କଟକ: ଏସ୍ସିବି ରେକର୍ଡ ରୁମ୍ରେ ଅତ୍ୟନ୍ତ ଅସୁରକ୍ଷିତ ଅବସ୍ଥାରେ ରହିଛି ବିଭିନ୍ନ ରେକର୍ଡ। ଆଜବେଷ୍ଟସ କୋଠରୀରେ ୪୦ ବର୍ଷର ପୁରୁଣା ରେକର୍ଡ ଗଦା ହୋଇ ରହିଛି। ବର୍ଷା ହେଲେ ଘରେ ପାଣି ଝରୁଛି। ତହସିଲଠାରୁ ଆରମ୍ଭ କରି ବିଚାରବିଭାଗୀୟ ଅଦାଲତ ପର୍ଯ୍ୟନ୍ତ ସବୁଠି ରେକର୍ଡକୁ ଡିଜିଟାଇଜେସନ୍ କରାଯାଇଥିବାବେଳେ ଏସ୍ସିବିରେ ଆଜି ପର୍ଯ୍ୟନ୍ତ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରୁନି। ଯାହାଫଳରେ ମୃତ୍ୟୁ ପ୍ରମାଣପତ୍ର ଅଥବା ଅନ୍ୟ ଯେ କୌଣସି ପ୍ରମାଣପତ୍ର ପାଇବାକୁ ହନ୍ତସନ୍ତ ହେଉଛନ୍ତି ରୋଗୀ ଓ ସଂପର୍କୀୟ। ଅନ୍ୟପଟେ ଏସ୍ସିବିରେ ସବୁ ବିଭାଗର ନିଜସ୍ବ ରେକର୍ଡ ରୁମ୍ ବି ରହିଛି। କିନ୍ତୁ ଡିଜିଟାଇଜେସନ ହେଉ ନଥିବାରୁ ରୋଗୀ ସଂପର୍କୀୟଙ୍କୁ ଏମିତିକି ପୁଲିସକୁ ବି ବିଭିନ୍ନ ପ୍ରମାଣପତ୍ର ପାଇଁ ବିଭାଗକୁ ବିଭାଗ ଦୌଡ଼ିବାକୁ ପଡୁଛି। ରାଜ୍ୟର ସବୁଠାରୁ ବଡ ରେଫରାଲ ହସ୍ପିଟାଲ ହେଉଛି କଟକ ବଡଡାକ୍ତରଖାନା। କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରର ରୋଗୀ ବି ଏସ୍ସିବିରେ ଚିକିତ୍ସିତ ହେଉଛନ୍ତି। ବିଭିନ୍ନ ଦୁର୍ଘଟଣା ହେଉ କି ଆକ୍ରମଣରେ ଆହତ ହୋଇ ଲୋକ ଉତ୍ତମ ଚିକିତ୍ସା ପାଇଁ ଏସ୍ସିବିକୁ ଆସୁଛନ୍ତି। ସେମାନଙ୍କ ଚିକିତ୍ସା ସଂପର୍କିତ ରେକର୍ଡ ଏସ୍ସିବି ରେକର୍ଡ ରୁମ୍ରେ ରଖାଯାଇଥାଏ। ରୋଗୀଙ୍କ ମୃତ୍ୟୁ ହେଲେ ତାର ପ୍ରମାଣପତ୍ର ହେଉ କି ଅଦାଲତରେ ଗଡୁଥିବା ମାମଲାରେ ମୃତାହତଙ୍କ ଚିକିତ୍ସା ସଂପର୍କିତ ରେକର୍ଡ ହେଉ, ବିଭିନ୍ନ ସମୟରେ ତାହା ଆବଶ୍ୟକ ପଡିଥାଏ।
୧୯୮୪ରୁ ଆଜବେଷ୍ଟସ ଘରେ ଚାଲିଛି ଏସସିବିର ରେକର୍ଡ ରୁମ୍। କିନ୍ତୁ ତାହା ଅସୁରକ୍ଷିତ ଓ ଅବ୍ୟବସ୍ଥିତ ଅବସ୍ଥାରେ ପଡି ରହିଥିବାରୁ ଏଥିରେ ସାଧାରଣ ଲୋକ ସମସ୍ୟାରେ ପଡୁଛନ୍ତି। ଧୀରେ ଧୀରେ ସ୍ଥିତି ଏମିତି ହେଲାଣି ଯେ, ରେକର୍ଡ ଖୋଜିବା ବି ଆଉ ସମ୍ଭବ ହେଉ ନାହିଁ। ମେଡିକୋଲିଗାଲ ରେକର୍ଡ, ଏମ୍ଏଲ୍ସି ଇତ୍ୟାଦି ରେକର୍ଡ ରୁମ୍ରେ ଗଦା ହୋଇରହିଛି। ସବୁ ବିଭାଗର ନିଜସ୍ବ ରେକର୍ଡ ରୁମ୍ ଅବ୍ୟବସ୍ଥା ବି ଏଭଳି ସ୍ଥିତିରେ ରହିଛି। ଏସ୍ସିବିର ରେକର୍ଡ ରୁମ୍ ଡିଜିଟାଇଜେସନ୍ ପାଇଁ ଏସ୍ସିବି କର୍ତ୍ତୃପକ୍ଷ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରୁନି। ୨୦୧୯ ଏପ୍ରିଲ ୪ରେ ଅଗ୍ନିକାଣ୍ଡ ଯୋଗୁଁ ଅନେକ ରେକର୍ଡ ପାଉଁଶ ହୋଇଯାଇଥିଲା। ଏପଟେ ୧୯୯୯ ମହାବାତ୍ୟା ସମୟରେ ପୁରୁଣା କୋଠା ଭୁଶୁଡିବା ଫଳରେ ମଧ୍ୟ ଅନେକ ରେକର୍ଡ ନଷ୍ଟ ହୋଇଥିଲା। ତେଣୁ ତୁରନ୍ତ ଏ ଦିଗରେ ସ୍ବାସ୍ଥ୍ୟ ବିଭାଗ ଦୃଷ୍ଟି ଦେବାକୁ ମତ ପ୍ରକାଶ ପାଇଛି।