ବିପଦରେ ନବୀନଙ୍କ ପ୍ରିୟ ‘ଓଲି’ : ମୁହାଣରେ ପ୍ରତିଦିନ ଭାସୁଛନ୍ତି ଶହ ଶହ ମଲା ଅଲିଭ୍ ରିଡ୍‌ଲେ

ମନ୍ତ୍ରୀ ବିକ୍ରମ ଆରୁଖଙ୍କ ଆଖିରେ ପଡ଼ୁନି

ଭୁବନେଶ୍ବର : ୨୦୧୭ରେ ଶେଷ ମୁହୂର୍ତରେ ଏସୀୟ ଦୌଡକୁଦ ପ୍ରତିଯୋଗିତା ଆୟୋଜନ ଦାୟିତ୍ବ ଓଡ଼ିଶା ନେଲା। ଏହି ଖେଳ ଆୟୋଜନର ସଫଳତା ମନେ ରଖିବା ଭଳି। ଏ ନେଇ ବିଶ୍ବର କୋଣ ଅନୁକୋଣରୁ ଖେଳ ପ୍ରେମୀଙ୍କ ଠାରୁ ଅଜସ୍ର ପ୍ରଶଂସା ଗୋଟାଇଥିଲା ଓଡ଼ିଶା। ସବୁଠାରୁ ବଡ଼ କଥା ହେଲା,ଏତେ ବଡ଼ ବିଶ୍ବସ୍ତରୀୟ ଖେଳର ମାସ୍କଟ ଭାବେ ସରକାର ଯାହାକୁ ବାଛିଲେ, ତାହା ବିଶ୍ବର ସବୁ ସ୍ତରକୁ ଛୁଇଁଲା, ‘ଓଲି’। ବିରଳ ଅଲିଭ୍ ରିଡ୍‌ଲେକୁ ସରକାର ମାସ୍କଟ ଭାବେ ବାଛି ଓଡ଼ିଶା ବୁଲାଇଲେ। ଘୋଷଣା କରାଯାଇଛି ଯେ ଓଡ଼ିଶାରେ ଯେତେ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ହେଉଛି ବା ହେବ, ସବୁଥିରେ ‘ଓଲି’ ହିଁ ମାସ୍କଟ ଭାବେ ବ୍ୟବହାର ହେବ।

କିନ୍ତୁ ଉଦ୍‌ବେଗ ବିଷୟ ହେଉଛି ଯେ ଯାହାକୁ ସରକାର ଓଡ଼ିଶାର ଖେଳ ଆଇକନ୍ ଭାବେ ବାଛିଲେ ସେ ଏବେ ଅସୁରକ୍ଷିତ ହୋଇପଡିଛି। ଏମିତି ଯେ ଋଷିକୂଲ୍ୟା ହେଉ କି ଗହୀରମଥା କିମ୍ବା ଦେବୀ ମୁୁହାଣ, କେଉଁଠି ବି ଏହି ବିରଳ ପ୍ରଜାତି ସୁରକ୍ଷିତ ନୁହେଁ। ପ୍ରତିଦିନ ଶହ ଶହ ଅଲିଭ୍ ରିଡ୍‌ଲେ ମରି ପଡୁଛନ୍ତି।

ପ୍ରଶ୍ନ ଉଠୁଛି, ରାଜ୍ୟ ସରକାରଙ୍କ ମାସ୍କଟକୁ ଯଦି ବନ ବିଭାଗ ସୁରକ୍ଷା ଦେଇପାରୁନି, ତେବେ ଆଉ କାହାକୁ ଦେବ? ଦେଶର ବିରଳ ପ୍ରଜାତିର ପ୍ରାଣୀଙ୍କ ପାଇଁ ଉଦ୍ଦିଷ୍ଟ ଆଇନ୍ ଯଦି କାର୍ଯ୍ୟାନ୍ବୟନ ବେଳେ ତ୍ରୁଟି ରହୁଛି ବା ବାବୁମାନେ ଅଣଦେଖା କରୁଛନ୍ତି, ତେବେ ଆଉ କେଉଁ କ୍ଷେତ୍ରରେ ସରକାରୀ ନିୟମ କାନୁନ ପ୍ରଣୟନ ହେବ? ଯଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଲ ପାଉଥିବା ଅଲିଭ୍‌ ରିଡ୍‌ଲେ ପ୍ରତି ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଆନ୍ତରିକତା ଏମିତି, ତେବେ ଅନ୍ୟ ପ୍ରାଣୀଙ୍କ କଥା କିଏ କହିବ?

ଆମେରିକାର କୋଷ୍ଟାରିକା ପରେ ଓଡ଼ିଶା ହେଉଛି ବିଶ୍ବରେ ଦ୍ବିତୀୟ ରାଜ୍ୟ, ଯେଉଁଠିକୁ ଅଲିଭ୍ ରିଡ୍‌ଲେ ଅଣ୍ଡାଦାନ ପାଇଁ ଏତେ ସଂଖ୍ୟାରେ ଆସିଥାନ୍ତି। ଏମାନଙ୍କ ଆଗମନ ବିଶେଷକରି ଗହୀରମଥା ଓ ଦେବୀ ମୁହାଣକୁ ହୋଇଥାଏ। ଯଦିଓ ଏମାନଙ୍କ ସଂଖ୍ୟା ୭ଲକ୍ଷ ବା ତା ଠାରୁ ଅଧିକ ବୋଲି କୁହାଯାଏ, କିନ୍ତୁ ବିଶେଷଜ୍ଞମାନେ ଏହାକୁ ପାଞ୍ଚ ଲକ୍ଷ ପାଖାପାଖି ବୋଲି କହନ୍ତି।

