ଅବପାତରୁ ବାତ୍ୟା ରୂପ ନେଲା ‘ଅମ୍ପାନ୍’, ଭାରତୀୟ ପାଣିପାଗ ବିଭାଗର ସୂଚନା

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଅବପାତ ବା ଡିପ୍ରେସନ ବାତ୍ୟାରୂପ ନେଇସାରିଥିବା ଭାରତୀୟ ପାଣିପାଗ ବିଭାଗ କହିଛି । ଆଜି ଏହା ଲଘୁଚାପରୁ ଅବପାତର ରୂପ ନେଇଥିଲା । ଏହା ଏବେ ପାରାଦୀପର ଦକ୍ଷିଣରେ ୧୦୪୦ କିଲୋମିଟର ଦୂରରେ ରହିଛି । ଆସନ୍ତା କାଲି ଯାଏ ଏହା ଉତ୍ତର ଓ ଉତ୍ତରପଶ୍ଚିମ ଦିଗକୁ ଗତି କରିବ । ଆସନ୍ତା ୧୨ ଘଣ୍ଟାରେ ଏହା ଭୀଷଣ ବାତ୍ୟାର ରୂପ ନେବ ।

ଆଗାମୀ ୧୭ ତାରିଖ ସଂଧ୍ୟାରେ ବାତ୍ୟାର ଗତି ପରିବର୍ତ୍ତନ ହେବ ବୋଲି ଆକଳନ କରାଯାଇଛି। ଏହା ବେଙ୍ଗଲ ଉପକୂଳକୁ ଗତି କରିବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା କହିଛନ୍ତି । ସମୁଦ୍ର ଭିତରେ ବାତ୍ୟା ଓଡିଶା ଉପକୂଳ ଦେଇ ଯିବା ବେଳେ ଉପକୂଳ ଓ ଉତର ଓଡିଶାରେ ପ୍ରଭାବ ରହିବ । ୧୮ ତାରିଖରୁ ବର୍ଷା ଆରମ୍ଭ ହେବ ବୋଲି ଏସଆରସି ସୂଚନା ଦେଇଛନ୍ତି ।

ସେହିପରି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଡିପ୍ ଡିପ୍ରେସନ ବା ଗଭୀର ଅବପାତ ଏବେ ଏକ ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇଛି ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ଆକଳନ କରିଛି । ଆସନ୍ତାକାଲି ସୁଦ୍ଧା ଏହା ଅତି ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଉତ୍ତର ଦିଗରେ ଗତି କରିବ ଓ ମେ ୧୯ ରାତି କିମ୍ବା ମେ ୨୦ ତାରିଖ ସକାଳ ସୁଦ୍ଧା ଏହା ପଶ୍ଚିମବଙ୍ଗ ଉପକୂଳରେ ସ୍ଥଳଭାଗ ଛୁଇଁବ ବୋଲି ସ୍କାଏମେଟ ଆକଳନ କରିଛି । ତେବେ ଏହି ବାତ୍ୟା ରିକର୍ଭ କରିବା ପରେ ହିଁ ଏହା ପ୍ରକୃତରେ କେଉଁ ସ୍ଥାନରେ ସ୍ଥଳଭାଗ ଛୁଇଁବ ତାହା ଜଣାପଡ଼ିବ ବୋଲି ଏହି ରିପୋର୍ଟରେ କୁହାଯାଇଛି । ଏହାର ଅର୍ଥ ହେଉଛି ଅମ୍ପାନ ଓଡ଼ିଶା ଉପକୂଳଛୁଇଁବା ସମ୍ଭାବନାକୁ ମଧ୍ୟ ଅସ୍ୱୀକାର କରିହେବ ନାହିଁ ।

ଗଞ୍ଜାମ ଉପକୂଳରୁ କେନ୍ଦ୍ରାପଡ଼ା ଯାଏଁ ବର୍ଷା ହେବ । ୨୦ ତାରିଖ ଯାଏଁ ଉତ୍ତର ଓଡ଼ିଶାରେ ବର୍ଷା ଲାଗି ରହିବ । ବର୍ଷା ସମୟରେ ପବନ ବି ବହିବ। ୧୯ ତାରିଖ ସକାଳେ ପବନର ବେଗ ୬୦ରୁ ୭୫ କିଲୋମିଟର ରହିବ । ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ସବୁପ୍ରକାର ପ୍ରସ୍ତୁତି କରିଥିବା କହିଛନ୍ତି ଏସଆରସି ପ୍ରଦୀପ କୁମାର ଜେନା । ବିଶେଷ କରି ଉପକୂଳ ଓ ଉତ୍ତର ଓଡ଼ିଶାର ଜିଲ୍ଲାକୁ ସତର୍କ କରାଯାଇଛି ।  ଆସନ୍ତା ୧୯ ଓ ୨୦ ତାରିଖ ଓଡ଼ିଶା ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସ୍ଥିତିର ମୁକାବିଲା ପାଇଁ ଓଡ୍ରାଫ ଓ ଏନଡିଆରଏଫ ସଜାଗ ଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର ।

ସମ୍ବନ୍ଧିତ ଖବର