ଅସୁରକ୍ଷିତ ଝୁଲାପୋଲରେ ଜମୁଛି ଲୋକଙ୍କ ଭିଡ଼; ମାନୁନାହାନ୍ତି ସରକାରୀ କଟକଣା, ବନ୍ଦ ଘୋଷଣା କରି ଚୁପ ପ୍ରଶାସନ

ରାୟଗଡା: ରାୟଗଡ଼ା ନିକଟରେ ବୋହିଯାଉଛି ନାଗାବଳୀ ନଦୀ। ଏହି ନଦୀ ଉପରେ ଗତ ୨୦୧୧ ମସିହା ବେଳକୁ ବିଆରଜିଏଫ ଫଣ୍ଡରୁ ପ୍ରାୟ ଦେଢ କୋଟି ଟଂକାରେ ଏକ ଝୁଲାପୋଲ ନିର୍ମାଣ କରାଯାଇଥିଲା। ଏହି ଝୁଲାପୋଲ ନଦୀ ଆରପାର୍ଶ୍ବରେ ରହିଥିବା ପ୍ରାୟ ୨୫ରୁ ଊର୍ଦ୍ଧ୍ବ ଗ୍ରାମର ସଂଯୋଗର ମାଧ୍ୟମ ଥିଲା।ଏହି ଝୁଲାପୋଲ ଏବେ ଅସୁରକ୍ଷିତ ହେବା ଯୋଗୁଁ ପ୍ରଶାସନ ତରଫରୁ ଏହାକୁ ବନ୍ଦ କରାଯିବା ସହ ଏହି ଅଂଚଳ ନିଷିଦ୍ଧାଞ୍ଚଳ ବୋଲି ଘୋଷଣା କରାଗଲା।ନିୟମିତ ରକ୍ଷଣାବେକ୍ଷଣନହେବାରୁ ଏହା ଧିରେ ଧିରେ ଦୁର୍ବଳ ହୋଇପଡିଲା। ଏପରିକି ପ୍ରତିବର୍ଷ ଏହି ଝୁଲାପୋଲରେ ସେଲଫି ଉଠାଉଥିବା ପର୍ଯ୍ୟଟକମାନଙ୍କ ମଧ୍ୟରୁ ଜଣେ ଦୁଇ ଜଣ ନାଗାବଳୀ ନଦୀରେ ପଡି ମୃତ୍ୟୁବରଣ କରୁଥିଲେ।

ସ୍ଥାନୀୟ ଲୋକଙ୍କ କହିବା ହେଲା ଏହି ନଦୀରେ କରେଣ୍ଟ ଥିବାରୁ ଲୋକଙ୍କୁ ଟାଣି ନେଉଛି। ତେଣୁ ପ୍ରାୟତଃ ପ୍ରତିବର୍ଷ ଦୁର୍ଘଟଣା ହେଉଥିଲା। ଗତ ୬ ମାସରୁ ଊର୍ଦ୍ଧ୍ବ ସମୟ ହେଲା ଏହି ଝୁଲାପୋଲକୁ ବନ୍ଦ କରିଦିଆଯାଇଛି। ସରକାରୀ କଟକଣାକୁ ନମାନି ଲୋକେ ଏହି ଝୁଲାପୋଲ ଉପରେ ଯିବା ଆସିବା କରୁଛନ୍ତି।ଏପରିକି ସ୍ଥାନୀୟ ଲୋକେ ମଧ୍ୟ ପ୍ରତିଦିନ ଝୁଲାପୋଲ ଦେଇ ରାୟଗଡା ଯାଉଛନ୍ତି। ପୋଲ ଅସୁରକ୍ଷିତ ଜାଣି ମଧ୍ୟ ଲୋକେ ପୋଲ ନିକଟରେ ସେଲଫି ନେଉଛନ୍ତି। ଏବେ ମା’ମାଝିଘରିଆଣୀଙ୍କ ଚୈତ୍ର ଯାତ୍ରା ରହିଥିବାରୁ ରାୟଗଡାରେ ଲୋକଙ୍କ ଭିଡ ଜମୁଛି। ମା‘ଙ୍କ ଦର୍ଶନ କରିବା ପରେ ଲୋକେ ଝୁଲାପୋଲ ଦେଖିବାକୁ ଯାଉଛନ୍ତି। ଏଠାରେ ପ୍ରାୟତଃ ପ୍ରତିଦିନ ଭିଡ ଜମୁଥିବାରୁ ପ୍ରଶାସନ ତରଫରୁ ସ୍ଠାୟୀ ଗଟକଣା କରିବା ଉଚିତ। ନଚେତ ଦୁର୍ଘଟଣା ଘଟିବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ।

ପ୍ରକାଶ ଥାଉକି ଝୁଲାପୋଲ ଦୁଇ କଡରେ ଲୁହା ରୋଡ ବାନ୍ଧି ବନ୍ଦ କରିଦିଆଯାଇଛି। ଏଠାରେ ଅସାମାଜିକ ବ୍ୟକ୍ତିଙ୍କ ଅଡ୍ଡାସ୍ଥଳୀ ମଧ୍ୟ ପାଲଟିଛି। ଲୋକେ ଲୁହାରଡକୁ ଭାଙ୍ଗି ଯିବା ଆସିବା କରୁଛନ୍ତି। ମାରିଗୁଡା ଅଂଚଳର ଜଣେ ବୃଦ୍ଧା ମହିଳା ପୋଲ ପାର କରୁଥିବା ବେଳେ ଆମେ ତାଂକୁ କାହିଁକି ଏହି ରାସ୍ତା ବ୍ୟବହାର କରୁଛନ୍ତି ବୋଲି ପଚାରିଥିଲୁ। ସେ ଏହି ରାସ୍ତା କମ୍ ପଡୁଥିବାରୁ ଯିବା ଆସିବା କରୁଛୁ।

