ଆର୍‌ଏସ୍‌ପି କ୍ବାର୍ଟର୍ସ: ଅସାମାଜିକଙ୍କ ଅଭୟାରଣ୍ୟ

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି) ସହରାଞ୍ଚଳରେ କର୍ମଚ‌ାରୀ ଓ ଅଧିକାରୀଙ୍କ ପାଇଁ ପାଖାପାଖି ୨୪,୦୦୦ ବାସଗୃହ ନିର୍ମାଣ କରାଯାଇଥିଲା। ଏଥିମଧ୍ୟରୁ ଅନେକ କାରଖାନା କର୍ମଚାରୀଙ୍କ ସମେତ ରାଜ୍ୟ ସରକାରଙ୍କ ପୁଲିସ ବିଭାଗ, ଅନ୍ୟାନ୍ୟ ସରକାରୀ-ବେସରକାରୀ ସଂସ୍ଥା କର୍ମଚାରୀ ଓ ସାମାଜିକ-ସାଂସ୍କୃତିକ ସଂଗଠନକୁ ଦିଆଯାଇଛି। ତେବେ ଅଣଆନୁଷ୍ଠାନିକଭାବେ ଏବେମଧ୍ୟ ପ୍ରାୟ ୪,୦୦୦ କ୍ବାର୍ଟର୍ସ ଖାଲିପଡ଼ିଥିବା ଜଣାପଡ଼ିଛି। ଉକ୍ତ କ୍ବାର୍ଟର ଏବେ ଠିକାଦାରମାନଙ୍କର ରୋଜଗାରର ମାଧ୍ୟମ ପାଲଟିଛି। ଦାୟିତ୍ବରେ ଥିବା ଆରଏସ୍‌ପି ଅଧିକାରୀଙ୍କୁ ଖୁସିକରି କ୍ବାର୍ଟରଗୁଡ଼ିକୁ ପରିତ୍ୟକ୍ତ ଦର୍ଶାଯାଉଛି; କିନ୍ତୁ ଘରର ମରାମତି ଦାୟିତ୍ବରେ ଥିବା ଠିକାଦାର ଏହାକୁ ସାମୟିକ/ଦୀର୍ଘକାଳୀନ ଭିତ୍ତିରେ ମନଇଚ୍ଛା ଭଡ଼ା ଦେଉଛନ୍ତି। ଯଦ୍ବାରା ଅନେକ ଆର୍‌ଏସ୍‌ପି କ୍ବାର୍ଟର୍ସ ଏବେ ଅସାମାଜିକ କାର୍ଯ୍ୟ ଚ‌ାଲିଛି।  ଏଭଳି କ୍ବାର୍ଟରରୁ ସେକ୍ସ ରୢାକେଟ୍‌ଠାରୁ ଆରମ୍ଭକରି ନକଲି ନୋଟ୍‌ ଛପା ‌ହେବା ପର୍ଯ୍ୟନ୍ତ ସବୁ ପ୍ରକାର ଅନୈତିକ କାର୍ଯ୍ୟ ଚାଲିଛି। ସାଧାରଣ କର୍ମଚାରୀ ବା ଲିଜ୍‌ କ୍ବାର୍ଟର୍ସରେ ଗ୍ୟାରେଜ୍‌ଟିଏ ନିର୍ମାଣ କଲେ ସହରସେବା ବିଭାଗ କର୍ମଚାରୀ ଓ ଲ୍ୟାଣ୍ଡ୍‌ଗାର୍ଡ ଘଟଣାସ୍ଥଳରେ ପହଞ୍ଚିଯାଉଥିବାବେଳେ, ମାସମାସ ଧରି ଅନୈତିକଭାବେ ସନ୍ଦିଗ୍ଧ ଲୋକଙ୍କୁ ଘର ଭଡ଼ା ଦିଆଯାଉଥିଲେ ମଧ୍ୟ ପତ୍ରଟିଏ ହଲୁ ନଥିବା ବିଭାଗୀୟ କର୍ତ୍ତୃପକ୍ଷଙ୍କ ସଂପୃକ୍ତି ଅଭିଯୋଗକୁ ଖୋରାକ୍‌ ଯୋଗାଉଛି।

ସେକ୍ସ ରୢାକେଟ୍‌ ଚାଲୁଛି, ନକଲି ନୋଟ୍‌ ଛପା ହେଉଛି

ଠିକାଦାର-ସହରସେବା ବିଭାଗ କର୍ମଚାରୀଙ୍କ ଅସାଧୁ ମେଣ୍ଟ

ଆର୍‌ଏସ୍‌ପିର ଏକାଧିକ ଖାଲିପଡ଼ିବା କ୍ବାର୍ଟରରେ ଦିନରାତି ସବୁବେଳେ ଅସାମାଜିକଙ୍କ ଆଡା ଜମିବା ମାମଲା ପୁରୁଣା ହେଲାଣି। ଗତ ୧୧ ତାରିଖରେ ସେକ୍ଟର-୧୭, ସି-୨୩୧ ଘର ଭିତରୁ ନକଲି ନୋଟ୍‌ ଛାପୁଥିବା ନୂଆଦିଲ୍ଲୀ ବଦରପୁର ଥାନା ଅଞ୍ଚଳର ମୂଳବାସିନ୍ଦା ଅହମଦ ଅଲ୍ଲୀ(୨୨)ଙ୍କୁ ରାଜ୍ୟ ଟାସ୍କ ଫୋର୍ସ ଓ ରାଉରକେଲା ପୁଲିସ ଗିରଫ କରିଥିଲା। ଅଭିଯୁକ୍ତ ପାଖରୁ କେବଳ ନଗଦ ୧୬ ଲକ୍ଷ ୧୧ ହଜାର ଟଙ୍କା ଜବତ ହୋଇନଥିଲା, ବରଂ ନକଲି ନୋଟ୍‌ ପ୍ରସ୍ତୁତିରେ ବ୍ୟବହୃତ କଲର୍‌ ପ୍ରିଣ୍ଟର୍‌, ଲାପଟପ୍‌, ସ୍ୟାହି, ସ୍କେଲ୍‌ ଆଦି ମଧ୍ୟ ଜବତ ହୋଇଥିଲା। ଏହି ଘଟଣା ପୁଣିଥରେ ଆର୍‌ଏସ୍‌ପି କର୍ତ୍ତୃପକ୍ଷଙ୍କୁ କାଠଗଡ଼ାରେ ଛିଡ଼ା କରାଇଛି। ପୂର୍ବରୁ ରାଜଗାଙ୍ଗପୁରରେ ରହୁଥିବା ଅଭିଯୁକ୍ତ ଗତ ୨ ମାସ ହେଲା ଏହି ଆର୍‌ଏସ୍‌ପି କ୍ବାର୍ଟରରେ ରହୁଥିଲା। ତେବେ କେମିତି ଓ କାହା ମାଧ୍ୟମରେ ସେ ଏହି କ୍ବାର୍ଟର ଭଡ଼ାରେ ନେଇଥିଲା, ତାହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରେ। ଉଲ୍ଲେଖଯୋଗ୍ୟ, ପୂର୍ବରୁ ଏହି କ୍ବାର୍ଟର୍ସରେ ରହୁଥିବା ଜଣେ ଆର୍‌ଏସ୍‌ପି କର୍ମଚାରୀ ଗତ ୨୦୨୧ ଜୁନ ମାସରେ ଅବସର ନେଇଥିଲେ।

