ଅସମ୍ଭାଳ ଭିଡ଼: ଚାରିଦ୍ବାର ଖୋଲିଲା, ବଦଳିଲାନି ବ୍ୟବସ୍ଥା

ପୁରୁଣା ବ୍ୟବସ୍ଥାରେ ଚାଲିଛି ଦର୍ଶନ, ପର୍ଯ୍ୟାୟକ୍ରମେ ଚାରିଦ୍ବାରରୁ ଭକ୍ତଙ୍କୁ ଛାଡ଼ିଲେ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତ ଆଜି ଅସହ୍ୟ ଯନ୍ତ୍ରଣା ପାଇଛନ୍ତି। ମୁଣ୍ଡଫଟା ଖରାରେ ଶ୍ରୀମନ୍ଦିର ଭିତରେ ଓ ବାହାରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ସହ ତିକ୍ତ ଅନୁଭୂତି ନେଇ ଫେରିଛନ୍ତି। ରାଜ୍ୟରେ ନୂଆ ବିଜେପି ସରକାର ଆସିବା ପରେ ପ୍ରତିଶ୍ରୁତି ପାଳନ ସ୍ବରୂପ ଶ୍ରୀମନ୍ଦିର ଚାରିଦ୍ବାର ଭକ୍ତଙ୍କ ପାଇଁ ଖୋଲାଯାଇଛି। ମହାପ୍ରଭୁଙ୍କ ଅଗଣିତ ଭକ୍ତ, ବୁଦ୍ଧିଜୀବୀ, ସେବାୟତ ବହୁଦିନ ଧରି ଏହି ଦାବି କରିଥିଲେ। ଦାବି ପୂରଣ ପରେ ସମସ୍ତେ ଖୁସିବ୍ୟକ୍ତ କରିଛନ୍ତି ଓ ଏହି ନିଷ୍ପତ୍ତିକୁ ସ୍ବାଗତ ବି ଜଣାଇଛନ୍ତି। କିନ୍ତୁ ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ ହେଲାନାହିଁ। ଫଳସ୍ବରୂପ ପୂର୍ବଭଳି ଶ୍ରୀମନ୍ଦିରରେ ଭିଡ଼ ଲାଗୁଛି ଓ ଭକ୍ତ ଯନ୍ତ୍ରଣା ପାଉଛନ୍ତି। ତୁରନ୍ତ ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ସହ ସାତପାହାଚଠାରୁ ନାଟମଣ୍ଡପ, ଭିତର କାଠ ପର୍ଯ୍ୟନ୍ତ ମାନବଶୃଙ୍ଖଳ ଜରିଆରେ ଧାଡ଼ି କରି ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା କରିବାକୁ ଦାବି ହୋଇଛି। ଆଜି ପୂର୍ବଭଳି ଶ୍ରୀମନ୍ଦିର ଭିତରେ ସାତପାହାଚଠାରୁ ଭକ୍ତଙ୍କୁ ପର୍ଯ୍ୟାୟକ୍ରମେ ଶ୍ରୀମନ୍ଦିର ନାଟମଣ୍ଡପ ଭିତରକୁ ଛଡ଼ାଯାଇଛି। କିନ୍ତୁ ନାଟମଣ୍ଡପ ଭିତର ବ୍ୟବସ୍ଥା କେହି ଅନୁଧ୍ୟାନ କରୁନାହାନ୍ତି କି ଦର୍ଶନ କିଭଳି ଶୃଙ୍ଖଳିତ ହେବ ବୁଝୁନାହାନ୍ତି।

ଫଳରେ ଭକ୍ତ ନାଟମଣ୍ଡପ ଭିତରକୁ ଦର୍ଶନ ପାଇଁ ଯାଇ ଆଉ ବାହାରୁନାହାନ୍ତି। ଯାହା ଶ୍ରୀମନ୍ଦିର ଭିତର ଭିଡ଼ ବଢ଼ାଇବା ସହ ଭକ୍ତଙ୍କ ଯନ୍ତ୍ରଣା ବି ବଢ଼ାଉଛି। ଅପରପକ୍ଷେ ଚାରିଦ୍ବାରରୁ ଭକ୍ତ ଧାଡ଼ିରେ ଯାଉଥିଲେ ବି ସାତପାହାଚ ବ୍ୟାରିକେଡ୍‌ଠାରେ ଅଟକୁଥିଲେ। ଶ୍ରୀମନ୍ଦିର ଭିତର ବେଢ଼ାରେ ବି ଅସମ୍ଭାଳ ଭିଡ଼ ରହିଥିଲା। ଶେଷରେ ଆଜି ଚାରିଦ୍ବାରରୁ ଭକ୍ତଙ୍କୁ ପର୍ଯ୍ୟାୟକ୍ରମେ ଶ୍ରୀମନ୍ଦିର ଭିତରକୁ ଛଡ଼ାଯାଇଥିଲା। ଫଳସ୍ବରୂପ ଆଜି ଉଭୟ ଶ୍ରୀମନ୍ଦିର ଭିତରେ ଓ ବାହାରେ ଭକ୍ତ କଷ୍ଟ ପାଇଛନ୍ତି। ଏପରିକି ଦାୟିତ୍ବରେ ଥିବା ପୁଲିସ ଅଧିକାରୀମାନେ ମଧ୍ୟ ଏନେଇ ସରକାରଙ୍କୁ କୌଣସି ପ୍ରସ୍ତାବ ଦେଇନଥିବାରୁ ସମସ୍ୟାର ସମାଧାନ ହୋଇପାରୁନଥିବା କୁହାଯାଉଛି। ଅପରପକ୍ଷେ ପୂର୍ବରୁ ଭିତରେ ଭିଡ଼ ନିୟନ୍ତ୍ରଣ ପାଇଁ ଯେତିକି ପୁଲିସ ଥିଲେ, ସେହି ସଂଖ୍ୟାରେ ମଧ୍ୟ ଆଉ ବୃଦ୍ଧି କରାଯାଇନଥିବାରୁ ଅବ୍ୟବସ୍ଥା ଅଧିକ ହୋଇଛି।

ଆଜି ଥିଲା ଶନିବାର ଓ ରଜ ପାଇଁ ସରକାରୀ ଛୁଟି। ଆସନ୍ତାକାଲି ରବିବାର ଛୁଟିଦିନ। ପ୍ରତି ସପ୍ତାହରେ ଶନିବାର ଓ ରବିବାର ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଲାଗେ। ରାଜ୍ୟ ତଥା ରାଜ୍ୟ ବାହାରୁ ବହୁସଂଖ୍ୟାରେ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥାନ୍ତି। ଯେହେତୁ ଶନିବାର ଓ ରବିବାର, ଏଭଳି ଦୁଇଦିନିଆ ଛୁଟି ପଡ଼ିଛି, ତେଣୁ ପୁରୀକୁ ହଜାର ହଜାର ଭକ୍ତଙ୍କ ସୁଅ ଛୁଟିଛି। ଆଜି ସକାଳୁ ହିଁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ଆରମ୍ଭ ହୋଇଯାଇଥିଲା। ସମୟ ଗଡ଼ିବା ସହ ଭକ୍ତଙ୍କ ଧାଡ଼ି ବି ବଢ଼ିଥିଲା। ଭିତର ଭିଡ଼ କମିବା ପରେ ଚାରିଦ୍ବାରରୁ ପର୍ଯ୍ୟାୟକ୍ରମେ ସିଂହଦ୍ବାର, ଉତ୍ତରଦ୍ବାର, ପଶ୍ଚିମଦ୍ବାର ଓ ଦକ୍ଷିଣଦ୍ବାର ଦେଇ ଭକ୍ତଙ୍କୁ ଛଡ଼ାଯାଇଥିଲା। ଯେଉଁଥିପାଇଁ ବାହାରେ ଭକ୍ତଙ୍କ ଲମ୍ବାଧାଡ଼ି ଦେଖିବାକୁ ମିଳିଥିଲା। ହଜାର ହଜାର ଭକ୍ତ ଦର୍ଶନ ପାଇଁ ଧାଡ଼ିରେ ଛିଡ଼ା ହୋଇଥିଲେ। ଭିଡ଼ ଏତେ ବଢ଼ି ଯାଇଥିଲା ଯେ ସିଂହଦ୍ବାର ଦେଇ ଦର୍ଶନ ପାଇଁ ଅପେକ୍ଷା କରିଥିବା ଭକ୍ତଙ୍କ ଧାଡ଼ି ସିଂହଦ୍ବାର ରଥ ଚକଡ଼ାଠାରୁ ଦୋଳବେଦି କୋଣ ରାସ୍ତା, ବ୍ୟାରିକେଡ୍‌ ଦେଇ ପୁଣି ସିଂହଦ୍ବାର ପର୍ଯ୍ୟନ୍ତ ଲମ୍ବିଥିଲା। ସେହିଭଳି ପଶ୍ଚିମଦ୍ବାର, ଦକ୍ଷିଣଦ୍ବାର ଧାଡ଼ି ଗାଣ୍ଡୁଆ ଚଉରା ଛକ ପର୍ଯ୍ୟନ୍ତ ଲମ୍ବି ଯାଇଥିଲା। ଆଜି ରାତି ପର୍ଯ୍ୟନ୍ତ ବି ଏହି ଭିଡ଼ ଲାଗି ରହିଥିଲା।

ଶ୍ରୀମନ୍ଦିର ଛାମୁ ଖୁଣ୍ଟିଆ ନିଯୋଗ ସଭାପତି ହଜୁରି କୃଷ୍ଣଚନ୍ଦ୍ର ଖୁଣ୍ଟିଆ କହିଛନ୍ତି, ସାତପାହାଚ ଓ ନାଟମଣ୍ଡପ ଭିଡ଼ ଯୋଗୁ ଏଭଳି ସମସ୍ୟା ଉପୁଜୁଛି। ସାତପାହାଚଠାରୁ ଯଦି ଧାଡ଼ି କରି ଭକ୍ତଙ୍କୁ ଧାଡ଼ିରେ ଛଡ଼ାଯିବ, ଆଉ ଭିଡ଼ ରହିବନି। ଭକ୍ତମାନେ ଆଉ ନାଟମଣ୍ଡପରେ ଅଟକିବେନି। ଏମିତି ହେଲେ ସବୁ ଭକ୍ତ ଶ୍ରୀମୁଖ ଦର୍ଶନର ସୌଭାଗ୍ୟ ବି ପାଇପାରିବେ ବୋଲି ଶ୍ରୀ ଖୁଣ୍ଟିଆ କହିଛନ୍ତି।

ସମ୍ବନ୍ଧିତ ଖବର