ଭୁବନେଶ୍ବର: ଦେଢ଼ ଦଶନ୍ଧି ପରେ ବି ଆତ୍ମନିର୍ଭରଶୀଳ ହୋଇପାରୁନି ଔଷଧୀୟ ଜ୍ଞାନକେନ୍ଦ୍ର। ଘୋଡ଼ା ଛ’ କୁ ଦାନା ନ’ ଭଳି ସ୍ଥିତି ହୋଇଛି। ଯେତିକି ‌ରୋଜଗାର ହେଉଛି ଖର୍ଚ୍ଚ ତା’ର ୩୦ଗୁଣ। ଖର୍ଚ୍ଚ ଦିନକୁ ଦିନ ବଢ଼ୁଥିବା ବେଳେ ରୋଜଗାରର ଯେଉଁ ବାଟ ଅଛି ତାକୁ ଖୋଲିବା ପାଇଁ ବନବିଭାଗ ଆଗ୍ରହ ପ୍ରକାଶ କରୁନାହିଁ। ଚେର, ଫଳ, ପତ୍ର, ଫୁଲ ଓ ଛାଲିରୁ ଔଷଧୀୟ ସାମଗ୍ରୀ ପ୍ରସ୍ତୁତ କରି ବିକ୍ରି କରିବା ପାଇଁ ଯେଉଁ ପ୍ରକ୍ରିୟାକରଣ ୟୁନିଟ୍‌ ସ୍ଥାପନ ହେବା କଥା ୪ ବର୍ଷ ହେବ ତାହା କେବଳ କୋଠାରେ ସୀମିତ ରହିଛି। କେବେ ଯନ୍ତ୍ରପାତି ଲାଗିବ, ଔଷଧ ପ୍ରସ୍ତୁତ ହେବ, ପ୍ରଥମେ ୩୦ ଗୁଣା ଆୟ ବଢ଼ାଇ ଆୟ-ବ୍ୟୟ ସମତୁଲ ହେବ, ପରେ ଅଧିକ ଆୟ କରି କେନ୍ଦ୍ର ଆତ୍ମନିର୍ଭରଶୀଳ ହେବ? ଏହି କେନ୍ଦ୍ର ପାଇଁ ଏ ସବୁ ଏବେ ସ୍ବପ୍ନ ଭଳି ହୋଇଛି। 

Advertisment

୧୫ ବର୍ଷ ପ‌ରେ ବି ସ୍ବୟଂଚାଳିତ ହେଲାନି
ବିଦ୍ୟୁତ୍‌ ବିଲ୍‌ ମାସକୁ ୨୦ ହଜାର

ପାତ୍ରପଡ଼ାରେ ଜାତୀୟ ରାଜପଥ କଡ଼ରେ ୧୫୦ ଏକର ପରିମିତ ଅଞ୍ଚଳରେ ପ୍ରତିଷ୍ଠିତ ଏହି ଜ୍ଞାନକେନ୍ଦ୍ର ୨୦୧୦ରେ ଉଦ୍‌ଘାଟିତ ହୋଇଥିଲା। ଏହାକୁ ଦେଶର ଏକ ଔଷଧୀୟ ଗବେଷଣା କେନ୍ଦ୍ରରେ ପରିଣତ କରିବା ସହ ଗବେଷକମାନଙ୍କୁ ଗବେଷଣା ସୁଯୋଗ ଦେବା ଉପରେ ଗୁରୁତ୍ବ ଦିଆଯାଇଥିଲା। ୭୩ ପ୍ରଜାତିର ହର୍ବାଲ୍, ୭୨ ପ୍ରଜାତିର ଗୁଳ୍ମ, ୩୦ ପ୍ରଜାତିର ଲତା, ୨ ହଜାର ତୁଳସୀ ଗଛ, ୫ ହଜାର ଆଲୋଭେରା, ୫ ହଜାର ଅଶ୍ବଗନ୍ଧା, ୨୦୦ ଗୁଡ଼ମାରି, ୫ ହଜାର କଳାମେଘ, ୧ ହଜାର ଗୁଳୁଚି, ୫୦୦ ଡାଲଚିନି ଗଛ ଭଳି ୩୦୦ ପ୍ରଜାତିର ବିରଳ ଔଷଧୀୟ ଚାରା ୨.୮୧ ହେକ୍ଟର ଜମିରେ ରୋପଣ କରାଯାଇଥିଲା। ଚାରା ବିକ୍ରି ସହ ପ୍ରକ୍ରିୟାକରଣ ୟୁନିଟ୍ ପ୍ରତିଷ୍ଠା କରି ରୋଜଗାର ବଢ଼ାଇବା ଯୋଜନା ଥିଲା। ୨୦୨୧ ମସିହା‌ରେ ପ୍ରକ୍ରିୟାକରଣ ୟୁନିଟ୍‌ର ଭିତ୍ତିପ୍ରସ୍ତର ପଡ଼ିଥିବା ବେଳେ ଏଯାବତ୍‌ ପୂର୍ଣ୍ଣାଙ୍ଗ ହୋଇନାହିଁ। ଏବେ କେବଳ ଚାରା ବିକ୍ରିରୁ ରୋଜଗାର ହେଉଛି। ଚାରା ବିକ୍ରି ବାବଦକୁ କରୋନା ସମୟରେ କେନ୍ଦ୍ର ୧ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରିଥିଲା। ଗତ ୧୫ ବର୍ଷ ମଧ୍ୟରେ ୬୦ ଲକ୍ଷରୁ ଅଧିକ ଟଙ୍କା ଚାରା ବିକ୍ରିରୁ ଆୟ ହୋଇଛି। ହାରାହାରି ହିସାବ କଲେ ଚାରା ବିକ୍ରିରୁ ମାସକୁ ୨୦ ହଜାର ଟଙ୍କା ରୋଜଗାର ହେଉଛି। 

