ଅସୁରକ୍ଷିତ ଶାଳିଆ ଡ୍ୟାମ୍‌!

ରକ୍ଷଣାବେକ୍ଷଣ ଓ ମରାମତି ହେଉନି, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଜଳସେଚନ ବିଭାଗ

ଖୋର୍ଦ୍ଧା : ଖୋର୍ଦ୍ଧା-ଗଞ୍ଜାମ ସୀମାନ୍ତରେ ଥିବା ଶାଳିଆ ଡ୍ୟାମ୍‌କୁ ୬୦ ବର୍ଷ ହେଲାଣି। ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ଡ୍ୟାମ୍‌ ଏବେ ଅସୁରକ୍ଷିତ। ଡ୍ୟାମ୍‌ ଭିତରେ ମାଟି ଜମା ହୋଇ ଉଚ୍ଚତା ଠାରୁ ଅଧିକ ଜଳ ରହିବା, ସ୍ପିଲ୍ଓ୍ବେ ଓ ପାଇପ୍‌ରେ ଫାଟ ଏବଂ କେନାଲ୍‌ର ଅନେକ ସ୍ଥାନରେ ବନ୍ଧ ଦୁର୍ବଳ ହେବାରୁ କୌଣସି ସମୟରେ ଅଘଟଣ ଆଶଙ୍କା ରହିଛି। ୨୦୧୯ରେ ଜଳସେଚନ ବିଭାଗର ଏକ ଟିମ୍ ଶାଳିଆ ଡ୍ୟାମ୍‌ର ସୁରକ୍ଷା ଯାଞ୍ଚ କରି ରାଜ୍ୟ ସରକାରଙ୍କୁ ଏକ ରିପୋର୍ଟ ଦେଇଥିଲେ। ନିକଟରେ ଭୁବନେଶ୍ବର କେନ୍ଦ୍ରୀୟ ଜଳସେଚନ ସର୍କଲ୍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଶାଳିଆ ଡ୍ୟାମ୍‌ର ୧୪ଟି ମାଇନର୍‌ ଓ ସବ୍-ମାଇନର୍‌ କେନାଲ୍‌ର ଯୁଦ୍ଧକାଳୀନ ଭିତ୍ତିରେ ମରାମତି ପାଇଁ ଅନୁରୋଧ କରିଥିବା ଜଣାପଡ଼ିଛି।

ଖୋର୍ଦ୍ଧା-ଗଂଜାମ ସୀମାନ୍ତରେ ବାଣପୁର ଠାରେ ଥିବା ଶାଳିଆ ଡ୍ୟାମ୍ ୧୯୬୨ରେ ନିର୍ମାଣ ଆରମ୍ଭ ହୋଇ ୧୯୭୨ରେ କାର୍ଯ୍ୟକ୍ଷମ ହୋଇଥିଲା। ୪୨୩.୬୭ ମିଟର ଦୀର୍ଘ ଏହି ଡ୍ୟାମର ଉଚ୍ଚତା ୩୨.୯୧ ମିଟର। ୧୯.୭୫୧ କିଲୋମିଟର ଲମ୍ବା ବାଣପୁର କେନାଲ୍ ବ୍ୟବସ୍ଥା ଦ୍ବାରା ଖୋର୍ଦ୍ଧା ଜିଲ୍ଲାର ୬୮୧୫ ହେକ୍ଟର ଓ ୨୩.୧୧୦ କିଲୋମିଟର ଦୀର୍ଘ ସୁମଣ୍ତଳ କେନାଲ୍ ବ୍ୟବସ୍ଥା ଦ୍ବାରା ଗଂଜାମ ଜିଲ୍ଲାର ୨୮୦୦ ହେକ୍ଟର ଚାଷ ଜମିକୁ ପାଣି ଯୋଗାଇ ଦିଆଯାଉଛି। ଏହାର ମୋଟ ହାରାହାରି କ୍ଷମତା ୬୦ ମେଗାମିଟର। ଯଦିଓ ଗତ ୯ ବର୍ଷ ମଧ୍ୟରେ ଶାଳିଆ ଡ୍ୟାମ୍‌ ଜଳପତ୍ତନ ବୃଦ୍ଧି ପାଇ ବଡ଼ ଧରଣର ବନ୍ୟା ଆସିନାହିଁ। କିନ୍ତୁ ବର୍ତ୍ତମାନ ଶାଳିଆ ଡ୍ୟାମ୍‌ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଡ୍ୟାମ୍‌ର ଉପରମୁଣ୍ତରେ ଜଙ୍ଗଲ କ୍ଷୟ ଓ ସ୍ଥାନୀୟ ଲୋକଙ୍କ ଅସାବଧନତାରୁ ଏହି ସମସ୍ୟା ଆହୁରି ବୃଦ୍ଧି ପାଇଛି। ନିକଟରେ ଭୁବନେଶ୍ବର କେନ୍ଦ୍ରୀୟ ଜଳସେଚନ ସର୍କଲ୍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅଶ୍ବିନୀ ମାଇନର, ଅଙ୍କୁଲା ମାଇନର, ମଙ୍ଗଳପୁର ମାଇନର–୨, ପଂଜିଆମା ମାଇନର, ସୌରାପଲ୍ଲୀ ମାଇନର, ବାଲିଢିହି ମାଇନର, ଭେଟେଶ୍ବର ସବ୍ ମାଇନର, ବଂଲୋଇ ମାଇନର, ଅଙ୍କୁଲା ମାଇନର-୨, ଚଷଙ୍ଗର ମାଇନର, ବୀରକେଶରପୁର ମାଇନର, ତାଳେଶ୍ବର ମାଇନର, ଲକ୍ଷ୍ମୀ ପ୍ରସାଦ ମାଇନର, ତୋଟାପଡ଼ା ସବ୍ ମାଇନର, ଭେଟେଶ୍ବର ମାଇନର କେନାଲ୍‌ ଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ପାଇଁ ଅନୁରୋଧ କରାଯାଇଛି। ସ୍ଥାନୀୟ ଲୋକଙ୍କ ଅବାଧ ପ୍ରବେଶ ଓ ଗାଈଗୋରୁଙ୍କ ଚରାବୁଲା ଯୋଗୁଁ କେନାଲ୍‌ର ଅନେକ ସ୍ଥାନରେ ବନ୍ଧ ଦୁର୍ବଳ ହେବା ଆଦି ୧୧ଟି ସମସ୍ୟା ସମ୍ପର୍କରେ ଜଳସେଚନ ବିଭା‌ଗର ଏକ ଟିମ୍‌ ଯଥାଶୀଘ୍ର ମରାମତି ପାଇଁ ପରାମର୍ଶ ଦେଇଥିଲେ।

ପରାମର୍ଶ ଅନୁସାରେ ଡ୍ୟାମ୍‌ର କେତେକ ମରାମତି କାର୍ଯ୍ୟ କରାଯାଇଥିଲେ ମଧ୍ୟ ମୁଖ୍ୟ ମାଟି ବନ୍ଧ ଓ କେନାଲ୍‌ ବନ୍ଧଗୁଡ଼ିକର ଆବଶ୍ୟକ ମରାମତି ହୋଇପାରିନାହିଁ। ଏହା ସହ ଉପରମୁଣ୍ତରେ କ୍ରମାଗତ ଭାବେ ଜଙ୍ଗଲ କ୍ଷୟ ଯୋଗୁଁ ଡ୍ୟାମ୍ ପ୍ରତି ବିପଦ ବଢ଼ିବାରେ ଲାଗିଛି। ଜଳ ସେଚନ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟାନୁସାରେ, ଡ୍ୟାମ୍ ନିର୍ମାଣ ହେବା ଦିନ ଠାରୁ ବର୍ତ୍ତମାନ ସୁଦ୍ଧା ୫ ଥର ଯଥା ୧୯୯୦, ୧୯୯୫, ୨୦୦୩, ୨୦୦୯ ଓ ୨୦୧୩ ମସିହାରେ ବନ୍ୟା ହୋଇ ଆଖପାଖର ଶତାଧିକ ଏକର ଚାଷ ଜମି ନଷ୍ଟ ହୋଇଯାଇଥିଲା। ଯଦିଓ ଗତ ୯ ବର୍ଷ ମଧ୍ୟରେ ବଡ଼ଧରଣର ବନ୍ୟା ହୋଇନାହିଁ, କିନ୍ତୁ ବର୍ତ୍ତମାନ ଶାଳିଆ ଡ୍ୟାମ୍ ନେଇ ଅଧିକ ବଜେଟ୍‌ ବ୍ୟବସ୍ଥା ନକଲେ ଆଗାମୀ ଦିନରେ ସମସ୍ୟା ବୃଦ୍ଧି ପାଇବ ବୋଲି ଜଳସେଚନ ବିଭାଗର ଜଣେ ଯନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର