ଭୁବନେଶ୍ବର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ପୂର୍ବରୁ ରାଜ୍ୟରେ ଅସ୍ବାଭାବିକ ପାଗ ଦେଖାଦେଇଛି। କେଉଁଠି ତତଲା ତ ଆଉ କେଉଁଠି କୋହଲା ପାଗ। କେତେକ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚୁଛି। ଲଗାତାର ଗୋଟିଏ ସପ୍ତାହ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ଏଭଳି ପାଗ ସାଧାରଣ ଲୋକଙ୍କ ଜୀବନଶୈଳୀକୁ ପ୍ରଭାବିତ କଲାଣି। ହଠାତ୍‌ ଗ୍ରୀଷ୍ମ ପ୍ରବାହ ବଢ଼ିବା ଯୋଗୁଁ ପଶ୍ଚିମ ଓଡ଼ିଶାରେ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଉପକୂଳରେ ଗରମ ସହ ଗୁଳୁଗୁଳି ଲାଗିରହିଥିବାରୁ ଲୋକେ ଅଣନିଶ୍ବାସୀ ଅନୁଭୂତ କରୁଛନ୍ତି। ଏହାରି ଭିତରେ ଗତ ୨୪ ଘଣ୍ଟାରେ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚିଛି। ଲୋକଙ୍କ ଧନଜୀବନ ନଷ୍ଟ ହୋଇଥିବା ଖବର ସାମ୍ନାକୁ ଆସିଛି। ବଦଳୁଥିବା ପାଣିପାଗ ସ୍ଥିତିକୁ ଦେଖି ସ୍ବତନ୍ତ୍ର ରିଲିଫ୍‌ କମିସନର(ଏସ୍‌ଆର୍‌ସି)ଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଲୋକଙ୍କୁ ସଚେତନ କରାଇବାକୁ କୁହାଯାଇଛି।

Advertisment

ପଶ୍ଚିମରେ ଗ୍ରୀଷ୍ମ, ଉପକୂଳ ଓ ଉତ୍ତରରେ କାଳବୈଶାଖୀ
ଗରମ ସହ ଗୁଳୁଗୁଳିରେ ଅଧା ଓଡ଼ିଶା ଅସ୍ତବ୍ୟସ୍ତ
ସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ
୮ରୁ ତତଲା, ୧୫ ପୂର୍ବରୁ ଆସିବନି ମୌସୁମୀ: ପଶୁପାଳକ

ବିଶେଷକରି ଶିଶୁ, ବରିଷ୍ଠ ନାଗରିକ ଓ ଅସୁସ୍ଥ ବ୍ୟକ୍ତି ଆବଶ୍ୟକତା ନ ଥିଲେ ପଦାକୁ ନ ବାହାରିବା, ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା ମଧ୍ୟରେ ଘରୁ ବାହାରିବା ସମୟରେ ଆବଶ୍ୟକତା ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା, ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବା ସହ ଆବଶ୍ୟକ ଅନୁଯାୟୀ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି। ସେପଟେ କାଳବୈଶାଖୀ, ବଜ୍ରପାତ, ଘଡ଼ଘଡ଼ି, ପ୍ରବଳ ବର୍ଷା ଆଦି ପ୍ରଭାବରେ ଯଦି କୌଣସି ସ୍ଥାନରେ କ୍ଷୟକ୍ଷତି ହେଉଛି ତାହାହେଲେ ତୁରନ୍ତ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ମଧ୍ୟ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ହୋଇଛି। ଟିଟିଲାଗଡ଼ରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୨.୫ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ସୋନପୁର ଓ ବଲାଙ୍ଗୀରରେ ୪୨.୩, ବୌଦ୍ଧରେ ୪୨.୧, ନୂଆପଡ଼ା ଓ ଭବାନୀପାଟଣାରେ ୪୦.୫, ଝାରସୁଗୁଡ଼ାରେ ୪୦.୪, ସମ୍ବଲପୁରରେ ୪୦ ଡିଗ୍ରି ‌ରହିଥିଲା। ଆସନ୍ତା ଦୁଇ ଦିନ ମଧ୍ୟ ଆଭ୍ୟନ୍ତରୀଣ ଓଡ଼ିଶାରେ ଆଜି ଭଳି ସ୍ଥିତି ଲାଗିରହିବ। ବାୟୁମଣ୍ଡଳର ମଧ୍ୟ ଓ ଉପର ସ୍ତରରେ ଉତ୍ତର ପଶ୍ଚିମ ଦିଗରୁ ଶୁଖିଲା ପବନ ବହୁଥିବାରୁ ସହରଗୁଡ଼ିକର ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରି ଅଧିକ ରହିବ। ଆଭ୍ୟନ୍ତରୀଣ ଓଡ଼ିଶା ସମେତ ରାଜ୍ୟର କେତେକ ସ୍ଥାନରେ ସର୍ବାଧିକ ତାପମାତ୍ରା ୪୩ରୁ ୪୫ ଡିଗ୍ରି ମଧ୍ୟରେ ରହିବ। ୬ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାର ତାପମାତ୍ରା ୩୬ରୁ ୩୯ ଡିଗ୍ରି ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୪୦ରୁ ୪୪ ଡିଗ୍ରି ମଧ୍ୟରେ ରହିବା ନେଇ ଆକଳନ କରାଯାଇଛି। ଲଗାତାର ୪ର୍ଥ ଦିନ ପାଇଁ ବଲାଙ୍ଗୀରରେ ଉଷ୍ମ ରାତି ଜାରି ରହିଛି।

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ଗରମ ସହ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ। ‌ତେବେ‌ ଆଶ୍ବସ୍ତିର ବିଷୟ ହେଉଛି ଯେ ଉପକୂଳ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ହେତୁ ତାପମାତ୍ରା କମିବ। ତେବେ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ୩ ଓ ୪ ତାରିଖରେ ଗ୍ରୀଷ୍ମପ୍ରବାହ ହେବାକୁ ଥିବାରୁ ବରଗଡ଼ ଓ ବଲାଙ୍ଗୀର ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଏବଂ କଳାହାଣ୍ଡି, ନୂଆପଡ଼ା, ସୋନପୁର, ସମ୍ବଲପୁରକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ଯାଜପୁର, ଢେଙ୍କାନାଳ, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଗଞ୍ଜାମ, କେନ୍ଦୁଝର ଓ ଗଜପତି ଜିଲ୍ଲାରେ ଗରମ ସହ ଗୁଳୁଗୁଳି ହେବ। ଏହି ସମୟରେ ଉପକୂଳ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ କାଳବୈଶାଖୀ ପ୍ରଭାବ ରହିପାରେ। ୫ ଓ ୬ ତାରିଖରେ ଗ୍ରୀଷ୍ମ ପ୍ରବାହ ସାମାନ୍ୟ କମିବାକୁ ଥିଲେ ମଧ୍ୟ ଗରମ ଓ ଗୁଳୁଗୁଳି ଲାଗିରହିବ ବୋଲି ପୂର୍ବାନୁମାନ କରାଯାଇଛି। ପାଣିପାଗ ବି‌ଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ‌ଯେ ବର୍ତ୍ତମାନ ଦକ୍ଷିଣ ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରହିଛି। ବିଷୁବରେଖା ଅତିକ୍ରମ କରି ଥାଇଲାଣ୍ଡ ଓ ମିଆଁମାର ମୁହାଁ ହୋଇଛି। ତେବେ ବଙ୍ଗୋପସାଗରର ପଶ୍ଚିମ ଉପକୂଳରେ ପ୍ରାୟତଃ ଉତ୍ତର ଆଡ଼କୁ ବାୟୁ ବହୁଛି। ଏଥିସହ ରାଜ୍ୟକୁ ଉତ୍ତର-ପଶ୍ଚିମରୁ ଶୁଷ୍କ ପବନ ବହୁଛି, ଯାହାକି ଆଗକୁ ଅଧିକ ହେବ। ଫଳରେ ୮ ଓ ୯ ତାରିଖ ବେଳକୁ ଭୁବନେଶ୍ବର ସମେତ ଉପକୂଳର ତାପମାତ୍ରା ୪୨ ଡିଗ୍ରି ଅତିକ୍ରମ କରିପାରେ। ୧୦ ଓ ୧୨ ତାରିଖ ବେଳକୁ ୪୫ ଡିଗ୍ରିରୁ ଅଧିକ ହେବାର ସମ୍ଭାବନା ରହିଛି। ଜୁନ୍‌ ୧୫ ଆଗରୁ ରାଜ୍ୟକୁ ମୌସୁମୀ ଆସିବା ସମ୍ଭାବନା କମ୍‌ ରହିଛି। ଆରବ ସାଗରୀୟ ଶାଖା ସକ୍ରିୟ ହେବା ସହ ମହାରାଷ୍ଟ୍ର, ତେଲେଙ୍ଗାନା ଓ ଦକ୍ଷିଣ ଆନ୍ଧ୍ରରେ ସପ୍ତାହକ ମଧ୍ୟରେ ବର୍ଷା କରାଇବ, ଯାହାକୁ ସ୍ବାଭାବିକଠାରୁ କିଛି ଆଗୁଆ।