ଅସା​ଧାରଣ, ଅପ୍ରତିମ…ଅଞ୍ଜଳି

କଟକ : ଈଶ୍ୱର ଅନେକ ସମୟରେ ମଣିଷର ପରୀକ୍ଷା ନିଅନ୍ତି। ହେଲେ, ଦୃଢ଼ ଇଚ୍ଛାଶକ୍ତି ଓ ସବୁ ସହି ଆଗକୁ ବଢ଼ିବା ପାଇଁ ସଂକଳ୍ପ କରିଥିବା ଲୋକଙ୍କ ନିକଟରେ ସବୁ ପ୍ରତିକୂଳ ସ୍ଥିତି ହାର୍‌ ମାନେ। ସେହିଭଳି ଜଣେ ଯୁବତୀ ହେଉଛନ୍ତି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ ସାରୁଆଳି ଗାଁର ୩୨ବର୍ଷୀୟା ଅଞ୍ଜଳି ବାରିକ। କଟକର ଶାରଳା ଭବନରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ଗ୍ରାମୀଣ ଆତ୍ମନିର୍ଭରଶୀଳ ମହିଳା ସମାବେଶ-୨୦୨୨ ‘ସମ୍ବାଦ ଓଡ଼ିଶା-୫୦’ କାର୍ଯ୍ୟକ୍ରମରେ ରାଜ୍ୟର ୭ଟି ଜିଲ୍ଲାର ୨୩୦ରୁ ଅଧିକ ସଫଳ ମହିଳା ଉଦ୍ୟୋଗୀ ଯୋଗ ଦେଇଥିଲେ। ଅତି ସାଧାରଣ ପରିବାରରୁ ବାହାରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏହି ମହିଳାମାନଙ୍କ ଭିତରେ ଥିଲେ ଏହି ଅସାଧାରଣ ଯୁବତୀ ଅଞ୍ଜଳି।

ତେ​ଲକୋଇ ସାରୁଆଳିର କ୍ଷୁଦ୍ର ଚାଷୀ ଧରଣୀ ବାରିକଙ୍କ ୪ପିଲାଙ୍କ ଭିତରେ ସବୁଠାରୁ ବଡ଼ ଅଞ୍ଜଳି ଜନ୍ମରୁ ପୋଲିଓ ଆକ୍ରାନ୍ତ। ଗୋଡ଼ ଦୁଇଟି ଅତି ଛୋଟ ଓ ପୋଲିଓ ଆକ୍ରାନ୍ତ ହୋଇଥିବାରୁ ଅଞ୍ଜଳି ଚାଲିବାକୁ ଅସମର୍ଥ। ସେଇଥିପାଇଁ ସେ ହାତ ପାପୁଲିରେ ଚପଲ ପିନ୍ଧି ହାମୁଡ଼େଇ ଚଳପ୍ରଚଳ କରିଥାଆନ୍ତି। ଏପଟେ, ଦୁଇହାତର ପାପୁଲି ବି ଖରାପ। ଡାହାଣ ପାପୁଲିଟି ଅଧିକ ଖରାପ ଓ ବ୍ୟବହାର ଅନୁପଯୋଗୀ ​ହୋଇଥିବା ବେଳେ ବାମ ପାପୁଲିଟି ଚଳନୀୟ। ସେଇଥିରେ ସେ ସ୍କୁଲ ଓ କଲେଜ ଯାଇ ସଫଳତାର ସହ ସ୍ନାତକ ଶିକ୍ଷା ଶେଷ କରିଥିଲେ। ହେଲେ, ତାପରେ ବି କିଛି ରୋଜଗାର ବ୍ୟବସ୍ଥା ହୋଇ ନଥିଲା। ଏ ସବୁଥିରେ ସେ ଭାଙ୍ଗି ନପଡ଼ି ଇଲେକ୍ଟ୍ରିକ୍ ସିଲେଇ ମେସିନ୍‌ଟିଏ କିଣିଥିଲେ। ଗତ ୫ବର୍ଷ ହେଲା ସେ ଝିଅଙ୍କ ପୋଷାକ ତିଆରି କରି ନିଜେ ସ୍ବାବଲମ୍ବୀ ହେବା ସହ ପରିବାର ପାଇଁ ସାହାରା ପାଲଟିଛନ୍ତି। ପରିବାର ଚଳାଇବାରେ ବାପାଙ୍କୁ ସାହାଯ୍ୟ କରିବା ସହ ସାନ ଦୁଇ ଭଉଣୀ ଓ ଗୋଟେ ଭାଇର ବାହାଘର ଖର୍ଚ୍ଚରେ ବି ମୁଖ୍ୟଭାର ବହନ କରିଛନ୍ତି।

ଗ୍ରାମୀଣ ଆତ୍ମନିର୍ଭରଶୀଳ ମହିଳା ସମାବେଶରେ ଭାଗ ନେବା ପାଇଁ ଅଞ୍ଜଳି କେନ୍ଦୁଝର ତେଲକୋଇରୁ କଟକକୁ ଆସିବା, କାର୍ଯ୍ୟକ୍ରମରେ ଆଗ୍ରହର ସହ ଭାଗ ନେବା, ଅସୁବିଧା ସତ୍ତ୍ୱେ କାହା ସାହାଯ୍ୟ ନ ନେଇ ମଞ୍ଚ ଉପରକୁ ଚଢ଼ିବା-ଓହ୍ଲାଇବା… ଇତ୍ୟାଦିକୁ ଯିଏ ବି ଦେଖିଛନ୍ତି, କେହି ତାଙ୍କୁ ପ୍ରଶଂସା ନକରି ରହି ପାରି ନାହାନ୍ତି। ଅଞ୍ଜଳିଙ୍କ ଭଳି ଅସାଧାରଣ ଦୃଢ଼ମନାଙ୍କ ପାଖରେ ଈଶ୍ୱରଙ୍କ ପରୀକ୍ଷା ​ଯେ ହାର୍ ମାନେ, ତାହା ପ୍ରମାଣିତ ହୋଇଛି।

ସମ୍ବନ୍ଧିତ ଖବର