ଝରିଗାଁ: ଆଗ କାଳରେ ଚାଷ କାମ ସହ ବିଭିନ୍ନ ସାମଗ୍ର ଓ ଯାତ୍ରୀ ପରିବହନ ପାଇଁ ଶଗଡ଼ ଗାଡ଼ିର ଏକ ପ୍ରମୁଖ ଭୂମିକା ରହିଥିଲା। ଗ୍ରାମାଞ୍ଚଳରେ ବସବାସ କରୁଥିବା ସମ୍ଭ୍ରାନ୍ତ ତଥା ସାହୁକାର ଶ୍ରେଣୀର ଲୋକମାନଙ୍କ ପାଖରେ ରହିଥିଲା ଶଗଡ଼ ଗାଡ଼ି। ଶଗଡ଼ ଗାଡ଼ି ସାହୁକାରର ପରିଚୟ ଦେଉଥିଲା କହିଲେ ଚଳେ। କିନ୍ତୁ ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ଶଗଡ଼ ଗାଡିର ଚାହିଦା କମି ଯିବା ସହ ଧୀରେଧୀରେ ଲୋପ ପାଇବାକୁ ବସିଲାଣି। କାଁ ଭାଁ ଗ୍ରାମାଞ୍ଚଳରେ ଗରିବ, ଆର୍ଥିକ ଦୁର୍ବଳ ଓ ସ୍ୱାବଲମ୍ବୀ ଚାଷୀ ଶଗଡ଼ ଗାଡ଼ିର ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ଆଉ କିଛି ଚାଷୀଙ୍କ ଶଗଡ଼ ଅଲୋଡ଼ା ହୋଇ ଘରେ ପଡି ରହିଛି।
ଆଧୁନିକ ଯୁଗରେ କୃଷି କ୍ଷେତ୍ରରେ ଏବଂ ପରିବହନ କ୍ଷେତ୍ରରେ ବିଭିନ୍ନ ପ୍ରକାର ଯନ୍ତ୍ରପାତି ଉଦ୍ଭାବନ କରିବା ପରେ ଅଳ୍ପ ସମୟରେ ପରିବହନ ହେଉଥିବା ହେତୁ ଶଗଡ଼ ଗାଡିର ଚାହିଦା କମି ଯାଉଛି। ଆଗକାଳରେ ଜଙ୍ଗଲରୁ କାଠ ଆଣିବା, ବାଲି, ମାଟି, ଇଟା, ପଥର ବୋହିବା କାର୍ଯ୍ୟରେ ବ୍ୟାପକ ଭାବେ ଶଗଡ଼ ଗାଡିର ବ୍ୟବହାର ହେଉଥିଲା।
ସେହିପରି ଗମନାଗମନର ସୁବିଧା ନଥିବା ଯୋଗୁଁ ଲୋକମାନେ ଶଗଡ଼ ଗାଡ଼ିରେ ଯାତାୟାତ କରୁଥିଲେ। ବିଶେଷ କରି ରାତ୍ର ସମୟରେ ଲୋକମାନେ ଯାତାୟାତ କରିବା ସମୟରେ ଶଗଡ଼ ଗାଡିର ମଧ୍ୟ ଭାଗରେ ଏକ ଲଣ୍ଠନ ଲଗାଇ ଯାତାୟାତ କରୁଥିଲେ। ବର୍ତ୍ତମାନ ଯାନ ବାହାନ ଉଦ୍ଭାବନ ପରେ କାଠରେ ନିର୍ମିତ ଓ ପ୍ରଦୂଷଣ ବିହୀନ ପ୍ରାଚୀନ ପରିବହନ ଯନ୍ତ୍ର ଶଗଡ଼ ଗାଡ଼ି ଆଧୁନିକତାର ଛାପରେ ବେଶ ଅଲୋଡ଼ା ହୋଇ ପଡିଛି।
ଅନ୍ୟପକ୍ଷେ ଶଗଡ଼ ନିର୍ମାଣ ପାଇଁ ବ୍ୟବହାର ହେଉଥିବା ଉପଯୁକ୍ତ କାଠ ଏବେ ସୁଲଭ ମୂଲ୍ୟରେ ବଜାରରେ ମିଳୁନାହିଁ। ବଳଦ ଚରାଇବା ପାଇଁ ଲୋକଙ୍କ ଅଭାବ ସହ ସରକାର କିମ୍ବା ସାମାଜିକ ସ୍ତରରେ ସେମିତି ଶଗଡ଼ ଗାଡ଼ିର ବ୍ୟବହାର ପାଇଁ କୌଣସି ପ୍ରୋତ୍ସାହନ ରାଶି ମିଳୁନାହିଁ। ଫଳରେ ଲୋକେ ଶଗଡ଼ ଗାଡ଼ି ଉପରେ ନିର୍ଭରଶୀଳ ନହୋଇ ଟ୍ରାକ୍ଟର, ପାୱାରଟିଲାର ଓ ହାରଭେଷ୍ଟର ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି। ତେଣୁ ଶଗଡ଼ ଗାଡ଼ିର ଚାହିଦା ଗାଁ ଠାରୁ ସହର ପର୍ଯ୍ୟନ୍ତ କାଁ ଭାଁ ଦେଖିବାକୁ ମିଲୁଛି। ଶଗଡ଼ ଗାଡ଼ି ଚଳାଇ ଏବଂ ବଳଦ ଚାରାଇ କିଛି ଲୋକ ପରିବାର ପୋଷଣ କରୁଥିବା ବେଳେ ବର୍ତ୍ତମାନ ସେମାନେ ସେମାନଙ୍କ କାମ ଧନ୍ଧା ଅଲଗା କରି ଜୀବିକା ନିର୍ବାହ କରୁଛନ୍ତି।ବହୁବର୍ଷ ପୂର୍ବରୁ ଲୋକେ ବ୍ୟବହାର କରୁଥିବା ଶଗଡ଼ ଗାଡ଼ି ଏବଂ ଏଥିରେ ଲାଗିଥିବା ଚକ ବର୍ଜ୍ୟବସ୍ତୁ ସବୁ କେଉଁଠି ରାସ୍ତା କଡରେ ପଡିଛି ତ ଆଉ କେଉଁଠି ପିଣ୍ଡାରେ ଅଜାଡି ହୋଇ ଧୂଳି ଜମାଟ ବାନ୍ଧି ପରିତ୍ୟକ୍ତ ଅବସ୍ଥାରେ ପଡି ଅତୀତର ସ୍ମୃତିକୁ ଜାହିର କରୁଛି।