ଅଭିଯୁକ୍ତ ସେ ଉକ୍ତ କ୍ବାର୍ଟରକୁ ଏକବର୍ଷ ପର୍ଯ୍ୟନ୍ତ, ଅର୍ଥାତ୍‌ ୨୦୨୨ ଜୁନ ଯାଏଁ ଭଡ଼ାରେ ନେଇଥିଲେ। ପୁଣି ସେ ଗତ ମେ’ ୪ ତାରିଖରେ ଉକ୍ତ କ୍ବାର୍ଟରକୁ ଆର୍‌ଏସ୍‌ପିକୁ ହସ୍ତାନ୍ତର କରି ଭୁବନେଶ୍ବରକୁ ସ୍ଥାନାନ୍ତର ହୋଇଥିଲେ। ଅର୍ଥାତ୍‌, ଗତ ମେ’ ପହିଲାରୁ ଉକ୍ତ ଘରର ଦାୟିତ୍ବ ସେକ୍ଟର-୧୭ ଅଞ୍ଚଳସ୍ଥ ବିଭିନ୍ନ ଘରର ମରାମତି ପାଇଁ ନିଯୁକ୍ତ ଠିକାଦାର ପାଖରେ ହିଁ ରହିଥିଲା। ଉକ୍ତ ଘର ଖାଲିଥିବା ନେଇ ସଂପୃକ୍ତ ଠିକାଦାର ଆର୍‌ଏସ୍‌ପି କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ ନା ନାହିଁ ତାହା ତଦନ୍ତର ବିଷୟ। ତେବେ କର୍ତ୍ତୃପକ୍ଷଙ୍କ ବିନା ଅବଗତିରେ ସଂପୃକ୍ତ ଠିକାଦାର ଯେ ଆର୍‌ଏସ୍‌ପି କ୍ବାର୍ଟର୍ସକୁ ଭଡ଼ାରେ ଲଗାଇଥିଲେ, ତାହା ସହଜରେ ହଜମ କରାଯାଇନପାରେ। କେବଳ ଏହି ଘଟଣା ନୁହେଁ; ବରଂ ବିଗତ ଦିନରେ ଆର୍‌ଏସ୍‌ପି କ୍ବାର୍ଟରରେ ଏଭଳି ଅନେକ ଚାଞ୍ଚଲ୍ୟକର ଘଟଣା ଘଟିଥିବାର ନଜିର ରହିଛି। ସେକ୍ଟର-୧୩ ଅଞ୍ଚଳର ଦୁଇଟି ଆର୍‌ଏସ୍‌ପି କ୍ବାର୍ଟରରେ ଦୀର୍ଘଦିନଧରି ସେକ୍ସ ରୢାକେଟ୍‌ ଚାଲିଥିଲା। ଗତ ୨୦୨୧ ଜାନୁଆରୀ ୨୦ ତାରିଖରେ ଏଠାରେ ଚଢ଼ଉକରି ଦୁଇ ଦେହବେପାରୀଙ୍କୁ ଗିରଫ କରିବାସହ ସହ ଦୁଇ ଜଣ ପଞ୍ଚିମବଙ୍ଗର ଦେହଜୀବୀଙ୍କୁ ଉଦ୍ଧାର କରାଯାଇଥିଲା। ଏହା ପୂର୍ବରୁ ସେକ୍ଟର-୧୭ ସି’ ବ୍ଲକରେ ବର୍ଷବର୍ଷ ଧରି ସେକ୍ସ ରୢାକେଟ୍‌ ଚାଲିଥିଲା। ସି’ ବ୍ଲକର ଏକ କ୍ବାର୍ଟରରେ ରହୁଥିବା ଜଣେ କର୍ମଚାରୀ ତା ସଂଲଗ୍ନ ଏକ କ୍ବାର୍ଟର୍ସକୁ ଭଡ଼ାରେ ନେଇଥିଲେ। ସେଠାରେ ପ୍ରାୟ ୩/୪ ବର୍ଷ ଧରି ନିରଙ୍କୁଶଭାବେ ଦେହ ବେପାର ଚାଲିଥିଲା। ତେବେ ଗତ ୨୦୧୯ ମସିହା ସେପ୍ଟେମ୍ବର ୧ ତାରିଖ ମଧ୍ୟରାତ୍ରୀରେ ପୁଲିସ ଅତର୍କିତ ଚଢ଼ଉକରି ରାଣୀ ମହୁମାଛି ସମେତ ଦୁଇ ଗ୍ରାହକ ଓ ପଶ୍ଚିମବଙ୍ଗର ୩ ଜଣ ଦେହଜୀବୀଙ୍କୁ ଉଦ୍ଧାର କରିଥିଲା। ପ୍ରାୟ ୮/୧୦ ପୂର୍ବେ ମଧ୍ୟ ସେକ୍ଟର ଅଞ୍ଚଳରେ ଚାଲିଥିବା କୁଖ୍ୟାତ ସେକ୍ସ ରୢାକେଟ୍‌ ଗ୍ୟାଙ୍ଗ୍‌କୁ ପୁଲିସ ଗିରଫ କରିଥିଲା।

ଏଭଳି ମନମର୍ଜିରେ ଠିକାଦାରଙ୍କ ଜରିଆରେ ଅସାମାଜିକ ତତ୍ତ୍ବଙ୍କୁ ଘର ଭଡ଼ା ଦେଇ ଆର୍‌ଏସ୍‌ପି ବହୁ ପରିମାଣର ରାଜସ୍ବ ହରାଇବା ସହ ଅପବାଦ ମୁଣ୍ଡାଇବାରେ ଲାଗିଛି। ନିୟମିତ ବ୍ୟବଧାନରେ ଏଭଳି ବଡ଼ ଧରଣର ଅନୈତିକ କାର୍ଯ୍ୟକଳାପର ପର୍ଦ୍ଦାଫାସ ହେଉଛି। ଆର୍‌ଏସ୍‌ପି କର୍ତ୍ତୃପକ୍ଷ ପରିତ୍ୟକ୍ତ ଘର କହି ଦୋଷ ଖସାଇବା ନୀତି ଆପଣେଇଥିବା ଅଭିଯୋଗ ହୁଏ। ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ପକେଟ ଗରମ କରି ଠିକାଦାରମାନେ କ୍ବାର୍ଟର୍ସଗୁଡ଼ିକୁ ମନଇଚ୍ଛା ବିଭିନ୍ନ କାମରେ ଭଡ଼ାରେ ଲଗାଉଥିବା ରାଉରକେଲାରେ ସମସ୍ତେ ଜାଣନ୍ତି। ଏପରି ସ୍ଥିତିରେ ଠିକାଦାର-ସହରସେବା ବିଭାଗ କର୍ମଚାରୀଙ୍କ ଭିତିରିଆ ବୁଝାମଣାରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର