ଭୁବନେଶ୍ବର: ଓଡ଼ିଶାରୁ ଉତ୍ତରପ୍ରଦେଶକୁ ଗଞ୍ଜେଇ ଚାଲାଣ କରୁଥିଲେ ଦୁଇ ମାଫିଆ। କିନ୍ତୁ ବାଟରେ କାର୍ ଅଟକାଇ ମଦ କିଣିବା ସେମାନଙ୍କ ପାଇଁ ମହଙ୍ଗା ପଡ଼ିଛି। ଗାଡ଼ି ନମ୍ବରକୁ ସନ୍ଦେହ କରି ପୁଲିସ ଯାଞ୍ଚ କରୁକରୁ ମାଫିଆଦ୍ବୟ ଧରାପଡ଼ିଯାଇଛନ୍ତି। ଏମିତି ଏକ ଘଟଣାକ୍ରମେ ଖଣ୍ଡଗିରି ଥାନା ପୁଲିସ ଗିରଫ କରିଥିବା ଉତ୍ତରପ୍ରଦେଶର ୨ ମାଫିଆ ହେଲେ ସଦ୍ରାୟ ଆଲାମ୍(୩୮) ଓ ଇମ୍ତିଆଜ୍ ଅହମ୍ମଦ(୪୧)। ସେମାନଙ୍କ କାର୍ରୁ ୨୦ କେଜି ଗଞ୍ଜେଇ ଜବତ କରାଯାଇଛି। ପୁଲିସ ସୂଚନାନୁସାରେ ଗତକାଲି ଏମାନେ କନ୍ଧମାଳରୁ ଗଞ୍ଜେଇ ନେଇ ବାହାରିଥିଲେ। ରାତି ପ୍ରାୟ ସାଢ଼େ ୮ଟା ବେଳେ ସେମାନେ ଖଣ୍ଡଗିରିରେ ପହଞ୍ଚିଯାଇଥିଲେ। ଖଣ୍ଡଗିରିରେ ଖିଆପିଆ ସାରି ସେମାନେ ପୁଣି ଯାତ୍ରା ଆରମ୍ଭ କରିବାର ଥିଲା। ତେଣୁ ସେମାନେ ଏକ ମଦ ଦୋକାନ ନିକଟରେ କାର୍କୁ ଅଟକାଇ ମଦ କିଣିବାକୁ ବାହାରିଥିଲେ। ଜଣେ ଗାଡ଼ି ଭିତରେ ଥିବା ବେଳେ ଅନ୍ୟଜଣକ ମଦ କାଉଣ୍ଟର୍କୁ ଯାଇଥିଲା।
ଏତିକିବେଳେ ପାଟ୍ରୋଲିଂ କରୁଥିବା ପିସିଆର୍ କର୍ମଚାରୀମାନେ ୟୁପି ନମ୍ବର କାର୍ ଦେଖି ସନ୍ଦେହ କରିଥିଲେ। ପୁଲିସ କର୍ମଚାରୀ ଗାଡ଼ି ନିକଟକୁ ଆସି ପଚରାଉଚରା କରିଥିଲେ। ଗାଡ଼ିରେ ବସିଥିବା ବ୍ୟକ୍ତିର କଥାରେ ତାଳମେଳ ନଥିବା ଦେଖି ସେମାନଙ୍କ ସନ୍ଦେହ ବଢ଼ିଥିଲା ଏବଂ ସେମାନେ ଗାଡ଼ିକୁ ଯାଞ୍ଚ କରିଥିଲେ। ଗାଡ଼ି ଯାଞ୍ଚ ହେବା ଦେଖି ଉକ୍ତ ବ୍ୟକ୍ତି ସେଠାରୁ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲା। ମାତ୍ର ପୁଲିସ କର୍ମଚାରୀମାନେ ତାକୁ କାବୁ କରିନେଇଥିଲେ। ଏତିକିବେଳେ ମଦ କିଣି ତା’ ସାଥୀ ଗାଡ଼ି ପାଖକୁ ଆସି ଧରାପଡ଼ିଥିଲା। ସେମାନଙ୍କ ଘର ଉତ୍ତରପ୍ରଦେଶର ସନ୍ଥ କବୀରନଗର ବୋଲି ଜଣାପଡ଼ିଛି। ସେମାନେ ନିୟମିତ ବ୍ୟବଧାନରେ ଓଡ଼ିଶା ମାଫିଆଙ୍କଠାରୁ ଗଞ୍ଜେଇ କିଣି ଉତ୍ତରପ୍ରଦେଶ ଚାଲାଣ କରୁଥିବା ସ୍ବୀକାର କରିଥିଲେ। ସେମାନଙ୍କ ସୂଚନା ଆଧାରରେ ପୁଲିସ ଓଡ଼ିଶା ମାଫିଆଙ୍କ ଖବର ପାଇଛି।