ସନ୍ଦେହ ଘେରରେ ନୟାଗଡ଼ ଜିଲ୍ଲାରେ ଥିବା ସବ୍ ଜେଲ୍ ଗୁଡ଼ିକର ସୁରକ୍ଷା ବ୍ୟବସ୍ଥା : ଜେଲ୍ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଘଟୁଛି ଅଘଟଣ, କଏଦୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି

ଖଣ୍ଡପଡ଼ା : ନୟାଗଡ଼ ଜିଲ୍ଲାରେ ଥିବା ଉପ କାରାଗର(ସବ୍ ଜେଲ୍) ଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଜିଲ୍ଲାରେ ଦୁଇ ଦିନରେ ଦୁଇ କଏଦୀ ଚମ୍ପଟ ମାରିବା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ନୟାଗଡ଼ ସବ୍ ଜେଲରୁ କଏଦୀ ଫେରାର ହୋଇଯିବା ଜେଲ୍ କର୍ତ୍ତୃପକ୍ଷଙ୍କ କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ଉଠାଇଛି। ଜିଲ୍ଲାରେ ବାରମ୍ବାର ଏଭଳି କଏଦୀ ଫେରାର ହେବା ଘଟଣା ଜେଲ୍ କର୍ତ୍ତୃପକ୍ଷ ଓ ଅପରାଧୀଙ୍କ ମଧ୍ୟରେ ସଲାସୁତରାରେ ଚାଲିଛି ବୋଲି ସନ୍ଦେହ ଘନୀଭୂତ ହେବାରେ ଲାଗିଛି।

ଖଣ୍ଡପଡ଼ା ଉପକାରାଗାରରେ ବିଚାରାଧୀନ ଜନୈକ କଏଦୀ ପୁଣି ଦ୍ବିତୀୟ ଥର ପାଇଁ ପାଚେରି ଡେଇଁ ଫେରାର୍ ହେବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏପରିକି ଏହି ଘଟଣା ପାଇଁ ଅଞ୍ଚଳବାସୀ ଜେଲ୍ କର୍ତ୍ତୃପକ୍ଷ ତଥା ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କୁ ଦାୟୀ କରିଛନ୍ତି ଏବଂ ଜେଲ୍ ପରିସରରେ ବାରମ୍ବାର ଏହିଭଳି ଅନେକ ଅଘଟଣ ଘଟୁଥିଲେ ମଧ୍ୟ ଜିଲ୍ଲା କର୍ତ୍ତୃପକ୍ଷ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ଏହାର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପ୍ରକାଶ ଥାଉକି, ଫତେଗଡ଼ ଥାନା ଅନ୍ତର୍ଗତ କରବର ଗ୍ରାମ ହାଡ଼ୁଆ ସାହି ଅରକ୍ଷିତ ରାଉତଙ୍କ ପୁଅ ତପନ କୁମାର ରାଉତ(୨୬) ଗତ ଜୁନ୍ ମାସ ୯ ତାରିଖରେ ବଳାତ୍କାର ଉଦ୍ୟମ ଅଭିଯୋଗରେ ଖଣ୍ଡପଡ଼ା କୋର୍ଟ ଚାଲାଣ ହୋଇଥିଲା ଏବଂ ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତ ଖଣ୍ଡପଡ଼ା ସବ୍‌ଜେଲ୍‌କୁ ପଠାଇ ଦିଆଯାଇଥିଲା। କିନ୍ତୁ ୧୦ ତାରିଖ ସକାଳେ ତପନ ଜଳଖିଆ ଖାଇ ସାରି ମଧ୍ୟାହ୍ନ ଭୋଜନ ସମୟରେ ବାହାରକୁ ଆସିଥିବା ବେଳେ ଖାଇବାକୁ ଆସିବାର ସୁଯୋଗ ନେଇ ନିଜ ଗାମୁଛା ଓ ଗୋଟେ ବଡ଼ ପଥରର ସାହାର ନେଇ ୯ ଫୁଟର ପାଚେରି ଡେଇଁ ଫେରାର୍ ହୋଇଯାଇଥିଲା। ଜେଲ୍ କର୍ତ୍ତୃପକ୍ଷଙ୍କ ଅଭିଯୋଗ କ୍ରମେ ଖଣ୍ଡପଡ଼ା ପୁଲିସ କଏଦୀକୁ ଧରିବା ପାଇଁ ଜାଲ ବିଛାଇ ୧୧ ତାରିଖ ଦିନ ଅଭିଯୁକ୍ତ ତପନର ଘର ଉପରେ ଚଢ଼ଉ କରି ତାକୁ ଧରିବାକୁ ସକ୍ଷମ ହୋଇଥିଲା। ତେବେ ପୁଣି ଗିରଫ ହୋଇ ଜେଲ୍ ଯାଇଥିଲେ ମଧ୍ୟ ଗତକାଲି ପୁଣି ସକାଳ ୧୧ଟାରେ ସେହି ସମାନ ଉପାୟରେ ଜେଲ୍ ପଛପଟେ ଥିବା ଘାସବଣରେ ସମାନ ଉପାୟରେ ଖସିଯିବାକୁ ସକ୍ଷମ ହୋଇଛି, ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି କଡ଼ା ସୁରକ୍ଷା ମଧ୍ୟରେ ଥିବା କଏଦୀ ବାରମ୍ବାର ଫେରାର୍ ହେବା ଯୋଗୁ ଅଭିଯୋଗକାରୀ ଓ ତାର ପରିବାର ଲୋକଙ୍କ ଜୀବନ ପ୍ରତି ବିପଦ ରହିଥିବା ଅଭିଯୋଗ ଆଣିଛନ୍ତି।

ସବୁଠାରୁ ବଡ଼ କଥା ହେଉଛି ପ୍ରଥମ ଥର ପାଇଁ କଏଦୀ ଫେରାର୍ ହେବା ଘଟଣାକୁ ମାତ୍ର ୨୦ ଦିନ ପୂରି ନ ଥିବା ବେଳେ ପୁନର୍ବାର ଦ୍ବିତୀୟ ଥର ପାଇଁ ଫେରାର୍ ହେବା ପରେ ଜେଲ୍ ଦାୟିତ୍ବରେ ଥିବା ଅଧିକାରୀଙ୍କ କାର୍ଯ୍ୟକଳାପ ଉପରେ ସନ୍ଦେହ ପ୍ରକାଶ ପାଇଛି। ତେବେ ପ୍ରଶ୍ନ ଉଠୁଛି କି କିଛି ଦିନ ତଳେ ଜେଲ୍ ପରିସରରେ ଥିବା ଏକ ଗଛରେ ଜଣେ ବିଚାରାଧୀନ କଏଦୀ ଆତ୍ମହତ୍ୟା କରିବା ଓ ଜଣେ କଏଦୀ ବାରମ୍ବାର ଫେରାର୍ ହେବା ଘଟଣା ପରେ ମଧ୍ୟ ଜିଲ୍ଲା ପ୍ରଶାସନ କିଛି ଆଖିଦୃଶିଆ ପଦକ୍ଷେପ ନେଉ ନ ଥିବାରୁ ଜେଲ୍‌ରେ ରହୁଥିବା କଏଦୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କିଛି ଦିନ ତଳେ ବିଚାରାଧୀନ କଏଦୀମାନଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ନେଇ ଅଭିଯୋଗ କରି ଧାରଣା ଦେବା ସହ ଜେଲ୍ ପରିସରରେ ବିଭିନ୍ନ ନିଶାଦ୍ରବ୍ୟ ବ୍ୟବହାର କରାଯାଉଥିବା ନେଇ ଅଭିଯୋଗ ଆଣିଥିଲେ। ଖଣ୍ଡପଡ଼ା ସବ୍‌ଜେଲ୍ ଭିତରେ ଅନେକ କିଛି ଅବ୍ୟବସ୍ଥା ଓ ଅଘଟଣ ଘଟୁଥିଲେ ମଧ୍ୟ ଜିଲ୍ଲା କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ତେଣୁ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଦୃଢ଼ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର