍ତୁ, ବୃକ୍ଷଲତା ଆଉ ଦେଖିବାକୁ ମିଳୁନି। ଚାଷବାସ ଏବଂ ଜଙ୍ଗଲ ଉପରେ ନିର୍ଭର କରୁଥିବା ଲୋକେ ଏବେ ନିଜର ବେଉସା ହରେଇ ଗାଁ ଗଣ୍ତା ଛାଡୁଛନ୍ତି। ପଶୁପକ୍ଷୀମାନଙ୍କୁ ଶିକାର କରିବାକୁ ଶିକାରୀମାନେ ପ୍ରତି ଜଙ୍ଗଲରେ ଡେରା ପକାଇଛନ୍ତି। କିନ୍ତୁ ବନ କର୍ମଚାରୀମାନେ ଶିକାରୀ କିମ୍ବା କାଠମାଫିଆଙ୍କ ଟିକେ ବି ସୁରାକ୍ ପାଉନଥିବା ମୁଣ୍ତ ବିନ୍ଧାର କାରଣ ହୋଇଛି। ବିଗତ ଦିନରେ ଦଶପଲ୍ଲା ଜଙ୍ଗଲରେ ହାତୀ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଯେପରି ହଇଚଇ ସୃଷ୍ଟି ହୋଇଥିଲା, ତା’ର ପୁନରାବୃତି ନହୁଏ ସେଥିପ୍ରତି ବନ ବିଭାଗ ଯତ୍ନବାନ୍ ହେବା ଆବଶ୍ୟକ ବୋଲି ଚର୍ଚ୍ଚା ହେଉଛି। ଏବେ ନୟାଗଡ଼ର ସଂରକ୍ଷିତ ଜଙ୍ଗଲରେ ୨୬ ହାତୀ ଚଳପ୍ରଚଳ କରୁଥିବା ସରକାରୀ ଭାବେ ଜଣାପଡ଼ିଛି। ବେସରକାରୀ ଭାବେ ୩୨ଟି ହାତୀ ଥିବା ସ୍ଥାନୀୟ ଲୋକେ କହିଛନ୍ତି।

Patrika

ସୂଚନା ଥାଉକି, ନୟାଗଡ଼ର ବିଶାଳ ଜଙ୍ଗଲ ଉପରେ ଜଙ୍ଗଲମାଫିଆ ଓ ଶିକାରୀଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି। ଦୈନିକ ଜଙ୍ଗଲରୁ କାଠ କାଟି ନେଉଥିଲା ବେଳେ ପଶୁ ପକ୍ଷୀ ଶିକାର ବ୍ୟାପକ ମାତ୍ରାରେ ବଢ଼ିଯାଇଛି। ଜଙ୍ଗଲ କ୍ଷୟ ହେବା ଯୋଗୁ ପଶୁପକ୍ଷୀ ଜଙ୍ଗଲ ଛାଡ଼ି ଅନ୍ୟତ୍ର ଚାଲିଯିବା ଦ୍ବାରା ଆଦିବାସୀମାନେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବାରୁ ବଂଚିତ ହୋଇଛନ୍ତି। ଏଭଳି ପରିସ୍ଥିତିରେ ଜଙ୍ଗଲଜନ୍ତୁ ଶିକାର କରିବା ଏବଂ ବେଆଇନ୍ କାଠ କାଟିବା ଉପରେ ବନ ବିଭାଗ ସେମିତି କିଛି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇନାହିଁ। କାଁ ଭାଁ କିଛି ଛୋଟ ମୋଟ କାଠମାଫିଆ ଏବଂ ଶିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଦେଇଛି। ଏବେ ନୟାଗଡ଼ ବନଖଣ୍ତରେ ଥିବା ପାଲଭା, ରଗଡିମଡ଼ା, ଗୋଛା, ପୋଖରୀଗୋଛା ଆଦି ଜଙ୍ଗଲରେ ୨୬ ଗୋଟି ବଣୁଆ ହାତୀପଲ ଘୂରି ବୁଲୁଛନ୍ତି। ହାତୀପଲ ଜଙ୍ଗଲରେ ରହୁଥିବାରୁ ଭୟରେ ଶିକାରୀମାନେ ଜଙ୍ଗଲ ଭିତରକୁ ଯାଇ ପାରୁନାହାନ୍ତି। କାଳେ ହାତୀ ହାବୁଡ଼ରେ ପଡ଼ିବେ, ସେହି ଭୟ ଶିକାରୀଙ୍କୁ ଘାରିଛି। ଆଉ କେତେକ ସ୍ଥାନରେ ରାତିଅଧିଆ ଶିକାରୀମାନେ ଜଙ୍ଗଲରେ ପଶି ଅବାଧରେ ଜନ୍ତୁ ଶିକାର କରୁଛନ୍ତି। ଜନ୍ତୁ ଶିକାର କରିବାକୁ ଯାଇ ହାତୀମାନଙ୍କୁ ଶିକାର କରିବାକୁ ଶିକାରୀମାନେ ଯୋଜନା କରୁଥିବା ଶୁଣିବାକୁ ମିଳୁଛି।

samachardoot.com

ବର୍ତ୍ତମାନ ସୁଦ୍ଧା ନୟାଗଡ଼ ବନଖଣ୍ତର ପଞ୍ଚରିଡ଼ା ବନାଞ୍ଚଳ ଅଧୀନରେ ଥିବା ଗୋଛା ସଂରକ୍ଷିତ ଜଙ୍ଗଲରେ ୪ଟି ହାତୀ ଥିବା ଜଣାପଡ଼ିଛି। ୨ଟି ଛୁଆ ହାତୀ ଥିବା ବେଳେ ୨ଟି ମାଈ ହାତୀ ଥିବା ବନାଞ୍ଚଳ ଅଧିକାରୀ କହିଛନ୍ତି। ସେ କହିଛନ୍ତି ହାତୀମାନେ ପ୍ରତିଦିନ ଏହି ଜଙ୍ଗଲ ଦେଇ ଯାତାୟାତ କରୁଛନ୍ତି। ତେବେ ଏହି ହାତୀପଲ କେଉଁଠୁ ଆସିଛନ୍ତି, କେତେଦିନ ଧରି ଜଙ୍ଗଲରେ ଅବସ୍ଥାନ କଲେଣି ସେସବୁର ଉତ୍ତର ତାଙ୍କ ପାଖରେ ନାହିଁ। ସେହିପରି ଓଡ଼ଗାଁ ବନାଞ୍ଚଳର ଗୋଛା ଜଙ୍ଗଲରେ ୮ଟି ହାତୀ ଥିବା ବନାଞ୍ଚଳ ଅଧିକାରୀ ରବିନାରାୟଣ ପଣ୍ତା ସୂଚନା ଦେଇଛନ୍ତି। ସେ କହିଛନ୍ତି ୮ଟି ହାତୀରୁ ୩ଟି ଛୁଆ ହାତୀ, ୪ଟି ମାଈ ହାତୀ ଏବଂ ଗୋଟିଏ ଦନ୍ତା ହାତୀ ଅଛନ୍ତି। ମହୀପୁର ବନାଞ୍ଚଳ ଅଧୀନରେ ଥିବା ପାଲଭା ଏବଂ ରଗଡିମଡା ସଂରକ୍ଷିତ ଜଙ୍ଗଲରେ ୬ଟି ହାତୀ ଥିବା ଜଣାପଡ଼ିଛି। ସେଥିମଧ୍ୟରୁ ୨ଟି ଛୁଆ ହାତୀ, ୨ ଟି ମା’ ହାତୀ ଏବଂ ୨ଟି ଦନ୍ତା ହାତୀ ଅଛନ୍ତି। ଦଶପଲ୍ଲା ବନାଂଚଳ ଅଧୀନରେ ପୋଖରୀଗୋଛା ସଂରକ୍ଷିତ ଜଙ୍ଗଲରେ ୮ଟି ହାତୀ ଥିବାର ସୂଚନା ରହିଛି। ସେଥିମଧ୍ୟରୁ ୪ଟି ମାଈ ହାତୀ, ୩ଟି ଛୁଆ ଏବଂ ଗୋଟିଏ ଦନ୍ତା ହାତୀ ଅଛନ୍ତି। ତେବେ ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ୩୨ଟି ହାତୀ ଥିବା ସ୍ଥାନୀୟ ଲୋକେ କହିଛନ୍ତି। ହାତୀପଲ କ୍ଷେତରେ ପଶି ଧାନ ଫସଲ ନଷ୍ଟ କରିବା ସହିତ ମକା, କଦଳୀ, ନଡ଼ିଆ ଆଦି ଫସଲ ନଷ୍ଟ କରୁଛନ୍ତି। ବନ ବିଭାଗ ପକ୍ଷରୁ ଚାଷୀମାନଙ୍କୁ କ୍ଷତିପୂରଣ ବାବଦକୁ ଅର୍ଥ ଦିଆଯାଉଥିଲେ ମଧ୍ୟ ସମୁଦ୍ରକୁ ଶଙ୍ଖେ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ହାତୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ଶିକାରୀମାନଙ୍କୁ ରୋକ୍ ଲଗାଇବାକୁ ପରିବେଶବିତ୍‌ମାନେ ମତପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର