ପ୍ରତିଯୋଗିତାମୂଳକ ପରୀକ୍ଷା ଠାରୁ ଆରମ୍ଭ କରି ଅବସର ବିନୋଦନ ଯାଏ, ସବୁ ସମୟରେ ପାଠାଗାରଟି ନିହାତି ଆବଶ୍ୟକ ଥାଏ। ଗୋଟିଏ ଅଞ୍ଚଳର ବୌଦ୍ଧିକ ପରିଚୟ ହେଉଛି ସେଠାକାର ପାଠାଗାର। ସେଥି ପାଇଁ ବହୁ ବର୍ଷ ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପାଠାଗାର ନିର୍ମାଣ କରାଯାଇଥିଲା। ଏବେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଯୁଗରେ ହାତ ପାହାନ୍ତାରେ ସବୁ ସୂଚନା ମିଳିଯାଉଥିବାରୁ ପାଠାଗାରର ଚାହିଦା କିଛିଟା କମିଛି ସତ। କିନ୍ତୁ ଏବେ ବି ବହୁ ଜ୍ଞାନପିପାପୁ ବ୍ୟକ୍ତି, ଛାତ୍ରଛାତ୍ରୀ ପାଠାଗାର ଉପରେ ନିର୍ଭର କରୁଛନ୍ତି। ପରିବର୍ତ୍ତିତ ଯୁଗକୁ ଚାହିଁ ପାଠାଗାରଟିକୁ ସେତିକି ଆଧୁନିକ ‌କଲେ, ତାହା ନିଶ୍ଚିତ ଭାବେ ପାଠକଙ୍କୁ ଆକର୍ଷିତ କରିବ। ଏକ ସୁସ୍ଥ ତଥା ଉନ୍ନତ ସମାଜ ଗଠନରେ ସହାୟ ହେବ। ରାଜ୍ୟ ସରକାର ଏହା ମଧ୍ୟରେ କଟକର ବିଶ୍ବନାଥ ପଣ୍ଡିତ ପାଠାଗାର ନିର୍ମାଣ ସହ ଭୁବନେଶ୍ବରରେ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରର ନବୀକରଣ ପାଇଁ ଅଣ୍ଟା ଭିଡ଼ିଛନ୍ତି। ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। କିନ୍ତୁ ଜିଲ୍ଲାଗୁଡ଼ିକରେ ସ୍ଥିତି ଦୟନୀୟ। ଜିଲ୍ଲା ପାଠାଗାରଗୁଡ଼ିକରେ କର୍ମଚାରୀ ଅଭାବ ଓ ଅସଜଡ଼ା ଭିତ୍ତିଭୂମି ପାଠକମାନଙ୍କୁ ପାଠାଗାରରୁ ମୁହଁ ମୋଡ଼ିବାକୁ ଏକପ୍ରକାର ବାଧ୍ୟ କରୁଛି। ଅତି କମ୍‌ରେ ଜିଲ୍ଲା ମୁଖ୍ୟାଳୟରେ ଥିବା ପାଠାଗାରର ବିକାଶ ଦିଗରେ ସରକାର ଯତ୍ନବାନ ହେବାକୁ ଦାବି ଉଠୁଛି।

Advertisment

କର୍ମଚାରୀ ନାହାନ୍ତି ବୋଲି...

ବାଲେଶ୍ବର: ବାଲେଶ୍ବର ସହର ମଲ୍ଲିକାଶପୁରସ୍ଥିତ ବ୍ୟା​ସକବି ଫକୀରମୋହନ ସେନାପତିଙ୍କ ପୈତୃକ ବାସଭବନକୁ ଜିଲ୍ଲା ପାଠାଗାର ଓ ସଂଗ୍ରହାଳୟ ଭାବେ ବ୍ୟବହାର କରୁଛି ସଂସ୍କୃତି ବିଭାଗ। ପାଠାଗାରରେ ୨୮ ହଜାର ୫୦୦ ଖଣ୍ଡ ଉପାଦେୟ ପୁସ୍ତକ ରହିଥିବା ବେଳେ ଗ୍ରନ୍ଥାଗାରିକ ଓ କର୍ମଚାରୀ ନଥିବାରୁ ସେଗୁଡ଼ିକୁ ଆଲମାରିରେ ରଖି ତାଲା ପକାଇ ଦିଆଯାଇଛି। ପ୍ରତିଦିନ ପାଠାଗାରକୁ ବହୁସଂଖ୍ୟାରେ ପାଠକ ଓ ଛାତ୍ରଛାତ୍ରୀ ଆସୁଛନ୍ତି, ହେଲେ ବହି ପଢ଼ିବାକୁ କେହି ସୁଯୋଗ ପାଉନାହାନ୍ତି। ାଲେଶ୍ବର ଜିଲ୍ଲା ପାଠାଗାରରେ ବ୍ୟାସକବି ଫକୀରମୋହନ, କବିବର ରାଧାନାଥ ରାୟ, ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସହିତ ଓଡ଼ିଆ ସାହିତ୍ୟର ଅନେକ ପ୍ରଥିତଯଶା କବି, ଲେଖକ ଓ ସାହିତ୍ୟିକଙ୍କ ଦ୍ବାରା ରଚିତ ବହୁ ପ୍ରାଚୀନ ତଥା ଦୁର୍ଲଭ ପୁସ୍ତକ ରହିଛି। ଏହାଛଡ଼ା ବିଭିନ୍ନ ପ୍ରତିଯୋଗିତାମୂଳକ ପୁସ୍ତକ, ଖବରକାଗଜ, ପତ୍ରିକା ମଧ୍ୟ ଏହି ପାଠାଗାରରେ ଉପଲବ୍ଧ। ସରକାରୀ ଛୁଟି ଓ ସାପ୍ତାହିକ ଛୁଟି (ସୋମବାର)କୁ ବାଦ୍‌ ଦେଲେ ପ୍ରତିଦିନ ପୂର୍ବାହ୍ନ ୧୦ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ପାଠାଗାର ଖୋଲା ରହିଥାଏ। ତେଣୁ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି, ଶିକ୍ଷକ, ଅଧ୍ୟାପକ, ସାହିତ୍ୟିକ ତଥା ଅବସରପ୍ରାପ୍ତ କର୍ମଚାରୀମାନେ ପ୍ରତିଦିନ ଏଠାକୁ ବହି, ଖବରକାଗଜ ଓ ପତ୍ରପତ୍ରିକା ପଢ଼ିବାକୁ ଆସିଥାନ୍ତି। ମାତ୍ର ଗତବର୍ଷ ସେପ୍ଟେମ୍ବର ମାସରେ ଏଠାରେ କାର୍ଯ୍ୟରତ ପିଅନ ଓ ଗ୍ରନ୍ଥାଗାରିକ ଅବସର ନେବା​ ପରେ ପାଠାଗାର କେବଳ ନାଁକୁ ଖୋଲାଯାଉଛି। ପାଠକ ଓ ଛାତ୍ରଛାତ୍ରୀ ପ୍ରତିଦିନ ପଢ଼ିବାକୁ ଆସୁଥିବାରୁ ସେମାନଙ୍କ ପାଇଁ କିଛି ସମୟ ଖୋଲା ରହୁଛି ପାଠାଗାର। କିନ୍ତୁ କେହି ବହି ପଢ଼ି ପାରୁନାହାନ୍ତି।

ସେପଟେ ଦୀର୍ଘଦିନ ଧରି ଆଲମାରିରେ ବିନା ରକ୍ଷଣାବେକ୍ଷଣରେ ପଡ଼ି ରହିଥିବା ଅନେକ ପୁରୁଣା ବହି ନଷ୍ଟ ହୋଇଗଲାଣି। ଏଭଳି ପରିସ୍ଥିତିରେ ସଂସ୍କୃତି ଭବନର ଜଣେ କର୍ମଚାରୀ ଓ ଜଣେ ଅସ୍ଥାୟୀ ଜଗୁଆଳିଙ୍କୁ ପାଠାଗାର ଜଗିବାକୁ ଦାୟିତ୍ବ ଦିଆଯାଇଛି। ଜିଲ୍ଲା ସଂସ୍କୃତି ଅଧିକାରୀ ମନସ୍ବିନୀ ରାଉତ କହିଛନ୍ତି, ଜିଲ୍ଲା ପାଠାଗାରରେ ଗ୍ରନ୍ଥାଗାରିକ ଓ କର୍ମଚାରୀ ସମସ୍ୟା ନେଇ ବିଭାଗକୁ ଚିଠି ଲେଖାଯାଇଛି। ସେହିପରି ପାଠାଗା‌ରରେ ଥିବା ପୁରୁଣା ତଥା ପ୍ରାଚୀନ ଗ୍ରନ୍ଥାବଳୀଗୁଡ଼ିକର ଡିଜିଟାଇଜେସନ୍‌ ପାଇଁ ଏଠାରେ ଇ-ଲାଇବ୍ରେରି ବ୍ୟବସ୍ଥା ଉପଲବ୍ଧ କରିବାକୁ ଯୋଜନା କରାଯାଇଥିଲା। ଏଥିପାଇଁ ୪ ଲକ୍ଷ ୭୫ ହଜାର ଟଙ୍କା ମଞ୍ଜୁର ହୋଇ କମ୍ପ୍ୟୁଟର, ପ୍ରିଣ୍ଟର୍‌, ସ୍କାନର୍‌ ଆଦି କିଣାଯାଇଛି। ମାତ୍ର ସେଗୁଡ଼ିକ ମଧ୍ୟ ବ୍ୟବହାର ନ ହୋଇ ଷ୍ଟୋରରୁମ୍‌ରେ ଖତ ଖାଉଛି।
ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ ପାତ୍ରଙ୍କ ଘର ଏହି ଜିଲ୍ଲାରେ। ଓଡ଼ିଆ ଭାଷାକୁ ବଞ୍ଚାଇ ରଖିବା ପାଇଁ ପାଠାଗାରଗୁଡ଼ିକର ଭୂମିକା ଗୁରୁତ୍ବପୂର୍ଣ୍ଣ ଥିବା ବେଳେ ମନ୍ତ୍ରୀଙ୍କୁ ପୂର୍ବରୁ ଏ ବାବଦରେ ଅନେକ ଥର ଅବଗତ କରାଯାଇଛି। ଜିଲ୍ଲା ପାଠାଗାରକୁ ବ୍ୟବସ୍ଥିତ ତଥା ଅତ୍ୟାଧୁନିକ କରିବା ପାଇଁ ମନ୍ତ୍ରୀ ଶ୍ରୀ ପାତ୍ର ପଦକ୍ଷେପ ନେବାକୁ ବାଲେଶ୍ବରର ବୁଦ୍ଧିଜୀବୀ ଓ ସାହିତ୍ୟିକ ମହଲ ଅନୁରୋଧ କରିଛନ୍ତି।

ସମ୍ବଲପୁର ସରକାରୀ ପାଠାଗାର, ରାତ୍ର ଜଗୁଆଳିଙ୍କ ହାତରେ ସବୁକିଛି
ସମ୍ବଲପୁର: ସମ୍ବଲପୁର ସହରର କେନ୍ଦ୍ରସ୍ଥଳ ଗୋଲବଜାରରେ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ବାରା ପରିଚାଳିତ ହେଉଛି ସୂଚନା କେନ୍ଦ୍ର ଓ ପାଠାଗାର। ଆଗରୁ ସକାଳେ ଓ ସନ୍ଧ୍ୟାରେ ଏଠାରେ ପାଠକଙ୍କ ଭିଡ଼ ଜମୁଥିଲା। ଏବେ କିନ୍ତୁ ଖାଁ ଖାଁ। କର୍ମଚାରୀ ନାହାନ୍ତି। ରାତ୍ର ଜଗୁଆଳିଙ୍କ ଭରସାରେ ଚାଲିଛି ପାଠାଗାର। ‌କେବଳ ଗୋଟିଏ ବେଳା ଖୋଲା ରହୁଛି। ସକାଳ ୮ଟାରୁ ୧୧ଟା ପର୍ଯ୍ୟନ୍ତ। କେଉଁ ଦିନ କେହି କେହି ପାଠକ ଆସୁଛନ୍ତି ତ କେଉଁ ଦିନ ପୂରା ଖାଲି ପଡ଼ୁଛି। କିଛି ଖବରକାଗଜ ଆସୁଛି। ହେଲେ, ବହି ସବୁ ପୁରୁଣା। ଅନେକ ବର୍ଷ ହେଲା ନୂଆ ବହି ଆଉ ଆସିନାହିଁ। ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଛି ସମ୍ବଲପୁରର ବହୁ ପୁରାତନ ପାଠାଗାର। ଆଗରୁ ବିଭିନ୍ନ ସମୟରେ ଆଲୋଚନାଚକ୍ର, କବିତା ପା‌ଠୋତ୍ସବ ଆଦି ଅନୁଷ୍ଠିତ ହେଉଥିଲା। କିଏ ଖବରକାଗଜ ପଢ଼ିବା ପାଇଁ ଆସୁଥିଲେ ତ କିଏ ପୁସ୍ତକ। ଅନେକ ପିଲା ପୁଣି ଚାକିରି ନିମନ୍ତେ ଏଠାକୁ ଆସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ। ହେଲେ, ସେହି ସମୟ ଆଉ ନାହିଁ। ସରକାରୀ ଅବହେଳାର ଶିକାର ହୋଇଛି ଏହି ପାଠାଗାର। ଏଠାରେ ଜଣେ ମାତ୍ର କର୍ମଚାରୀ ହେଉଛନ୍ତି ରାତ୍ର ଜଗୁଆଳି। ତେବେ ଚନ୍ଦ୍ରଶେଖର ବେହେରା ଜିଲ୍ଳା ସ୍କୁଲ ପାଖରେ ଥିବା ସାର୍ବଜନୀନ ପାଠାଗାର(ପବ୍ଲିକ ଲାଇବ୍ରେରି)ରେ ପାଠକଙ୍କ ଭିଡ଼ ଦେଖିବାକୁ ମିଳୁଛି। କିଛି ବଦାନ୍ୟ ବ୍ୟକ୍ତିଙ୍କ ଦାନରେ ଗଢ଼ି ଉଠିଛି ଏହି ପାଠାଗାର। ସହରର କେତେକ ବୁଦ୍ଧିଜୀବୀଙ୍କୁ ନେଇ ଗଠିତ ପାଠାଗାର ପରିଚାଳନା କମିଟିର ସଦସ୍ୟ ଆର୍ଥିକ ସହାୟତାରେ ପ୍ରାୟ ପରିଚାଳିତ ହେଉଛି ଏହି ପାଠଗାର। ୨୦୦୩ ମସିହାରେ ପ୍ରଖ୍ୟାତ କବି ଜୟନ୍ତ ମହାପାତ୍ର ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ପାଠାଗାରରେ ପ୍ରତିଦିନ ୫୦ରୁ ଅଧିକ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ନିଯୁକ୍ତି ପାଇଁ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ନିମ‌ନ୍ତେ ପୁଣି ବହୁ ଛାତ୍ରଛାତ୍ରୀ ଏଠାକୁ ଆସୁଛନ୍ତି। ସକାଳ ୯ଟାରୁ ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ଖୋଲା ରହୁଛି। ଅପରପକ୍ଷରେ ରବିବାର ଦିନ ଛାତ୍ରଛାତ୍ରୀମାନଙ୍କ ବୌଦ୍ଧିକ ବିକାଶ ନିମନ୍ତେ ସ୍ବତନ୍ତ୍ର ଭାବେ ବିଭିନ୍ନ ପ୍ରସଂଗଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। କେବଳ ସେତିକି ନୁହେଁ, ଏଠାକାର ସମ୍ମିଳନୀ କକ୍ଷ ସଭା ଆୟୋଜନ ନିମନ୍ତେ ଏକ ଉତ୍ତମ ଜାଗାରେ ପରିଣତ ହୋଇଛି।

ପାଣିରେ ପଡ଼ିଲା ଡିଏମ୍‌ଏଫ୍‌ ଅନୁଦାନ, କୋଟିଏ ଟଙ୍କାର ଜିଲ୍ଲା ପାଠାଗାରରେ ତାଲା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ଲୋକଙ୍କ ମଧ୍ୟରେ ବହି ପଢ଼ିବା ପ୍ରତି ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ୨୦୨୦ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ସୁନ୍ଦରଗଡ଼ ବହି ପଢ଼’ ନାମରେ ଏକ ଅଭିନବ ଅଭିଯାନ ଆରମ୍ଭ କରାଯାଇଥିଲା। ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅନୁଦାନରେ ଜିଲ୍ଲା ପାଠାଗାର ଓ ରାଉରକେଲା ପାଠାଗାରର ନବୀକରଣ ସହ ଜିଲ୍ଲା ସଂସ୍କୃତି ଭବନ, ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ, ହେମଗିର, ଲେଫ୍ରିପଡା, ବଣାଇରେ ଖୋଲାଯାଇଥିଲା ପାଠାଗାର। ତତ୍‌କାଳୀନ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ବ୍ୟକ୍ତିଗତ ଆଗ୍ରହ ଯୋଗୁ ଉକ୍ତ ଅଭିଯାନ ଏକ ପ୍ରକାର ଆନ୍ଦୋଳନରେ ପରିଣତ ‌ହୋଇଥିଲା। ସ୍କୁଲ ପିଲାଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ବେଶ ଉତ୍ସାହର ସହ ପାଠାଗାରକୁ ଯାଇ ବହି ପଢ଼ୁଥିଲେ ଓ ସେଠାରେ ଆୟୋଜିତ ପ୍ରତିଯୋଗିତାରେ ଭାଗ ନେଉଥିଲେ। ପରବର୍ତ୍ତୀ ସମୟରେ ଜିଲ୍ଲା ପ୍ରଶାସନର ଉଦାସୀନତା କାରଣରୁ ପାଠାଗାରଗୁଡ଼ିକରେ ତାଲା ଝୁଲୁଛି। ଯାହା ଫଳରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନର କୋଟିଏ ଟଙ୍କା ପାଣିରେ ପଡ଼ିଥିବା ଚର୍ଚ୍ଚା ହେଉଛି। ଜିଲ୍ଲା ପାଠାଗାର ସମେତ ଏ ସମସ୍ତ ପାଠାଗାରର ପରିଚାଳନା ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅର୍ଥରେ ୬ ଜଣ ପରିଚାଳକଙ୍କୁ ନିଯୁକ୍ତି ଦିଆଯାଇଥିଲା। ବର୍ତ୍ତମାନର ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଗତ ଏପ୍ରିଲରୁ ସେମାନଙ୍କୁ ପଦରୁ ହଟାଇ ଦିଆଯାଇଛି। କେବଳ ସେତିକି ନୁହେଁ, ୬ ଜଣ ପରିଚାଳକଙ୍କୁ ୭ ମାସର ଦରମା ଦିଆଯାଇ ନାହିଁ। ପରିଚାଳକ ନଥିବାରୁ ପାଠାଗାର ସବୁ ଏକ ପ୍ରକାର ବନ୍ଦ ହୋ‌ଇଯାଇଛି। ଉଲ୍ଲେଖଯୋଗ୍ୟ, ‘ବହି ପଢ଼’ ଅଭିଯାନରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅନୁଦାନର ପ୍ରାୟ ୭୦ ଲକ୍ଷ ଟଙ୍କା ବ୍ୟୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ଜିଲ୍ଲା ସୂଚନାକେନ୍ଦ୍ର ଓ ପାଠାଗାରର ନବୀକରଣ କରାଯାଇଥିଲା। ଜନଗହଳିପୂର୍ଣ୍ଣ ସ୍ଥାନରେ ପାଠାଗାରଟି ଖୋଲିଥିବାରୁ ପ୍ରତିଦିନ଼ ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ପଢ଼ିବାକୁ ଆସୁଥିଲେ। ସେତେବେଳେ ପାଠାଗାରର ପରିଚାଳକ ଓ ପିଅନ ଅବସର ନେବା ପରେ ୨୦୨୨ ମାର୍ଚ୍ଚ ୩୧ରେ ଏକ ବହିର୍ଉତ୍ସ ସଂସ୍ଥାରୁ ପରିଚାଳକ ନିଯୁକ୍ତ କରାଯାଇଥିଲା। କିନ୍ତୁ ତାଙ୍କୁ ହଟାଇ ଦିଆଗଲା ପରେ ପାଠାଗାର ପାଇଁ ଆଉ ନିଯୁକ୍ତି କରାଯାଇ ନାହିଁ। କର୍ମଚାରୀ ଅଭାବରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ କୋଠା ସହ ବହୁ ମୂଲ୍ୟବାନ ପୁସ୍ତକ ଓ ଉପକରଣ ସେମିତି ଅବ୍ୟବହୃତ ହୋଇ ପଡ଼ିରହିଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ପାଇଁ ରାଜ୍ୟ ସରକାର ଗୁରୁତ୍ବ ଦେଇ ବିଭିନ୍ନ କାର୍ଯ୍ୟକ୍ରମ କରି ଆସୁଥିଲା ବେଳେ ସେହି କାର୍ଯ୍ୟକ୍ରମର ଏକ ପ୍ରମୁଖ ଅଂଶ ପାଠାଗାର ଅଭିଯାନ ପ୍ରତି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ଏପରି ନକରାତ୍ମକ ମନୋଭାବକୁ ବୁଦ୍ଧିଜୀବୀମାନେ ନିନ୍ଦା କରିଛନ୍ତି।