ସବୁକୁ ବଳିଗଲା ଅଦିନିଆ ବର୍ଷା କ୍ଷତି

ଭୁବନେଶ୍ୱର : ମରୁଡି ଓ ଚକଡ଼ା ପୋକ ଆକ୍ରମଣ ଠାରୁ ଆହୁରି ଅଧିକ କ୍ଷତି ପହଞ୍ଚାଇଛି ଅଦିନିଆ ବର୍ଷା। ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ଦେଇଥିବା ରିପୋର୍ଟକୁ ଭିତ୍ତି କରି ସ୍ୱତନ୍ତ୍ର ରିଲିଫ୍‌ କମିସନରଙ୍କ କାର୍ଯ୍ୟାଳୟ ଯେଉଁ ପ୍ରାରମ୍ଭିକ ତାଲିକା ପ୍ରସ୍ତୁତ କରିଛନ୍ତି, ତାହା ବୟାନ କରୁଛି ଯେ ଅଦିନିଆ ବର୍ଷା ରାଜ୍ୟର ଅଧାରୁ ଅଧିକ ଜିଲ୍ଲାରେ ବିତ୍ପାତ ଘଟାଇଛି। ଗୋଟିଏ କି ଦୁଇଟି ନୁହେଁ, ପାଖାପାଖି ୧୫ ହଜାର ଗାଁର ୧୨ ଲକ୍ଷ ୪୯ହଜାର ଚାଷୀଙ୍କ ଫସଲକୁ ବିପର୍ଯ୍ୟୟ ମୁହଁକୁ ଠେଲି ଦେଇଛି। ପାଖାପାଖି ୩ଲକ୍ଷ ୮୪ ହଜାର ୧୮ ହେକ୍ଟର ଜମିରେ ସୁନାର ଫସଲ ୩୩ ପ୍ରତିଶତରୁ ଅଧିକ କ୍ଷତି ଘଟିଛି। ସରକାର ହିସାବ କରୁଛନ୍ତି, ପାଖାପାଖି ୩୫୦ କୋଟି ଟଙ୍କାର ଇନ୍‌ପୁଟ୍‌ ସବ୍‌ସିଡି ଦେବାକୁ ପଡିବ। ଲଘୁଚାପ ଜନିତ ଝଡ଼ ବର୍ଷାକୁ ସ୍ୱତନ୍ତ୍ର କାଟେଗୋରି ଭୁକ୍ତ କରି ସରକାର ବୁଧବାର ମଧ୍ୟରେ ଏ ଅର୍ଥ ପ୍ରଦାନ କରିପାରନ୍ତି।

ମିଳିଥିବା ସୂଚନା ଅନୁସାରେ, ବାଲେଶ୍ୱର, ଭଦ୍ରକ, ବୌଦ୍ଧ, କଟକ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଧା, କୋରାପୁଟ, ମୟୂରଭଂଜ, ନବରଙ୍ଗପୁର, ନୟାଗଡ, ପୁରୀ ଓ ରାୟଗଡା ଏହିଭଳି ୧୯ଟି ଜିଲ୍ଲାରେ ବର୍ଷା ଜନିତ ଫସଲ ହାନି ଘଟିଛି। ସଂପୃକ୍ତ ଜିଲ୍ଲା ଅନ୍ତର୍ଗତ ୧୩୫ଟି ବ୍ଲକ, ୨୪୫୩ ପଞ୍ଚାୟତ ଓ ୩୫ଟି ପୌରାଞ୍ଚଳର ୧୬୧ଟି ଓ୍ଵାର୍ଡରେ ଚାଷୀ ଘୋର କ୍ଷତିଗ୍ରସ୍ତ ହୋଇଛନ୍ତି। ପାଖାପାଖି ୩ଲକ୍ଷ ୬୮ ହଜାର ହେକ୍ଟର ଜମିରେ ଧାନ ଫସଲ ଓ ୧୫ ହଜାର ୯୪୭ ହେକ୍ଟର ଜମିରେ ଅଣଧାନ ଫସଲ ବରବାଦ ହୋଇଥିବା ପ୍ରାରମ୍ଭିକ ହିସାବରୁ ସୂଚନା ମିଳୁଛି। ଅଣଜଳସେଚିତ ଜମିରେ ସବୁଠାରୁ ଅଧିକ କ୍ଷତି ଘଟିଛି।

ଜିଲ୍ଲାଓ୍ଵାରୀ ହିସାବ କଲେ, ବର୍ଷା କାରଣରୁ ଗଞ୍ଜାମ ଜିଲ୍ଲାରେ ସବୁଠାରୁ ଅଧିକ ୯୭ ହଜାର ୨୩୩ ହେକ୍ଟର ଜମିରେ ଫସଲ ହାନି ଘଟିଛି। ଏହା ପଛକୁ ରହିଛି କେନ୍ଦ୍ରାପଡା। ଏଠାରେ ୭୨ ହଜାର ୩୨୨ ହେକ୍ଟର ଜମିରେ ଚାଷ ନଷ୍ଟ ଘଟିଛି। ପୁରୀରେ ୩୯ ହଜାର ୯୫୨ ହେକ୍ଟର, ନୟାଗଡରେ ୨୪ ହଜାର ୭୯୨ ହେକ୍ଟର, ଖୋର୍ଧାରେ ୩୯ ହଜାର ୫୦୩ ହେକ୍ଟର, ଯାଜପୁରରେ ୪୯ ହଜାର ୨୯୮ ହେକ୍ଟର, ଭଦ୍ରକ ଜିଲ୍ଲାରେ ୩୧ ହଜାର ୦୪୯ ହେକ୍ଟର ଜମିରେ ଉଭୟ ଧାନ ଓ ଅଣଧାନ ଫସଲ ପ୍ରଭାବିତ ହୋଇଛି। ନବରଙ୍ଗପୁର ଜିଲ୍ଲାରେ ସବୁଠାରୁ କମ୍‌ ୩ଲକ୍ଷ ୬୪ ହଜାର ହେକ୍ଟର ଜମିର ଚାଷ ନଷ୍ଟ ହୋଇଛି। ୧୧ଟି ଜିଲ୍ଲାରେ କୌଣସି ଫସଲ ହାନି ଘଟିନାହିଁ ବୋଲି ଜିଲ୍ଲାପାଳମାନେ କହିଛନ୍ତି।

ଏଠାରେ ପ୍ରକାଶଥାଉକି, ପୂର୍ବରୁ ମରୁଡ଼ି କାରଣରୁ ରାଜ୍ୟରେ ହାରାହାରି ୩ ଲକ୍ଷ ୧୫ ହଜାର ହେକ୍ଟର ଜମିରେ ୩୩ ପ୍ରତିଶତରୁ ଅଧିକ ଫସଲ ହାନି ହୋଇଥିବା ନେଇ ସରକାର ଘୋଷଣା କରିଥିଲେ। ସେହିପରି ଚକଡ଼ା ଆଦି ପୋକ ଲାଗି ୨୪ଟି ଜିଲ୍ଲାର ୧୫୦ ବ୍ଲକ ଓ ୩୫ ପୌରାଞ୍ଚଳ ଅନ୍ତର୍ଗତ ୧ ଲକ୍ଷ ୨୮ ହଜାର ୩ ଶହ ୧୮ ହେକ୍ଟର ଜମିର ଚାଷ ୩୩ ପ୍ରତିଶତରୁ ଅଧିକ ନଷ୍ଟ ହୋଇଥିବା କୁହାଯାଇଥିଲା। ହେଲେ ଅଦିନିଆ ବର୍ଷା ଜନିତ କ୍ଷତି ଏସବୁକୁ ଟପିଯାଇଛି।

ସମ୍ବନ୍ଧିତ ଖବର