ନିରାକାରପୁର : ସେବାରେ ଲାଗୁନାହିଁ ଅଧକୋଟି ଟଙ୍କାର ପାଣି ଟାଙ୍କି, ଖତ ଖାଉଛି ମାଟିତଳେ ପୋତା ଯାଇଥିବା ପାଇପ୍

ନିରାକାରପୁର : ଖୋର୍ଦ୍ଧା ବ୍ଲକ ଗୋଡ଼ିପଡ଼ା ପଞ୍ଚାୟତର ଲହଙ୍ଗା ଓ ପାଇକପୁଟ ୨ଟି ଗ୍ରାମକୁ ନେଇ ୨ଟି ୱାର୍ଡ ଗଠିତ। ଉଭୟ ୱାର୍ଡର ଲୋକସଂଖ୍ୟା ପ୍ରାୟ ୩ହଜାରରୁ ଅଧିକ। ଏହି ଗ୍ରାମ ଦୁଇଟିର ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ସ୍ଥାନୀୟ ଦୋଳପଡିଆ ଠାରେ ଅଧକୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟ କରାଯାଇ ପାଣିଟାଙ୍କି ନିର୍ମାଣ କରାଯାଇଥିଲା। ମାତ୍ର ପାଣିଟାଙ୍କି ଥାଇ ମଧ୍ୟ ଏହି ୨ଟି ଗ୍ରାମର ଲୋକେ ପିଇବା ପାଣି ଟୋପେ ପାଇ ପାରୁ ନାହାଁନ୍ତି।

ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନ ଦାବି ପରେ ରାଜ୍ୟ ସରକାର ୨୦୧୪ ମସିହାରେ ଲହଙ୍ଗା ଓ ପାଇକପୁଟ ୨ଟି ଗ୍ରାମକୁ ପାନୀୟ ଜଳଯୋଗାଣ ପାଇଁ ଦୋଳପଡ଼ିଆ ଠାରେ ଏକ ଟାଙ୍କି ନିର୍ମାଣ କରିଥିଲେ । ଲୋକଙ୍କୁ ପାଇପ ଯୋଗେ ପାଣି ଯୋଗାଇ ଦେବାକୁ ମାଟିତଳେ ଗାଁ ଦାଣ୍ତରେ ହଜାର ହଜାର ଟଙ୍କାର ପାଇପ ମଧ୍ୟ ବିଛା ଯାଇଥିଲା। ମାତ୍ର କାର୍ଯ୍ୟ ନିର୍ମାଣ ସମୟରେ ବିଭାଗୀୟ ଯନ୍ତ୍ରୀଙ୍କର ଦୂରଦୃଷ୍ଟି ଅଭାବ ଯୋଗୁଁ ଟାଙ୍କିଟି ଗାଁ ଦୁଇଟି ଠାରୁ ତଳିଆ ଅଞ୍ଚଳରେ ନିର୍ମାଣ କରାଯାଇଥିଲା। ଫଳରେ ଟାଙ୍କି ଠାରୁ ଉପରେ ଥିବା ୨ଟି ଗ୍ରାମକୁ ପାନୀୟ ଜଳ ଯୋଗାଣ ହୋଇପାରୁନାହିଁ। ଫଳରେ ବର୍ତ୍ତମାନ ମାଟିତଳେ ପୋତା ଯାଇଥିବା ପାଇପ୍ ଖତ ଖାଉଥିଲେ ସୁଦ୍ଧା ଏହା ଲୋକଙ୍କ କାର୍ଯ୍ୟରେ ଆସୁନାହିଁ।

ଏ ନେଇ ଅଭିଯୋଗ କଲେ ମଧ୍ୟ ଏଥିପ୍ରତି କେହି କର୍ଣ୍ଣପାତ କରୁ ନ ଥିବା ଗ୍ରାମର ଅଭିନ୍ନ ଚମ୍ପତି, ଲକ୍ଷ୍ମୀଧର ବେହେରା, ପ୍ରଦୀପ ବେହେରା, ଅଭିମନ୍ୟୁ ବଳିଆରସିଂହ, ନୀଳମଣି ବେହେରା, ଅରୁ ବାହୁବଳେନ୍ଦ୍ର ପ୍ରମୁଖ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଏଠାରେ ଏକ ଓଭରହେଡ୍‌ ପାଣି ଟାଙ୍କି ନିର୍ମାଣ କରିବା ନିମନ୍ତେ ଦାବି ହେଉଛି। ତେବେ ଏ ନେଇ ସ୍ଥାନୀୟ ସମିତିସଭ୍ୟ ସଞ୍ଜିବ କୁମାର ପାହାଡସିଂହଙ୍କୁ ପଚାରିବାରୁ ଗ୍ରାମବାସୀଙ୍କ ସ୍ବାର୍ଥ ପାଇଁ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଏଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର