ନୂଆ ରୂପରେ ଛୁଆଁ ଅଛୁଆଁ : କି ଅବସ୍ଥାକୁ ଆସିଲାଣି ମଣିଷ! କରୋନା ରୋଗୀର ଶବ ଘଣ୍ଟା ଘଣ୍ଟା ଧରି ପଡ଼ି ରହୁଛି

ସଚେତନ ପାଇଁ ଆବଶ୍ୟକ ସାମାଜିକ ଆନ୍ଦୋଳନ

ଭୁବନେଶ୍ୱର : କେହି କାହାକୁ ଛୁଇଁବେନି, କାହା ସହିତ ହାତ ମିଳେଇବେନି, ଏକାଠି ପାଖାପାଖି ବସିବେନି ଆଉ ସଂକ୍ରମିତ ଚିହ୍ନଟ ହେଲେ ତାକୁ ସମ୍ପୂର୍ଣ୍ଣ ଭାବେ ଅଲଗା ରଖିବାକୁ ସରକାରୀ ବ୍ୟବସ୍ଥା କାର୍ଯ୍ୟ କରୁଛି। ଲୋକମାନେ ସାମାଜିକ ଦୂରତା ନିୟମକୁ ଯେପରି କଡ଼ାକଡ଼ି ଅନୁପାଳନ କରିବେ ସେ ନେଇ ପ୍ରଶାସନ ବାରମ୍ବାର ତାଗିଦ୍‌ କରୁଛି। ଏସବୁ କେବଳ କରୋନା ସଂକ୍ରମଣକୁ ରୋକିବା ପାଇଁ।

କିନ୍ତୁ ଏସବୁର ଅନ୍ତରାଳେ ପୁଣି ଥରେ ରୁଢ଼ିବାଦ ଯୁଗର ସାମାଜିକ ଛୁଆଁ ଓ ଅଛୁଆଁ ଭେଦଭାବକୁ ଲୋକଙ୍କ ମନରେ ବସା ବାନ୍ଧିଲାଣି। କନ୍ଧମାଳରେ ଜଣେ କରୋନା ରୋଗୀର ମୃତ ଶରୀରକୁ ଗାଁ ମଶାଣିରେ ପୋଡ଼ିବାକୁ ନ ଦେବା, ଗଞ୍ଜାମରେ କରୋନାରେ ମୃତ ବ୍ୟକ୍ତିଙ୍କ ଶବକୁ କେହି କାନ୍ଧ ନ ଦେବା ଘଟଣା ହୃଦୟ ଥରାଇ ଦେବା ଭଳି। କେବଳ ସେତିକି ନୁହେଁ, ଗଞ୍ଜାମରେ ଜଣେ ପୁଲିସ ଏଏସ୍‌ଆଇଙ୍କ ଜୀବନ ଗଲା ପରେ କରୋନା ସଂକ୍ରମଣ ଭୟରେ କେହି ନ ଉଠାଇବାରୁ ୧୨ ଘଣ୍ଟା ପଡ଼ି ରହିଲା। ସ୍ଥିତି ଏପରି ହୋଇଛି ମଣିଷ ଓ ମଣିଷକୁ ଡରିଲାଣି।

ଏପରି ଅବସ୍ଥା କାହିଁକି? ଏମିତି କଲେ କରୋନା ରୋଗ ଆପଣାଛାଏଁ ଚାଲିଯିବ? କରୋନା ଭୟରେ ଏବେ ଡାକ୍ତରଖାନାରେ ଅନ୍ୟ ରୋଗୀ ଚିକିତ୍ସା ପାଇବାରେ କାହିଁକି ଅସୁବିଧା ଭୋଗୁଛନ୍ତି? ଏପରି ମାଳ ମାଳ ପ୍ରଶ୍ନ ଏବେ ବୁଦ୍ଧିଜୀବୀ ମହଲରେ ଉଙ୍କି ମାରିଲାଣି। ବିଶିଷ୍ଟ ସମାଜସେବୀଙ୍କ ମତ ଦେଇଛନ୍ତି ଯେ ଏଭଳି ସଙ୍ଗିନ୍ ପରିସ୍ଥିତିର ଉତ୍ତର ହେଲା, ଏ ନେଇ ଜନ ଜାଗରଣର ଆବଶ୍ୟକତା ରହିଛି ଓ ପୁଣି ଥରେ ସାମାଜିକ ଆନ୍ଦୋଳନ ଦରକାର। ଆଇନଜୀବୀ କହିଛନ୍ତି, ପ୍ରତ୍ୟେକ ଲୋକର ଜୀବନକୁ ସୁରକ୍ଷା ଦେବା ସରକାର ଦାୟିତ୍ବ। ମଣିଷର ଏପରି ପରିବର୍ତ୍ତିତ ଚେହେରା ବିଶ୍ବାସ କରିହେଉନାହିଁ।

ପୂର୍ବତନ ସୂଚନା କମିସନର ତଥା ବିଶିଷ୍ଟ ସମାଜସେବୀ ଜଗଦାନନ୍ଦଙ୍କ ମତରେ ବିଶ୍ବର ଗୋଟିଏ ଗୋଷ୍ଠୀ ଡାକ୍ତରଙ୍କ ମତରେ କରୋନା ଆକ୍ରାନ୍ତ ଜଣେ ବ୍ୟକ୍ତିର ମୃତ୍ୟୁ ପରେ ଆଉ କରୋନା ଭୂତାଣୁ ସକ୍ରିୟା ନଥାଏ। କିନ୍ତୁ ଅନ୍ୟପଟେ ଆଉ ଗୋଟିଏ ଗୋଷ୍ଠୀ ଏ ସମ୍ପର୍କରେ କିଛି ବି ମତ ଦେଉନାହାନ୍ତି। ଏଭଳି ସ୍ଥିତିରେ ସାମାଜିକ ଛୁଆଁ ଅଛୁଆଁ ଭେଦଭାବ କରୋନାକୁ ନେଇ ପୁଣି ଥରେ ମୁଣ୍ଡ ଟେକିଛି। ଯାହାକି ସମାଜ ପାଇଁ ବିପଦ। ପିପିଇ କିଟ୍‌ ପିନ୍ଧି ଯଦି କରୋନା ରୋଗୀକୁ ଚିକିତ୍ସା କରାଯାଇପାରୁଛି ସେହିଭଳି କରୋନାରେ ମୃତ ଶରୀରକୁ କାହିଁକି ଉଠାଯାଇପାରିବନି। ଅବସ୍ଥା ଏପରି ହେଲାଣି ଗୋଟିଏ ମୃତ ଶରୀରକୁ ଦାହ ସଂସ୍କାର ପାଇଁ ନେବାକୁ ସ୍ବର୍ଗଦ୍ବାର ଗାଡ଼ି ଗଲାବେଳେ ରାସ୍ତାରେ କାର୍ଯ୍ୟରତ ପୁଲିସ କର୍ମୀମାନେ ମଧ୍ୟ ଭୟଭୀତ ହୋଇ ଚେକ୍‌ ପୋଷ୍ଟ୍‌ ଛାଡ଼ି ପଳାଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ଗୁଜୁରାଟରୁ ଆସିଥିବା ଲୋକଙ୍କ ଦେହରେ କରୋନା ଭୂତାଣୁ ଯେଭଳି ପ୍ରାଣଘାତୀ ସାବ୍ୟସ୍ତ ହୋଇଛି ସେଭଳି ପଶ୍ଚିମବଙ୍ଗ କିମ୍ବା ଅନ୍ୟ ପ୍ରଦେଶରୁ ଆସିଥିବା ଲୋକଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁନି। ଏ ଦିଗରେ ସରକାରୀ ସ୍ତରରୁ ଆବଶ୍ୟକ ସଚେତନତା ଅଭାବରୁ ଲୋକେ ଭୟ କରିବା ସ୍ବାଭାବିକ୍‌। ବହୁ ବିଳମ୍ବରେ ମୃତ ଦେହକୁ ନିର୍ଦ୍ଦିଷ୍ଟ ନିୟମରେ କିପରି ସଂସ୍କାର କରାଯିବ ସେଥିପାଇଁ ସରକାର ଗତକାଲି ମାର୍ଗଦର୍ଶିକା ଜାରି କଲେ। ଏହି ନିୟମକୁ ଆଗରୁ ଘୋଷଣା କରାଯାଇଥିଲେ ଲୋକମାନେ କିଛିଟା ସତର୍କ ହୋଇଥାନ୍ତେ। ତେବେ ଏଥିପାଇଁ ଆଉ ଗୋଟିଏ ସାମାଜିକ ଆନ୍ଦୋଳନର ଆବଶ୍ୟକତା ରହିଛି ବୋଲି ଜଗଦାନନ୍ଦ କହିଛନ୍ତି।