ଅଲିଭ୍ ରିଡ୍‌ଲେ ସୁରକ୍ଷା ପାଇଁ ୨୦୦୪ରୁ ନିର୍ଦେଶନାମା ଜାରି ହୋଇଛି। ସରକାରୀ ଫାଇଲ ଦେଖିଲେ ଏହି ସଂଖ୍ୟା ଶହେ ଟପିପାରେ। ହେଲେ ସରକାରୀ ପଦକ୍ଷେପ ସେହିଭଳି ହେଉନାହିଁ, ଚିଠି ଲେଖିବା ବେଳେ ବାବୁମାନେ ଯେମିତି ତତ୍ପରତା ଦେଖାଉଛନ୍ତି। ହେବ ବି କେମିତି? ପାଟ୍ରୋଲିଂ ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଇପାରୁନାହିଁ। କେଉଁଠାରେ ଭଡ଼ାରେ ବୋଟ୍ ଆସୁଛି, କେଉଁଠି ଆଦୌ ନାହିଁ। ସରକାର ବୋଟ୍ ବି ଦେବେନି?

ବୋଟ୍‌ରେ ଟିଇଡି ବା ଟର୍ଟଲ ଏକ୍ସ୍ଲୁଡ୍ ଡିଭାଇସେସ୍ (ବୋଟ୍‌ରୁ କଇଁଛକୁ ଅଲଗା କରିବା ପାଇଁ ଏକ ଉପକରଣ) ଲଗାଇବା ବାଧ୍ୟତାମୂଳକ କରାଯାଇଛି। ହେଲେ ଏହା କେବଳ କାଗଜ କଲମରେ। ଶହ ଶହ ବୋଟ୍ ମାଛଧରାରେ ଲାଗିଛନ୍ତି, ଏମାନଙ୍କ ମଧ୍ୟରୁ ୯୦ରୁ ଅଧିକ ପ୍ରତିଶତ ଏହା ବ୍ୟବହାର କରନ୍ତି ନାହିଁ କି ବ୍ୟବହାର ହେଉଛି କି ନାହିଁ, ତାହା କେହି ଦେଖନ୍ତି ନାହିଁ। ନିଷିଦ୍ଧ ଅଞ୍ଚଳରେ ମାଛଧରିବା କାରଣରୁ ଯେଉଁମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଏ, ସେମାନେ କେଇ ଘଣ୍ଟା ଭିତରେ ମୁକୁଳି ଯାଆନ୍ତି ଓ କିଛି ଦିନ ମଧ୍ୟରେ ବୋଟ୍ ବି ଛାଡି ଦିଆଯାଏ। ଏମିତି ବ୍ୟବସ୍ଥାକୁ କିଏ କାହିଁକି ଡରିବ?

ପରିବେଶବିତ୍ ବିଶ୍ବଜିତ ମହାନ୍ତିଙ୍କର କହିବା କଥା ହେଉଛି, ପ୍ରତିବର୍ଷ ଓଡ଼ିଶା ଉପକୂଳରେ ୫ହଜାରରୁ ଅଧିକ କଇଁଛଙ୍କ ମୃତ୍ୟୁ ଘଟୁଛି। ଖାସ୍ ଏହି କାରଣରୁ ଏବେ ଦେବୀ ମୁହାଣକୁ କଇଁଛ ଆସିବା ସଂଖ୍ୟା କମିବାରେ ଲାଗିଲାଣି। ଓଡ଼ିଶା େହଉଛି, ଭାରତର ଏକମାତ୍ର ରାଜ୍ୟ, ଯେଉଁ ଉପକୂଳକୁ କଇଁଛ ଆସିଥାନ୍ତି। କେତେ ପୁରୁଷ ଓ ମାଈ କଇଁଛ ଆସନ୍ତି, ତାହା ଏଯାଏ ହିସାବ କରାଯାଇନାହିଁ। ହେଲେ ଉଦ୍‌ବେଗର ବିଷୟ ହେଲା, କଇଁଛ ସୁରକ୍ଷା ପ୍ରତି ସରକାରଙ୍କ ଧ୍ୟାନ ହିଁ ନାହିଁ।

ବିଶେଷଜ୍ଞମାନେ କହୁଛନ୍ତି ଯେ ତଳସ୍ତରରେ ଅଧିକାରୀମାନେ ଦୋଷ ବା ଦାୟିତ୍ବ ନେବାକୁ ନାରାଜ। ନିକଟରେ ପାରାଦୀପ ଅଞ୍ଚଳରେ ଶହ ଶହ କଇଁଛ ମରି ପଡିଲେ। ଅଧିକାରୀମାେନ ଗଣମାଧ୍ୟମରେ କହିଲେ, ଏଠି ମରିନାହାନ୍ତି। ବରଂ ପବନରେ ଭାସି ଆସି ଲାଗିଛନ୍ତି। ସେହିଭଳି ଉପରସ୍ତରରେ କେବଳ ସମୀକ୍ଷାରେ କଇଁଛ ସୁରକ୍ଷା ତନାଘନା େଶଷ। ମୁଖ୍ୟ ସଚିବ ପ୍ରତବର୍ଷ ଅକ୍ଟୋବରରେ ସମୀକ୍ଷା କରନ୍ତି। ସରକାରୀ ନିର୍ଦେଶନାମା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏଥିରୁ କେତେ କାର୍ଯ୍ୟାନ୍ବୟନ ହେଲା, ତା ଉପରେ କାହାର ନଜର ନାହିଁ ବା ନିଜେ ସେ କେବେ ଦେଖନ୍ତି ନାହିଁ।

ସମ୍ବନ୍ଧିତ ଖବର