ଭୁବନେଶ୍ବର: ଅଦିନିଆ ବର୍ଷାକୁ ରାଜ୍ୟ ସରକାର ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଭାବେ ଗ୍ରହଣ କରିଛନ୍ତି। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅନୁମୋଦନ ଦେଇଛନ୍ତି। 
ଏହାଦ୍ୱାରା ଓଡ଼ିଶା‌େର ଅଦିନିଆ ବର୍ଷାରେ ଫସଲ କ୍ଷୟକ୍ଷତି ହେଲେ ସମ୍ପୃକ୍ତ କୃଷକମାନେ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ସହାୟତା ପାଇ ପାରିବେ। ଏସ୍‌ଡିଆର୍‌ଏଫ୍‌ର ବାର୍ଷିକ ଆବଣ୍ଟନର ସର୍ବାଧିକ ୧୦% ଅର୍ଥ ଏଥିପାଇଁ ବିନିଯୋଗ ହୋଇପାରିବ। 

Advertisment

ଗତ ଡିସେମ୍ବରରେ ଏନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ
ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ୧୦% ପର୍ଯ୍ୟନ୍ତ ଅର୍ଥ ଖର୍ଚ୍ଚ କରାଯାଇପାରିବ

ସୂଚନାଯୋଗ୍ୟ ଯେ ଡିସେମ୍ୱର, ୨୦୨୪ରେ ଅଦିନିଆ ବର୍ଷା ଯୋଗୁ ରାଜ୍ୟର ୨୨,୭୯୧ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଥିବା ବେଳେ ପ୍ରାୟ ୬.୬୬ ଲକ୍ଷ ଚାଷୀ ପ୍ରଭାବିତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ଏହାକୁ ସ୍ୱତନ୍ତ୍ର ଭାବେ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଘୋଷଣା କରି ଚାଷୀମାନଙ୍କୁ ୨୯୧ କୋଟି ଟଙ୍କାର ସହାୟତା କୃଷି ଇନ୍‍ପୁଟ ରିହାତି ଆକାରରେ ପ୍ରଦାନ କରିଥିଲେ। ଏବେ ଏହାକୁ ସ୍ଥାୟୀ ଭାବେ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ୮ଟି ବିପର୍ଯ୍ୟୟକୁ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଭାବେ ଘୋଷଣା କରାଯାଇଛି। ଏଗୁଡ଼ିକ ହେଲା ବଜ୍ରପାତ,  ଗ୍ରୀଷ୍ମପ୍ରବାହ, ଘୂର୍ଣ୍ଣିଝଡ଼, ପ୍ରବଳ ବର୍ଷା ଏବଂ ବନ୍ୟା ନଥିବା ସମୟରେ ଡଙ୍ଗା ଦୁର୍ଘଟଣା, ପାଣିରେ ବୁଡ଼ି ମୃତ୍ୟୁ, ସର୍ପାଘାତ। ଅଦିନିଆ ବର୍ଷା ବିପର୍ଯ୍ୟୟ ଘୋଷିତ ହେବା ପରେ ବର୍ତ୍ତମାନ ସମୁଦାୟ ୯ଟି ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଘୋଷିତ ହେଲା। ଏହାବ୍ୟତୀତ କେନ୍ଦ୍ର ସରକାର ମଧ୍ୟ ୧୨ଟି ବିପର୍ଯ୍ୟୟ ଘୋଷଣା କରିଛନ୍ତି।