କଂଗ୍ରେସ ବିଧାୟକ ଦଳ ନେତା ତଥା ବିଶିଷ୍ଟ ଆଇନଜୀବୀ ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି, ବର୍ତ୍ତମାନ ଏଭଳି ସ୍ଥିତି ହୋଇଛି ସାଧାରଣ ଜ୍ବର ରୋଗୀଟିଏ ଡାକ୍ତରଖାନା ଗଲେ ଡାକ୍ତରମାନେ ଚିକିତ୍ସା କରୁନାହାନ୍ତି। ଏପରିକି ଗର୍ଭବତୀ ମହିଳାଟିକୁ ମଧ୍ୟ ଚିକିତ୍ସା ମିଳିବା ପାଇଁ କରୋନା ପରୀକ୍ଷା କରିବାକୁ ବାଧ୍ୟ କରାଯାଉଛି। କରୋନା ପରୀକ୍ଷା ବ୍ୟବସ୍ଥା ମଧ୍ୟ ସବୁଠାରେ ଉପଲବ୍ଧ ନୁହେଁ। କରୋନା ପରୀକ୍ଷା ରିପୋର୍ଟ ଆସିବାରେ ବି ବହୁ ବିଳମ୍ବ ଘଟୁଛି। ଏପରି ସ୍ଥିତିରେ ଯଦି ଜଣେ ହୃହଘାତ ହୋଇଥିବା ରୋଗୀ ଡାକ୍ତରଖାନା ଆସେ ତାହେଲେ ତାକୁ କଣ ପ୍ରଥମେ କରୋନା ପରୀକ୍ଷା କରିବାକୁ ଅପେକ୍ଷା କରିବାକୁ ପଡ଼ିବ। ଏପରି ହେଲେ ଗରୁତୁର ରୋଗରେ ପୀଡ଼ିତ ରୋଗୀଟିର ପ୍ରାଣହାନୀ ଘଟିବା ଛଡ଼ା ଆଉ କିଛି ନୁହେଁ। ଶ୍ରୀ ମିଶ୍ର କହିଛନ୍ତି, ସମ୍ବିଧାନର ଧାରା ୨୧ ଦର୍ଶାଇଛି ପ୍ରତ୍ୟେକ ବ୍ୟକ୍ତିର ଜୀବନ ସୁରକ୍ଷା ତାର ମୌଳିକ ଅଧିକାର। ଏହି ମୌଳିକ ଅଧିକାରକୁ ସୁଶ୍ଚିତ କରିବା ସରକାରଙ୍କ ଦାୟିତ୍ବ। ଜଣେ ବ୍ୟକ୍ତିକୁ କରୋନା ରୋଗ ହୋଇଥାଉ କି ଅନ୍ୟ ବେମାରି ତାକୁ ସ୍ବାସ୍ଥ୍ୟ ସେବା ମିଳିବା ସାମ୍ବିଧାନିକ ଅଧିକାର।

ବିଶିଷ୍ଟ ମାନବାଧିକାର କର୍ମୀ ବିଶ୍ବପ୍ରିୟ କାନୁନ୍‌ଗୋ କହିଛନ୍ତି,ଏଥିପାଇଁ ସରକାରୀ ଦାୟୀ। କୋଭିଡକୁ ନିୟନ୍ତ୍ରଣ କରିବାକୁ ଯାଇ ସରକାର ଲୋକଙ୍କ ମନରେ ଭୟ ଓ ଛାନିଆ ସୃଷ୍ଟି କରିଛନ୍ତି। ଯାହାର ପ୍ରତିଫଳନ ଏବେ ମରଶରୀର ପଡ଼ି ରହିବା ଭଳି ଅବସ୍ଥା ଦେଖିବାକୁ ମିଳୁଛି। ଜଣେ ବ୍ୟକ୍ତିର ବଞ୍ଚରହିବା ଯେପରି ମୌଳିକ ଅଧିକାର ସେହିପରି ସମ୍ମାନର ସହ ମରିବା ବି ସେହି ଅଧିକାର ପରିସରଭୁକ୍ତ। କରୋନା ମହାମାରୀ ସମୟରେ ବ୍ୟକ୍ତିର ଏହି ଅଧିକାରର ଉଲଂଘନ ହେଉଛି। ଯାହା ଆଦୌ ଗ୍ରହଣୀୟ ନୁହେଁ। କରୋନା କିମ୍ବା କରୋନା ସନ୍ଦେହରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ମୃତ୍ୟୁ ପାଇଁ ସରକାର ଗାଇଡ୍‌ଲାଇନ ଜାରି କରିଛନ୍ତି ସତ କିନ୍ତୁ ଏଥିରେ ମରଶରୀର ପ୍ରତି ଅସମ୍ମାନ କଲେ ଦଣ୍ଡର ବ୍ୟବସ୍ଥା କରିନାହାନ୍ତି। ବର୍ତ୍ତମାନ୍ ପରିପ୍ରେକ୍ଷୀରେ ଏହି ଦଣ୍ଡ ବ୍ୟବସ୍ଥାକୁ ଯୋଡ଼ିବା ଦରକାର। ଯେଭଳି କରୋନା ସଂକ୍ରମଣରୁ ଦୂରରେ ରହିବା ପାଇଁ ସରକାର ପ୍ରତିଦିନ ନାନାଦି ପ୍ରଚାର ଓ ବିଜ୍ଞାପନ ଦେଉଛନ୍ତି ସେହିପରି ମର ଶରୀରକୁ କିପରି ସମ୍ମାନର ସହ ନିଆଯିବ ସେଥିପାଇଁ ବି ସଚେତନ କରିବା ଉଚିତ୍‌। ଅନ୍ୟପଟେ ଅନ୍ୟ ରୋଗୀଙ୍କୁ ଚିକିତ୍ସା କରିବା ଡାକ୍ତରଙ୍କ ପ୍ରାଥମିକ କର୍ତ୍ତବ୍ୟ। ସବୁ ପ୍ରକାର ରୋଗୀଙ୍କୁ କିପରି ସ୍ବାସ୍ଥ୍ୟସେବା ମିଳିବା ତାକୁ ମଧ୍ୟ ସୁନିଶ୍ଚିତ କରିବା ସରକାରଙ୍କ କର୍ତ୍ତବ୍ୟ।

ସମ୍ବନ୍ଧିତ ଖବର