ମାଣିଦା/ଗାଁଅମର୍ଦା : ଡାଆଣୀ ସନ୍ଦେହରେ ବୃଦ୍ଧା ମା ଓ ଝିଅକୁ ଅକଥନୀୟ ନିର୍ଯାତନା ଦେବା ପରେ ପରିବାରକୁ ଗାଁରୁ ବାସନ୍ଦ କଲେ ଗ୍ରାମବାସୀ। ହେଲେ ଏତିକିରେ ମନ ବୁଝିଲାନି ଯେ ନିସ୍ତୁକ ମାଡ଼ ମାରି ପୂରା ପରିବାରକୁ ନେଇ ଜଙ୍ଗଲରେ ଛାଡ଼ିଦେଲେ।

Advertisment

ପୀଡ଼ିତା ହେଲେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଝାଟିଅଡ଼ାର ଗ୍ରାମର ବାଲି ହେମ୍ବ୍ରମ୍‌ (୨୨) ଓ ତାଙ୍କ ମା। ବାଲିଙ୍କ କହିବା ଅନୁଯାୟୀ ତାଙ୍କ ସ୍ବାମୀ ବାହାରେ ଦାଦନ ଖଟୁଥିବା ବେଳେ ଗାଁରେ ସେ ନିଜ ମା ଓ ଦୁଇ ଛୋଟ ପିଲାଙ୍କୁ ନେଇ ରହୁଥିଲେ। ଗତ କିଛି ଦିନ ହେଲା ଗାଁରେ କେତେକ ଲୋକଙ୍କ ଅକାଳ ମୃତ୍ୟୁ ଘଟିଥିଲା। ଏଥିପାଇଁ ତାଙ୍କ ମାଙ୍କୁ ଦାୟୀ କରି ଆସୁଥିଲେ ଗ୍ରାମବାସୀ। ସେ ଡାଆଣୀ ହୋଇ ଲୋକଙ୍କ ଜୀବନ ନେଉଥିବା ମିଥ୍ୟା ଆରୋପ ଲଗାଇ ତାଙ୍କ ପରିବାରକୁ ନିର୍ଯାତନା ଦେଉଥିଲେ। ଏମିତିକି ଗତକାଲି ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ ବସାଇ ସର୍ବସମ୍ମୁଖରେ ବାଲିଙ୍କୁ ଘୋଷାଡ଼ି ଘୋଷାଡ଼ି ନିସ୍ତୁକ ମାଡ଼ ମାରିଥିଲେ ଓ ତାଙ୍କ ମାଙ୍କୁ ଜଣଙ୍କ ଘରେ ବାନ୍ଧି ରଖିଥିଲେ। ତୁରନ୍ତ ଗାଁ ଛାଡ଼ି ଜଙ୍ଗଲକୁ ଚାଲିଯିବାକୁ କଙ୍ଗାରୁ କୋର୍ଟ ନିଷ୍ପତ୍ତି ଶୁଣାଇ ସମସ୍ତଙ୍କୁ ନେଇ ଜଙ୍ଗଲରେ ଛାଡ଼ି ଆସିଥିଲେ ଗ୍ରାମବାସୀ।

ତେବେ ରାତିରେ ନିଜ ମା ଓ ଛୋଟ ପିଲା ଦୁଇଜଣଙ୍କୁ ଧରି ସ୍ଥାନୀୟ ବିଦ୍ୟାଳୟରେ ଆତ୍ମଗୋପନ କରିବା ପରେ ଗୁରୁବାର ସକାଳେ ବାଲି ପ୍ରଥମେ ଗାଁଅମର୍ଦ୍ଦା ଫାଣ୍ଡି ଓ ପରେ ରାସଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ରଞ୍ଜନ କୁମାର ସେଠୀ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଏହି ସ୍ପର୍ଶକାତର ମାମଲାରେ ଏଯାଏ କାହାକୁ ଗିରଫ କରାଯାଇନାହିଁ।