ଭିଡିଓ ବାର୍ତ୍ତା ଜରିଆରେ ରାଜ୍ୟବାସୀଙ୍କୁ ଚେତାଇଲେ ମୁଖ୍ୟମନ୍ତ୍ରୀ; କରୋନା ଲଢ଼େଇ ନେଇ ଆଗାମୀ ୨୫ ଦିନ ଆମ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର: କରୋନା ଭାଇରସ୍‌ ମୁକାବିଲା ପାଇଁ ଆଗାମୀ ୨୫ ଦିନ ଆମ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ । କରୋନା ଳଢ଼େଇ ଦୃଷ୍ଟିରୁ ଜୁନ ମାସ ଆମ ପାଇଁ ନିର୍ଣ୍ଣାୟକ ହେବ। ତେଣୁ ଆସନ୍ତା ୨୫ଦିନ ଆମକୁ ଅତ୍ୟନ୍ତ ସତର୍କତାର ସହ ରହିବାକୁ ପଡ଼ିବ। ଆଜି ସଂଧ୍ୟ‌ାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଗତ ୧୫ ଦିନ ତଳେ ଦେଶରେ ଦିନକୁ ୩୦୦୦ ଲୋକ କରୋନା ଭାଇରସରେ ସଂକ୍ରମିତ ହେଉଥିଲେ। ଆଜିର ଦିନରେ ଦିନକୁ ୧୦ ହଜାର ଲୋକ ସଂକ୍ରମିତ ହେଉଛନ୍ତି। ତେଣୁ ଆମ ପାଇଁ ଏହା ବଡ଼ ଆହ୍ଵାନ ସୃଷ୍ଟି କରିଛି। କରୋନା ସହ ଲ‌ଢ଼େଇ ଏକ ଲମ୍ବା ଲଢ଼େଇ। ଏହାକୁ ଜିତିବାକୁ ହେଲେ ଲକଡାଉନ୍ ଓ ସଟଡାଉନ୍ ନିୟମ ମାନି ରହିବାକୁ ପଡ଼ିବ। ଏହାଦ୍ବାରା ଆମେ ନିଜକୁ ବଞ୍ଚାଇବା ସହ ଆମ ପରିବାରକୁ ମଧ୍ୟ ବଞ୍ଚାଇ ପାରିବା ବୋଲି ଚେତାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ଯେ, ଜରୁରୀ କାମ ନ ଥିଲେ ଘରୂୁ ବାହାରକୁ ଯାଆନ୍ତୁ ନାହିଁ। ସେ କହିଛନ୍ତି, ଚଳିତ ଜୁନ ମାସରେ ୧୧ଟି ଜିଲ୍ଲାରେ ଏବେ ସପ୍ତାହର ଶନିବାର ଓ ରବିବାର ସଟଡାଉନ ହେବ। ଅର୍ଥାତ ମାସକୁ ୮ ଦିନ ସଟଡାଉନ ହେବ। ଏହି ସମୟରେ ଆମେ ବାହାରକୁ ଯିବା ନାହିଁ। ଆମେ ବାହାରକୁ ନ ଗଲେ କରୋନା ସଂକ୍ରମଣ ଆମ ଘରକୁ ଆସିପାରିବ ନାହିଁ। କରୋନା ଠାରୁ ଦୂରରେ ରହିବା। ଏବେ ରାଜ୍ୟରେ ପ୍ରତିଦିନ ସନ୍ଧ୍ୟା ୭ଟାର ତାପରଦିନ ସକାଳ ୫ଟା ଯାଏର୍ କର୍ଫ୍ୟୁ ଲାଗୁ ହେଉଛି। ଅର୍ଥାତ ପ୍ରତିଦିନ ୧୦ ଘଣ୍ଟା କର୍ଫ୍ୟୁ ଲାଗୁ ହେଉଛି। ରାଜ୍ୟରେ ମାସକୁ ୩୦୦ ଘଣ୍ଟା କର୍ଫ୍ୟୁ ଲାଗିବ। ଏହା ଦ୍ୱାରା ଆମେ ପୂରା ଜୁନ ମାସରେ ୧୭ ଦିନ ଘରେ ରହିବା। ଏହା ଫଳରେ ସଂକ୍ରମଣ କମିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ।

ଏଥିସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏଇ ମାସରେ ପ୍ରାୟ ୫ ଲକ୍ଷ ଓଡ଼ିଆ ଭାଇଭଉଣୀ ଘରକୁ ଫେରିଛନ୍ତି। ତେଣୁ ଏହାର ପ୍ରଭାବ ଜୁନ ମାସରେ ହିଁ ଦେଖିବାକୁ ମିଳିବ। ଏଥିସହ ଜୁନ ମ‌ାସରେ ମୌସୁମୀ ଆସିବ। ଏହାର ପ୍ରଭାବରେ ଥଣ୍ଡା-ଜ୍ବର-କାଶ ହେବ। ଏହି ଦୁଇଟି କାରଣରୁ ଜୁନ୍ ମାସ କରୋନା ମୁକାବିଲା ଦୃଷ୍ଟିରୁ ଆମ ଲାଗି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।

ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି, ଗତ ଦୁଇ ମାସରୁ ଅଧିକ ସମୟ ହେବ, ଆମେ ଲକ୍‌ଡାଉନ୍‌ରେ ରହିଆସିଛୁ। ଏହି ସମୟ ମଧ୍ୟରେ ମୁଁ ଆପଣମାନଙ୍କୁ ବାରମ୍ବାର ଅନୁରୋଧ କରିଛି, ସଚେତନ ମଧ୍ୟ କରୁଛି। ଏ ଲଢ଼େଇ ଲମ୍ବା ଲଢ଼େଇ। କରୋନାର ଭ୍ୟାକ୍‌ସିନ ବା ମେଡିସିନ ଏପର୍ଯ୍ୟନ୍ତ ଆସି ନାହିଁ। ପୁଣି ଆଗକୁ ମୌସୁମୀ ମଧ୍ୟ ଆସୁଛି। ତେଣୁ ଆମକୁ ଅଧିକ ସତର୍କ ରହିବାକୁ ହେବ।

ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି, ଲକଡାଉନ କୋହଳ ହେଲା। ତା’ର ମାନେ ନୁହେଁ ଯେ, କରୋନା ଚାଲିଗଲା। ଏ ଭୁଲ କରନ୍ତୁ ନାହିଁ। ମୁଁ ଆଗରୁ କହିଥିଲି ଜୁନ ମାସ ଆମପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ମୋର ସାଢ଼େ ଚାରି କୋଟି ଭାଉଭଉଣୀଙ୍କ ସୁରକ୍ଷା ମୋ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଆପଣମାନଙ୍କର ବାହାରକୁ ଆସିବା କମ୍‌ କରିବା ପାଇଁ ଆମେ ଲକଡାଉନ ଓ ସଟଡାଉନ କରୁଛୁ।

ସମ୍ବନ୍ଧିତ ଖବର