ତେବେ ବନ୍ଦ ଥିବା ସତ୍ବେ ମଧ୍ୟ ବୃଦ୍ଧା ମହିଳା ଲୁହା ରୋଡ ଉପରେ ଚଢି ଯିବା ଆସିବା କରୁଥିବା ଦେଖିବାକୁ ମିଳିଥିଲା। ପ୍ରତି ରବିବାର ହେଲେ ଏଠାରେ ଭୋଜିର ଆସର ଜମେ। ଜିଲ୍ଲା ତଥା ଜିଲ୍ଲା ବାହାରୁ ଏବଂ ପଡୋଶୀ ଆନ୍ଧ୍ରରୁ ବହୁ ଲୋକ ଏଠାକୁ ବୁଲିବାକୁ ଏବେ ବି ଆସୁଛନ୍ତି। ଝୁଲାପୋଲ ଏବେ ସଂପୂର୍ଣ୍ଣ ଅସୁରକ୍ଷିତ। ବିଭିନ୍ନ ସ୍ଥାନରେ ନୋଟଗୁଡିକ ଖସିପଡିଲାଣି ଏବଂ ଭଙ୍ଗା ଅବସ୍ଥାରେ ରହିଛି। କୌଣସି ମୁହର୍ତ୍ତରେ ପୋଲ ଭୁସୁଡିବାର ସମ୍ଭାବନା ରହିଛି।ପ୍ରଶାସନ ତରଫରୁ ଏଠାରେ ନିଷିଦ୍ଧ ଫଳକ ମଧ୍ୟ ଲଗାଯାଇଛି ସତ କିନ୍ତୁ ଲୋକେ ଏହାକୁ ଭୃକ୍ଷେପ ନକରି ପୋଲ ଉପରେ ଯିବା ଆସିବ ସହ ସେଲଫି ଉଠାଉଛନ୍ତି। ପ୍ରଶାସନ ନିଜର ଦାୟୀତ୍ବ ସାରିଦେଇଛି ବୋଲି ଭାବି ଏଠାରେ କୌଣସି ସୁରକ୍ଷାର ବ୍ୟବସ୍ଥା କରିନାହିଁ। ଏପରିକି ପୁଲିସ ତରଫରୁ ମଧ୍ୟ ଏଠାରେ କଡାକଡି ସୁରକ୍ଷା କରାଯାଉ ନାହିଁ। ଘାଟି ଉପରେ ଥିବା ପ୍ରାୟ ୨୫ରୁ ଊର୍ଦ୍ଧ୍ବ ଗ୍ରାମର ଲୋକେ ପନିପରିବା, ଆତ ଇତ୍ୟାଦି ରାୟଗଡାକୁ ଏହି ପୋଲ ଦେଇ ଯିବା ଆସିବା କରିଥାନ୍ତି।

ଏହି ପୋଲ ହେବା ପରେ ସେମାନଙ୍କୁ ପ୍ରାୟ ୫ କିଲୋମିଟର ଦୂରତା କମିଥିବା କହିଥିଲେ।ପୋଲ ଖରାପ ହେବାରୁ ଆମକୁ ପୁଣି ୫ କିଲୋମିଟର ଦେଇ ଯିବା ଆସିବା କରିବାକୁ ପଡୁଥିବା କହିଥିଲେ। ତେବେ ଏଠାର ମନରୋମ ଦୃଶ୍ୟ ଲୋକଙ୍କୁ ଆକୃଷ୍ଟ କରୁଛି।ତେଣୁ ଲୋକେ ନିଷିଦ୍ଧାଞ୍ଚଳ ହେବା ସତ୍ବେ ଏଠାକୁ ଆସି ବୁଲିବା ସହ ଫଟୋ ଉଠାଇ ଫେରୁଛନ୍ତି। ତେବେ ତୁରନ୍ତ ଏହି ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ଲୋକଙ୍କୁ ପୋଲ ମଧ୍ୟକୁ ନଛା଼ଡିବାକୁ ଚେତାବନୀ ଦେବା ସହ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବି ହୋଇଛି। ଏ ସଂପର୍କରେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ମଧ୍ୟ ଡିଏମଏଫ ଫଣ୍ଡରୁ ୪୦ ଲକ୍ଷ ଟଂକା ପ୍ରଦାନ କରାଯାଇଥିବା କହିଥିଲେ। ଏହା ଅସୁରକ୍ଷିତ ହେବା ସତ୍ର୍ବେ ଲୋକେ ଯିବା ଆସିବା କରୁଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। କୌଣସି ମୁହର୍ତ୍ତରେ କିଛି ବି ଘଟିବାର ସମ୍ଭାବନା ରହିଥିବାରୁ ତୁରନ୍ତ ଏହାକୁ ମରାମତି ଅଥବା ନଷ୍ଟ କରାଯିବା ଉଚିତ ବୋଲି କହିଥିଲେ।

ସମ୍ବନ୍ଧିତ ଖବର