ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାକୁ ଚଳିତ ଖରିଫ ଧାନ ମଣ୍ଡି ପାଇଁ ପ୍ରଥମ ପର୍ଯ୍ୟାୟରେ ୨୬ ଲକ୍ଷ ୬୬ ହଜାର ୩୦୦ କୁଇଣ୍ଟାଲ ସଂଗ୍ରହର ଟାର୍ଗେଟ ଆସିଛି। ଏପର୍ଯ୍ୟନ୍ତ ୫ଲକ୍ଷ ୪୩ ହଜାର ୨୬୫ କୁଇଣ୍ଟାଲ ଧାନ କିଣା ସରିଛି। ସମୁଦାୟ ୨୦୮ଟି ମଣ୍ଡି ମଧ୍ୟରୁ ୧୯୮ ଟି ମଣ୍ଡି ଖୋଲିଥିବା ବେଳେ ଆହୁରି ୧୦ଟି ମଣ୍ଡି ଖୋଲାଯାଇ ନଥିବା ସରକାରୀ ସୂତ୍ରରୁ ପ୍ରକାଶ। ତେବେ,ଏହି ତଥ୍ୟ ଭିନ୍ନ ଥିବା କହାଯାଉଛି। ବାସ୍ତବରେ ଏଯାଏ ବହୁ ମଣ୍ଡି ଖୋଲା ଯାଇ ନଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ମିଲର୍ସ ଟ୍ୟାଗିଂ ତାଲିକା ମଧ୍ୟ ପ୍ରକାଶ ପାଇନାହିଁ। କାମଚଳା ତାଲିକାରେ ଗତ ନଭେମ୍ବର ୨୫ ତାରିଖଠାରୁ ଧାନ କିଣା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ମଣ୍ଡିରୁ ଧାନ ପରିବହନ ପାଇଁ ଟ୍ରାନ୍ସପୋର୍ଟ ଟେଣ୍ଡର ବାହାରିଥିଲେ ମଧ୍ୟ ଏଯାଏ ଚୂଡ଼ାନ୍ତ ହୋଇନାହିଁ। ଫଳରେ ମଣ୍ଡି ପରିବହନ ଦାୟିତ୍ବ ମିଲର୍ସମାନେ ନିଜ ହିସାବରେ ଚଲାଇଛନ୍ତି। ବିପର୍ଯ୍ୟସ୍ତ ମଣ୍ଡି ବ୍ୟବସ୍ଥା ଯୋଗୁ ମିଲର୍ସ ଓ ଦଲାଲ ଫାଇଦାରେ ରହ ମାଲାମାଲ ହେଉଛନ୍ତି। ପ୍ରଶାସନର ନିରବତା ଏହି ସମସ୍ୟାକୁ ଆହୁରି ସୁହାଉଛି।
ଜିଲ୍ଲା ପ୍ରଶାସନ ମଣ୍ଡି ଟ୍ରାନ୍ସପୋର୍ଟ ନିମନ୍ତେ ପ୍ରତିବର୍ଷ ଟେଣ୍ଡର ପ୍ରକାଶ କରନ୍ତି ଏବଂ ୩ ବର୍ଷ ଯାଏ ବିନା ଟ୍ରାନ୍ସପୋର୍ଟ ଏଜେଣ୍ଟରେ ଧାନ କିଣା ଚାଲିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ମଣ୍ଡି ଟ୍ୟାଗିଂ ଚୂଡ଼ାନ୍ତ ତାଲିକା ସରକାରୀ ଭାବେ ପ୍ରକାଶ ନପାଇବା ପଛରେ ‘ମଣ୍ଡି ଫିକ୍ସିଂ’ର ଏକ ବଡ଼ଧରଣର ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୬୫ ଜଣ ମିଲର୍ସ ଧାନ କିଣୁଥିବା ଯୋଗାଣ ବିଭାଗ ସୂତ୍ରରୁ ପ୍ରକାଶ। ଚାଷୀଙ୍କ ଟୋକନ ୨୫ ଦିନର ମିଆଦ ଥିବା ଯୋଗୁଁ ମଣ୍ଡିରେ ଜାଣିଶୁଣି ବିଳମ୍ବ କରିବା ସହିତ ‘ପାଗ ଭିଡ଼ୁ ଭିଡ଼ୁ କଚେରି ବରଖାସ୍ତ’ ଭଳି ଅବସ୍ଥା ସୃଷ୍ଟି ହୋଇଛି। କଳାହାଣ୍ଡି ଜିଲ୍ଲାରେ ଚାଷୀମାନେ ଗତ ନଭେମ୍ବର ୧୫ ତାରିଖରୁ ଧାନ ଅମଳ କରି ମଣ୍ଡି ଅପେକ୍ଷାରେ ଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କାଗଜ କଲମରେ ନଭେମ୍ବର ୨୫ରୁ ମଣ୍ଡି ଆରମ୍ଭ କରିଛନ୍ତି। ଧାନ କିଣାରେ ଆରମ୍ଭରୁ ବିଭ୍ରାଟ ଯୋଗୁଁ ଜିଲ୍ଲାର ଚାଷୀମାନେ କେଜି ୯ ଟଙ୍କା ହିସାବରେ କୁଇଣ୍ଟାଲ ୯ଶହ ଟଙ୍କାରେ ଦଲାଲ ହାତରେ ଟେକି ଦେଉଛନ୍ତି। ଫଳରେ କୁଇଣ୍ଟାଲ ପିଛା ୧୯୪୦ ଟଙ୍କା ଦର ଧାର୍ଯ୍ୟ ହୋଇଥିବାବେଳେ ବାକି ଟଙ୍କା ଦଲାଲ, ମିଲର୍ସ, ପ୍ୟାକ୍ସ କର୍ମଚାରୀ ଓ ଯୋଗାଣ ବିଭାଗ ମିଳିମିଶି ଖାଇ ଯାଉଥିବା ଅଭିଯୋଗ ହେଉଛି।