ଭଦ୍ରକ: ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ବୈଷ୍ଣବ ଚରଣ ନାୟକଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯିବା ଘଟଣାରେ ଧୂଷୁରୀ ଥାନା ପୁଲିସ ଏଯାବତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ପୁଲିସର ଟାଳଟୁଳ ନୀତିକୁ ନେଇ ଧାମନଗର ବ୍ଲକ କାଶିମପୁର ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ବୈଷ୍ଣବ ଚରଣ ନାୟକ ସ୍ମୃତି ପରିଷଦ ପକ୍ଷରୁ ଭଦ୍ରକ ଜିଲ୍ଲାପାଳ ଓ ଏସ୍ପିଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ସାଙ୍ଗକୁ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି। ଧାମନଗର ବ୍ଲକ କାଶିମପୁରଠାରେ ଥିବା ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ବୈଷ୍ଣବ ଚରଣ ନାୟକଙ୍କ ପ୍ରତିମୂର୍ତ୍ତିକୁ ମାର୍ଚ୍ଚ ୨୧ ତାରିଖ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଭାଙ୍ଗି ବିକୃତ କରିଦେଇଥିଲେ। ଏ ସଂକ୍ରାନ୍ତରେ ବୈଷ୍ଣବ ଚରଣ ନାୟକ ସ୍ମୃତି ପରିଷଦର ସଂପାଦକ ଧୀରେନ୍ଦ୍ର କୁମାର ନାୟକ ମାର୍ଚ୍ଚ ୨୨ ତାରିଖରେ ଧୂଷୁରୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ୫ ଜଣ ଯୁବକଙ୍କୁ ଥାନାକୁ ଡାକି ପଚରାଉଚରା କରି ଛାଡ଼ି ଦେଇଥିଲା। ପରବର୍ତ୍ତୀ ସମୟରେ ପୁଲିସ ଆଉ ଏ ପ୍ରସଙ୍ଗରେ ଖୋଳତାଡ଼ ନ କରି ଚୁପ୍ ବସିଛି।
ସେପଟେ ପୁଲିସର ନିଷ୍କ୍ରିୟତା ପ୍ରତିବାଦରେ ସ୍ମୃତି ପରିଷଦ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବରିଷ୍ଠ ସଂଗ୍ରାମୀ ଶ୍ୟାମସୁନ୍ଦର ବେହେରା ଓ ସଦସ୍ୟ ବ୍ରଜକିଶୋର ରାଉତ ଦାବି କରିଥିଲେ। ଏହା ପରେ ମଧ୍ୟ ଧୂଷୁରୀ ପୁଲିସ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାକୁ ଗୁରୁତ୍ବ ଦେଇନାହିଁ ବୋଲି ସ୍ମୃତି ପରିଷଦର କର୍ମକର୍ତ୍ତାମାନେ ଅଭିଯୋଗ କରିଛନ୍ତି। ଭଦ୍ରକ ଏସ୍ପି ଓ ଜିଲ୍ଲାପାଳ ତୁରନ୍ତ ଏହି ଘଟଣାରେ ପଦକ୍ଷେପ ନେବା ପାଇଁ ସ୍ମୃତି କମିଟି ପକ୍ଷରୁ ଦାବି ହୋଇଛି। ପୁଲିସ ପକ୍ଷରୁ ଏ ସଂକ୍ରାନ୍ତରେ କୌଣସି କାର୍ଯ୍ୟାନୁଷ୍ଠାନ ନହେଲେ ସ୍ମୃତି କମିଟି ପକ୍ଷରୁ ଏସ୍ପି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରାଯିବା ସହ ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କୁହାଯାଇଛି। ଏପରିକି ଆବଶ୍ୟକ ପଡ଼ିଲେ ସ୍ମୃତି ପରିଷଦର କର୍ମକର୍ତ୍ତାଙ୍କ ସହ ସ୍ବାଧୀନତା ସଂଗ୍ରାମୀମାନେ ବିଧାନସଭା ଆଗରେ ଧାରଣାରେ ବସିବେ ବୋଲି କମିଟି ପକ୍ଷରୁ ଚେତାଇ ଦିଆଯାଇଛି।
ପ୍ରତିମୂର୍ତ୍ତି ଭଙ୍ଗା ଘଟଣା ସଂପର୍କରେ ଧୁଷୂରୀ ଥାନା ଅଧିକାରୀ ପ୍ରକାଶ ପୃଷ୍ଟିଙ୍କୁ ପଚରାଯିବାରୁ ଏ ବାବଦରେ କେବଳ ଏକ ଏତଲା ଗ୍ରହଣ କରାଯାଇଥିବା ବେଳେ କାହାକୁ ଗିରଫ କରାଯାଇନଥିବା ସ୍ବୀକାର କରିଥିଲେ। ତେବେ ଏଭଳି ଏକ ସ୍ପର୍ଶକାତର ମାମଲାରେ ଭଦ୍ରକ ଏସ୍ପି ଉଚ୍ଚସ୍ତରୀୟ ପୁଲିସ ଅଧିକାରୀଙ୍କ ଦ୍ବାରା ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ମତପ୍ରକାଶ ପାଇଛି। ସୂଚନାଥାଉକି, ୨୦୦୦ ମସିହାରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ବୈଷ୍ଣବ ଚରଣ ନାୟକଙ୍କ ପ୍ରତିମୂର୍ତ୍ତିକୁ ତତ୍କାଳୀନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇ ଓ ମନ୍ତ୍ରୀ ମନମୋହନ ସାମଲ ଉନ୍ମୋଚନ କରିଥିଲେ। ଏବେ ପ୍ରତିମୂର୍ତ୍ତି ବିକୃତ ଅବସ୍ଥାରେ ରହିଥିବା ବେଳେ ଏହାର ମରାମତି ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇନାହିଁ। ପୂଜ୍ୟପୂଜା ପ୍ରତି ଏଭଳି ଆଚରଣ ପ୍ରଦର୍ଶନ ବୁଦ୍ଧିଜୀବୀଙ୍କୁ ବି ବ୍ୟଥିତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/12-17.jpg)