ସାଲେପୁର : ପ୍ରଧାନମନ୍ତ୍ରୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ ବିବାଦୀୟ ମନ୍ତବ୍ୟ ଦେବା ତଥା ଉତ୍ତରପ୍ରଦେଶର ବିଶ୍ବହିନ୍ଦୁ ପରିଷଦ କର୍ମକର୍ତ୍ତାଙ୍କୁ ଧମକ ଦେବା ନେଇ ଉତ୍ତରପ୍ରଦେଶ ପୁଲିସ ଗତକାଲି ସାଲେପୁରକୁ ଗିରଫ କରିଥିବା ଯୁବକଙ୍କୁ ଆଜି ଅଦାଲତରେ ହାଜର କରିଛି। ସାଲେପୁର ଜେଏମ୍ଏଫ୍ସିଙ୍କ ଅନୁମୋଦନରେ ଗିରଫ ଯୁବକଙ୍କୁ ସେଠାକାର ପୁଲିସ ଚାରିଦିନିଆ ଟ୍ରାନ୍ଜିଟ୍ ରିମାଣ୍ଡରେ ଉତ୍ତରପ୍ରଦେଶର ସିଂଘାବଲି ଥାନାକୁ ନେଇଯାଇଛି।
ଅଭିଯୋଗ ମୁତାବକ, ସାଲେପୁର ଥାନା ରାଇସୁଙ୍ଗୁଡ଼ା ପଞ୍ଚାୟତ କୁସମ୍ବୀ ଗ୍ରାମର ଅବୁଲ ଅତାହୁସେନ୍ ଅହମ୍ମଦଙ୍କ ନାମରେ ଉତ୍ତରପ୍ରଦେଶ ସିଂଘାବଲି ଥାନାର ଏକ ଅଭିଯୋଗ ହୋଇଥିଲା। ସେଠାକାର ଜିଲ୍ଲାସ୍ତରୀୟ ବିଶ୍ବହିନ୍ଦୁ ପରିଷଦ ନେତାଙ୍କୁ ଗାଳିଗୁଲଜ କରିବା, ହତ୍ୟା ଧମକ ଦେବା ଓ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ସୋସିଆଲ୍ ମିଡିଆରେ ବିବାଦୀୟ ମନ୍ତବ୍ୟ ଦେବା ନେଇ ତାଙ୍କ ନାମରେ ଅଭିଯୋଗ ଥିଲା। ଟେଲିଫୋନ୍ ଟ୍ରାକିଂ କରି ଠିକଣା ପାଇବା ପରେ ଗତକାଲି ସିଂହାବଲି ପୁଲିସ ସାଲେପୁର ପୁଲିସ ସହାୟତାରେ ହୁସେନ୍ଙ୍କୁ ଗିରଫ କରିଥିଲା। ସ୍ବାସ୍ଥ୍ୟପରୀକ୍ଷା ପରେ ସେଠାକାର ପୁଲିସ ହୁସେନ୍ଙ୍କୁ ଟ୍ରାନ୍ଜିଟ୍ ରିମାଣ୍ଡ୍ରେ ନେବା ପାଇଁ କଟକ ସିଜିଏମ୍ଙ୍କ ଅଦାଲତରେ ଆବେଦନ କରିଥିଲେ। ତେବେ, ଏ ନେଇ ତଳକୋର୍ଟରେ ଆବେଦନ କରିବାକୁ ସିଜିଏମ୍ ନିର୍ଦ୍ଦେଶ ଦେବାରୁ ଅଭିଯୁକ୍ତ ହୁସେନ୍ଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ପୁନଶ୍ଚ ସାଲେପୁର କୋର୍ଟକୁ ଅଣାଯାଇଥିଲା। ସାଲେପୁର ଜେଏମ୍ଏଫସି ଗୁରୁଚରଣ ଜେନାମଣି ଏହାର ଶୁଣାଣି କରି ଅଭିଯୁକ୍ତ ହୁସେନ୍ଙ୍କୁ ୪ଦିନ ଟ୍ରାନ୍ଜିଟ୍ ରିମାଣ୍ତ୍ରେ ନେବାକୁ ଉତ୍ତରପ୍ରଦେଶ ପୁଲିସକୁ ଅନୁମତି ଦେବା ସହ ଆସନ୍ତା ୮ ତାରିଖ ଦିନ ୧ଟାରେ ଉତ୍ତରପ୍ରଦେଶ ବାଗପତ୍ ଜିଲ୍ଲାର ସିଜେଏମ୍ଙ୍କ ଅଦାଲତରେ ହାଜର କରାଇବାକୁ ନିର୍ଦ୍ଦେଶ ଦେଇଥିଲେ। ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ଲୋପାମୁଦ୍ରା ବରାଳ ଏହି ମାମଲା ପରିଚାଳନା କରୁଥିଲେ। ଉତ୍ତରପ୍ରଦେଶ ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ଦଫା ୫୦୭, ୫୦୪, ୧୫୩(କ), ୧୨୪(କ)ରେ ମାମଲା ରୁଜୁ କରିଥିବା ଜଣାଯାଇଛି। ସିଂଘାବଲି ଥାନା ଏସ୍ଆଇ ସୁରଜମଲ ସିଂଙ୍କ ନେତୃତ୍ବରେ ଅଭିଯୁକ୍ତଙ୍କୁ ସିଂଘାବଲି ନିଆଯାଇଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/ctc.jpg)