ଅନ୍ୟପଟେ ଏଠାରେ ଦୈନିକ ୫୦ ଜଣ କର୍ମଚାରୀ କାମ କରୁଛନ୍ତି। ବିଦ୍ୟୁତ୍ ବିଲ୍‌ ମାସକୁ ୨୦ ହଜାର ଟଙ୍କାରୁ ଅଧିକ ଆସୁଛି। ଦରମା, ଗାଡ଼ି ଭଡ଼ା, ନୂଆ ପ୍ରଜାତିର ଔଷଧୀୟ ଗଛ ବାବଦରେ କେନ୍ଦ୍ରର ମାସିକ ଖର୍ଚ୍ଚ ୬ଲକ୍ଷ ଛୁଇଁ ଯାଉଛି, ଯାହା ସରକାର ବହନ କରୁଛନ୍ତି। ଗତ ଜାନୁଆରି ମାସରେ କେନ୍ଦ୍ରରୁ ମାତ୍ର ୨୦ ହଜାର ରୋଜଗାର ହୋଇଥିଲା। ନଭେମ୍ବର ମାସରେ ସର୍ବାଧିକ ୨୧ ହଜାର ରୋଜଗାର ହୋଇଥିଲା। ପ୍ରବେଶ ଶୁଳ୍କ ବାବଦରେ ଜଣକା ମାତ୍ର ୫ଟଙ୍କା ଆଦାୟ ‌ହେଉଥିବାରୁ ମାସକୁ କେବଳ ୫ ହଜାର ଟଙ୍କା ଆୟ ହେଉଛି। ୬୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ପାଇଁ ନିଃଶୁଳ୍କ ପ୍ରବେଶ ବ୍ୟବସ୍ଥା ରହିଛି। ପ୍ରଚାର ପ୍ରସାର ଅଭାବରୁ ଲୋକେ ଏହି କେନ୍ଦ୍ର ସମ୍ପର୍କରେ ଜାଣିପାରୁ ନଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ୁନାହିଁ। ଚାରା ବିକ୍ରୟ କରିବାକୁ କେନ୍ଦ୍ର ପରିସରରେ ଖୋଲିବାକୁ ଥିବା କିଓସ୍କ ମଧ୍ୟ ଆଜି ପର୍ଯ୍ୟନ୍ତ ତିଆରି ହୋଇପାରି ନାହିଁ। ୱାଟର୍‌ ଫଲ୍ ଓ ୱାଟର ଫାଉଣ୍ଟେନ୍ କାର୍ଯ୍ୟକ୍ଷମ ହେଉନାହିଁ। ବନ ବିଭାଗର ଜଣେ ଅଧିକାରୀଙ୍କ କହିଛନ୍ତି ଯେ ଏହି ଜ୍ଞାନକେନ୍ଦ୍ରକୁ ସ୍ବୟଂଚାଳିତ କରିବା ଦିଗରେ ପଦକ୍ଷେପ ନିଆଯାଉଛି। ପ୍ରକ୍ରିୟାକରଣ ୟୁନିଟ୍‌ କାମ ଶେଷ ହେବା ଉପରେ ରହିଛି। ନାସିକ୍‌ରୁ ସମସ୍ତ ଯନ୍ତ୍ରପାତି ଆସି ଲାଗିବ। ଏହାପରେ ବନ ବିଭାଗର ବିଭିନ୍ନ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇ ଏହାର କାର୍ଯ୍ୟ ଆରମ୍ଭ ହେବ।