ବର୍ଷାରେ ଭିଜି ଗଜା ହେଲା ଧାନ, ଚିନ୍ତାରେ ଅନ୍ନଦାତା

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଅଦିନିଆ ବର୍ଷା ଓ କୁଆପଥର ମାଡ଼ ଯୋଗୁଁ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ପନିପରିବାଠାରୁ ଆରମ୍ଭ କରି ଧାନ ଚାଷୀ ପର୍ଯ୍ୟନ୍ତ ସମସ୍ତେ ବର୍ଷା ଯୋଗୁଁ ନାକେଦମ ହୋଇଛନ୍ତି। ମଣ୍ଡିରେ ପଡ଼ି ରହିଥିବା ଶହ ଶହ କୁଇଣ୍ଟାଲ ଧାନ ଖୋଲା ଆକାଶ ତଳେ ବର୍ଷା ଯୋଗୁଁ ଗଜା ହେବା ପରେ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି। ଗଜା ଧାନକୁ କିଏ ନେବ ସେନେଇ ଚିନ୍ତାରେ ମ୍ରିୟମାଣ ହୋଇପଡ଼ିଛି ଚାଷୀ। ଆର୍‌ଏମ୍‌ସି ପକ୍ଷରୁ କୋଟି କୋଟି ଟଙ୍କା ରାଜସ୍ବ ସଂଗ୍ରହ ହେଉଥିଲେ ମଧ୍ୟ ମଣ୍ଡି ପାଇଁ ଭିତ୍ତିଭୂମି ନିର୍ମାଣ ନହେବା ଯୋଗୁଁ ଏଭଳି ସ୍ଥିତି ବାରମ୍ବାର ଦେଖିବାକୁ ମିଳୁଛି। ବହୁ ମଣ୍ଡିରେ ଗଜା ଧାନକୁ ଧରି ଚାଷୀ କାନମୁଣ୍ଡ ଆଉଁସି ଭାଗ୍ୟକୁ ଆଦରି ପଡ଼ିରହିଛି।

ପ୍ରକାଶ ଯେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍‌ ନାନ୍ଦୋଲ ପ୍ୟାକ୍ସ ଅଧୀନରେ ଥିବା ମଣ୍ଡିଗୁଡ଼ିକରେ ଅଦିନିଆ ବର୍ଷା ଯୋଗୁଁ ଧାନ ସବୁ ଗଜା ହୋଇଥିବା ଦେଖିବାକୁ ମିଳିଛି। ଖୋଲା ଆକାଶ ତଳେ ମଣ୍ଡି ଚାଲିଥିବା ଯୋଗୁଁ ଏଭଳି ପରିସ୍ଥିତି ଦେଖା ଦେଇଛି। ଜିଲ୍ଲାର ବହୁ ମଣ୍ଡିରେ ଏଭଳି ସ୍ଥିତି ଦେଖିବାକୁ ମିଳୁଥିଲେ ମଧ୍ୟ ବର୍ଷ ବର୍ଷ ଧରି ଜିଲ୍ଲା ପ୍ରଶାସନ ମଣ୍ଡିର ଭିତ୍ତିଭୂମି ସଜାଡ଼ିବା ପାଇଁ କୌଣସି ଆଗ୍ରହ ଦେଖା ଯାଉନାହିଁ। ଚାଷୀମାନେ ଧାର କରଜ କରି ବହୁ କଷ୍ଟରେ ଚାଷ କରିଥିବା ବେଳେ ଅମଳ ହେଲା ପରେ ବିକ୍ରି ପାଇଁ ମଣ୍ଡିକୁ ଆଣି ଦହଗଞ୍ଜ ହେବାକୁ ପଡ଼ୁଛି। ଗୋଟିଏ ପଟେ ଆର୍‌ଏମ୍‌ସି, ପ୍ୟାକ୍ସ, ମିଲର୍ସ ଏଜେଣ୍ଟଙ୍କ କଟ୍‌ନି ଛଟ୍‌ନି ଚାଲିଥିବା ବେଳେ ଅନ୍ୟ ପଟେ ଅଦିନିଆ ବର୍ଷା ଚାଷୀଙ୍କୁ ବେଡ଼ି ଉପରେ କୋରଡ଼ା ସାଜିଛି।

ଜୁନାଗଡ଼ ବ୍ଲକ୍‌ ନାନ୍ଦୋଲ ପ୍ୟାକ୍ସ ଅଧୀନରେ କେନ୍ଦୁପାଟି, ତଳଜାରିଙ୍ଗ ଓ ନାନ୍ଦୋଲ ମଣ୍ଡି ଚାଲୁଛି। ଏହି ପ୍ୟାକ୍ସରେ ୧୦୦୪ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକୃତ ହୋଇଥିଲେ। ନାନ୍ଦୋଲ ପ୍ୟାକ୍ସକୁ ଧାନ କ୍ରୟ ପାଇଁ ପ୍ରଥମ ପର୍ଯ୍ୟାୟରେ ୨୬ ହଜାର କୁଇଣ୍ଟାଲ ଟାର୍ଗେଟ୍‌ ଆସିଥିଲା। ନାନ୍ଦୋଲ ମଣ୍ଡିରେ ୧୫୨ ଜଣ ଚାଷୀଙ୍କ ୭ ହଜାର ୪୨ କୁଇଣ୍ଟାଲ ୯୧ କେଜି, କେନ୍ଦୁପାଟି ମଣ୍ଡିରେ ୧୬୯ ଜଣ ଚାଷୀଙ୍କ ୭ ହଜାର ୪୩ କୁଇଣ୍ଟାଲ ୯୧ କେଜି, ତଳଜାରିଙ୍ଗ ମଣ୍ଡିରେ ୧୯୫ ଜଣ ଚାଷୀଙ୍କ ୭୭୮୦ କୁଇଣ୍ଟାଲ ୫୦ କେଜି ସମେତ ୨୨ ହଜାର ୨୬୭ କୁଇଣ୍ଟାଲ ୬୭ କେଜି ଧାନ ଉଠାଣ ହୋଇଛି। ଟାର୍ଗେଟ ସରିବାକୁ ବସିଲାଣି ଅଥଚ ଶହ ଶହ କୁଇଣ୍ଟାଲ ଧାନ ମଣ୍ଡିରେ ପଡ଼ିଛି। ମଣ୍ଡିରେ ଦଲାଲମାନଙ୍କ ଧାନ ଉଠାଣ ହେଉଥିବା ବେଳେ ପ୍ରକୃତ ଚାଷୀ ଗତ ଡିସେମ୍ବର ୨୦ ତାରିଖରୁ ମଣ୍ଡିରେ ଧାନ ରଖି ବିକ୍ରି ପାଇଁ ଜଗିଛି। ଅଦିନିଆ ବର୍ଷା ଯୋଗୁଁ ଏହି ଧାନଗୁଡ଼ିକ ଗଜା ହେବାରେ ଲାଗିଛି।

ବର୍ତ୍ତମାନ ଏହି ପ୍ୟାକ୍ସ ଅଧୀନରେ ଥିବା ୩ଟି ମଣ୍ଡିରୁ ପ୍ରାୟ ୫୦୦ କୁଇଣ୍ଟାଲରୁ ଅଧିକ ଧାନ ଗଜା ହୋଇ ସାରିଛି। ମଣ୍ଡିରେ ଚାଷୀଙ୍କ ଧାନ ଗଜା ହୋଇଥିବା ବେଳେ ପ୍ୟାକ୍ସ, ଆର୍‌ଏମ୍‌ସି, ମିଲର୍ସ ଏବେ ଚାଷୀଙ୍କୁ ଅଧିକ କଟ୍‌ନି ଛଟ୍‌ନିରେ ମୂଲଚାଲ ଆରମ୍ଭ କରିଛନ୍ତି। ଚାଷୀମାନଙ୍କ ଏଭଳି ପରିସ୍ଥିତିରେ ରାଜନେତାଙ୍କଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ କେହି ମଧ୍ୟ ଆଡ଼ ଆଖିରେ ଦେଖୁ ନାହାନ୍ତି। ଲୋକ ପ୍ରତିନିଧିମାନେ ଚାଷୀଙ୍କ ଦୁଃଖ ସମୟରେ ଆଶ୍ବାସନା ଦେବାକୁ ମଧ୍ୟ ଆସୁ ନାହାନ୍ତି। ତେଣୁ ଆଗାମୀ ପଞ୍ଚାୟତ ନିର୍ବାଚନର ଚାଷୀମାନେ ଏହାର ଉଚିତ ଜବାବ ଦେବେ‌ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ ମଧ୍ୟ ନିଦାବିଷ୍ଣୁ ସାଜିଥିବା ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପଞ୍ଚାୟତ ନିର୍ବାଚନ ପାଇଁ ପାଣ୍ଠି ଆଳରେ ଉଭୟ ରାଜନେତା ଓ ଜିଲ୍ଲା ପ୍ରଶାସନ ନିରବଦ୍ରଷ୍ଟା ସାଜିଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର