ପୁରୀ: ପ୍ରକୃତିର ଏକ ବିରଳ ସୃଷ୍ଟି ‘ଅଲିଭ୍‌ ରିଡ୍‌ଲେ’ କଇଁଛ ଓଡ଼ିଶାର ଯେଉଁ କେତୋଟି ହାତଗଣତି ଜିଲ୍ଲାର ସମୁଦ୍ର ଉପକୂଳିଆ ଅଞ୍ଚଳରେ ଦେଖାଯାଆନ୍ତି, ସେ ମଧ୍ୟରୁ ପୁରୀ ଅନ୍ୟତମ। କିନ୍ତୁ ବିଗତ କିଛି ବର୍ଷ ହେବ ଏହି ବିରଳ କଇଁଛ ପୁରୀ ଜିଲ୍ଲାର ବେଳାଭୂମିରୁ ମୁହଁ ଫେରାଇବା ଆରମ୍ଭ କରିଛନ୍ତି। ବିଶେଷ କରି ବାଲୁଖଣ୍ଡରୁ ସାତପଡ଼ା ପର୍ଯ୍ୟନ୍ତ ବେଳାଭୂମିକୁ ଏମାନେ କାଁ ଭାଁ ଆସୁଛନ୍ତି। ଏହାର ପ୍ରମୁଖ କାରଣ ସାଜିଛି ପରିବର୍ତ୍ତିତ ଜଳବାୟୁ ଓ ପ୍ରତିକୂଳ ବେଳାଭୂମି। ବେଳାଭୂମି ଜବରଦଖଲ, ପ୍ରଦୂଷଣର ମାତ୍ରା ବୃଦ୍ଧି ବି ଅନ୍ୟତମ କାରଣ। ଆଇନଗତ ପ୍ରତିବନ୍ଧକ ଥିଲେ ବି ଅଧିକାରୀମାନେ ଏ ଦିଗରେ କଡ଼ା ଆଭିମୁଖ୍ୟ ଗ୍ରହଣ କରୁନାହାନ୍ତି। ଯଦି ଏଭଳି ସ୍ଥିତି ଲାଗି ରହେ ଆଗକୁ ପୁରୀ ବେଳାଭୂମିକୁ ବିରଳ ଅଲିଭ୍‌ ରିଡ୍‌ଲେ କଇଁଛ ଆସିବା ବନ୍ଦ ହୋଇଯିବ ବୋଲି ପରିବେଶବିତ୍‌ମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।

Advertisment

ସେପଟେ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଆଗମନ ଓ ଅଣ୍ଡାଦାନ କ୍ରମାଗତ ହ୍ରାସ ପାଇବାରେ ଲାଗିଥିବାରୁ ଭାରତୀୟ ବନ୍ୟଜୀବ ସଂସ୍ଥାନ ଉଦ୍‌ବେଗ ପ୍ରକାଶ କରିବା ସହ ପୁରୀ ବେଳାଭୂମିରୁ ଏହାର କାରଣ ଖୋଜିବା ଆରମ୍ଭ କରିଛି। ନିକଟରେ ଅନୁଷ୍ଠାନର କିଛି ବ୍ୟକ୍ତି ଆସି ପୁରୀ ବେଳାଭୂମିର ଯେଉଁ ଯେଉଁ ଅଞ୍ଚଳରେ କଇଁଛମାନେ ଅଣ୍ଡାଦାନ କରନ୍ତି, ସେ ଅଞ୍ଚଳର ଅନୁଧ୍ୟାନ ସହ ବେଳାଭୂମିର କେତେଦୂର ସମୁଦ୍ର ଜଳ ଆସୁଛି ଓ କେତେଦୂର ଫେରୁଛି, ତାର ଦୂରତା ମାପଚୁପ କରି ଫେରିଛନ୍ତି। ଆଗକୁ ବି ଆଉ ପ୍ରତିନିଧି ଆସି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି। ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ତଥ୍ୟ ଅନୁଯାୟୀ, ଜିଲ୍ଲାର ଅସ୍ତରଙ୍ଗ, କୋଣାର୍କ, ବାଲୁଖଣ୍ଡ ଓ ବ୍ରହ୍ମଗିରି, ଏହି ଚାରି ବନ୍ୟପ୍ରାଣୀ ବନାଞ୍ଚଳର ୧୩ଟି ସ୍ଥାନରେ ଅଲିଭ୍‌ ରିଡ୍‌ଲେ କଇଁଛ ଅଣ୍ଡାଦାନ କରନ୍ତି। କିନ୍ତୁ ବାଲୁଖଣ୍ଡ ଓ ବ୍ରହ୍ମଗିରି ବନ୍ୟପ୍ରାଣୀ ବନାଞ୍ଚଳରେ ସେଭଳି ବସା ଓ ଅଣ୍ଡାଦାନ ଦେଖିବାକୁ ମିଳୁନି। ୨୦୨୧-୨୨ରେ ବାଲୁଖଣ୍ଡ ବନ୍ୟପ୍ରାଣୀ ବନାଞ୍ଚଳରେ ମାତ୍ର ୧୦୮ଟି ବସା ଓ ବ୍ରହ୍ମଗିରି ବନ୍ୟପ୍ରାଣୀ ବନାଞ୍ଚଳରେ ମାତ୍ର ୬୫ଟି ବସା ଠାବ କରାଯାଇଥିଲା। ୨୦୨୨-୨୩ ବର୍ଷରେ ବି ଏହି ତଥ୍ୟ ଅପରିବର୍ତ୍ତିତ ରହିଛି।

ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୬-୧୭ ମସିହାରେ ୩୦୪୩ଟି ବସାରୁ ୧ଲକ୍ଷ ୨୧ହଜାର ୮୭୪ ଅଣ୍ଡା ସଂଗ୍ରହ କରାଯାଇଥିଲା ଓ ୧ଲକ୍ଷ ୫ହଜାର ୧୪୨ ଛୁଆ ଫୁଟିଥିଲେ। ୨୦୧୭-୧୮ରେ ୧,୬୧୬ ବସାରୁ ୮୪,୧୩୨ ଅଣ୍ଡା ସଂଗ୍ରହ ହୋଇଥିଲା ଓ ୭୨,୩୧୪ ଅଣ୍ଡାରୁ ଛୁଆ ଫୁଟିଥିଲେ। ୨୦୧୮-୧୯ରେ ୮୦୪ ବସାରୁ ୭୫,୨୩୬ ଅଣ୍ଡା ସଂଗ୍ରହ ହୋଇଥିଲା ଓ ୩୦ହଜାର ୯୨୨ ଛୁଆ ଫୁଟିଥିଲେ। ୨୦୧୯-୨୦ରେ ୪୪୪ଟି ବସାରୁ ୪୮,୬୪୬ ଅଣ୍ଡା ସଂଗ୍ରହ କରାଯାଇଥିଲା ଓ ଏଥିରୁ ୧୮ହଜାର ୯୫୩ଟି ଛୁଆ ଫୁଟିଥିଲେ। ୨୦୨୧-୨୨ରେ ୧ହଜାର ୧୩୬ଟି ବସାରୁ ୧ଲକ୍ଷ ୯ହଜାର ୭୭୧ଟି ଅଣ୍ଡା ସଂଗ୍ରହ କରାଯାଇଥିଲା ଓ ଏଥିରୁ ୭୧ହଜାର ୪୯୬ଟି ଛୁଆ ଫୁଟିଥିଲେ। ୨୦୨୨-୨୩ରେ ବି ଏହି ତଥ୍ୟ ସମାନ ରହିଛି। ଏଥିରୁ ସ୍ପଷ୍ଟ ହେଉଛି, ୨୦୧୬-୧୭ ବର୍ଷଠାରୁ କ୍ରମାଗତ ଭାବେ ବସା ସଂଖ୍ୟା ସହ ଅଣ୍ଡାଦାନ ଓ ଛୁଆ ଫୁଟିବା ସଂଖ୍ୟା କମିବାରେ ଲାଗିଛି।

ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷା ଉପରେ କାମ କରୁଥିବା ପ୍ରକୃତିବନ୍ଧୁ ସରୋଜ କୁମାର ଜେନା କହିଛନ୍ତି, ବ୍ରହ୍ମଗିରି ବନ୍ୟପ୍ରାଣୀ ବନାଞ୍ଚଳରେ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଆଗମନ ସଂଖ୍ୟା କମିବାର ମୁଖ୍ୟ କାରଣ ହେଉଛି ଅଧିକ ଡଙ୍ଗା ଚଳାଚଳ। ଏହାଦ୍ବାରା ପାଣିରେ ଯେଉଁ କମ୍ପନ ସୃଷ୍ଟି ହେଉଛି, ତାହା ଭୟରେ ଅଲିଭ୍‌ ରିଡ୍‌ଲେ କଇଁଛ ଏହି ଉପକୂଳକୁ ସୁରକ୍ଷିତ ମଣୁନାହାନ୍ତି। ସେପଟେ ଅତ୍ୟଧିକ ଡିଜେଲ, କିରାସିନି ଚାଳିତ ଡଙ୍ଗା ଚାଲୁଥିବାରୁ ଏହି ତୈଳ ଅଂଶ ବି ଉପକୂଳ ବାଲିରେ ଆସ୍ତରଣ ବସାଇ ଦେଉଛି। ଏହି ଗନ୍ଧରେ ବି ଅଲିଭ୍‌ ରିଡ୍‌ଲେ ବ୍ରହ୍ମଗିରି ଉପକୂଳ ମାଡ଼ୁନାହାନ୍ତି। ବାଲୁଖଣ୍ଡ ଓ କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳରେ ବି ସମାନ ସ୍ଥିତି। ଟ୍ରଲର, ଡଙ୍ଗା ସମୁଦ୍ରର ନିଷିଦ୍ଧାଞ୍ଚଳରେ ଅବାଧ ଚଳପ୍ରଚଳ କରୁଥିବାରୁ କଇଁଛମାନେ କୂଳରେ ପହଞ୍ଚିବା ଆଗରୁ ଆଘାତ ପାଇ ମୃତ୍ୟୁମୁଖରେ ପଡ଼ୁଛନ୍ତି। ମୃତ୍ୟୁର ଅନ୍ୟ ଏକ ପ୍ରମୁଖ କାରଣ ହେଉଛି ରିଂ ଜାଲ। ସମୁଦ୍ରରେ ପଡ଼ିଲେ, ଏହା ଆଖିକୁ ସହଜରେ ଦେଖାଯିବନି। ଅଜାଣତରେ ଏହି ଜାଲରେ ପଡ଼ି ଅଲିଭ୍‌ ରିଡ୍‌ଲେ କଇଁଛ ମରୁଛନ୍ତି। ଏହି କାରଣରୁ ରାମଚଣ୍ଡୀରୁ ନୂଆନଈ ଭିତରେ ସର୍ବାଧିକ କଇଁଛ ମରୁଛନ୍ତି। ସେପଟେ ସାହୁଖଣତିରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ବେଳାଭୂମିରେ ଅବାଧ ଭୋଜିଭାତ ହେଉଛି। ଏହାର ଆବର୍ଜନା ସମୁଦ୍ରରେ ଭାସୁଛି। ଏହା ମଧ୍ୟ ଅଲିଭ୍‌ ରିଡ୍‌ଲେ ନ ଆସିବାର ଅନ୍ୟତମ କାରଣ ବୋଲି ଶ୍ରୀ ଜେନା କହିଛନ୍ତି।