ଧର୍ମଶାଳା ଭବନକୁ ନେଇ ନୂଆନୂଆ ତଥ୍ୟ: ପୁଣି ଚର୍ଚ୍ଚାକୁ ଫେରିଲା ସ୍ମିତାରାଣୀ ମୃତ୍ୟୁ ଘଟଣା

ସ୍ପେସିଆଲ ପ୍ରୋବ୍ଲେମ୍‌ ଫଣ୍ଡରୁ ଟଙ୍କା ଖର୍ଚ୍ଚ ହୋଇଛି, ଢାବାରୁ ରାତାରାତି ସାମଗ୍ରୀ ଉଭାନ

ଯାଜପୁର: ‘ବଲେ ବଲେ ଢାବା’ ପାଇଁ କିଛିଦିନ ଧରି ଚର୍ଚ୍ଚାରେ ଥିବା ଯାଜପୁରର ‘ଧର୍ମଶାଳା ଭବନ’ ପୁଣିଥରେ ସ୍ମିତାରାଣୀ ମୃତ୍ୟୁ ଘଟଣାକୁ ତାଜା କରିଛି। ସେତେବେ‌ଳେ ସେହି ମୃତ୍ୟୁ ଘଟଣାରେ ‘ରଙ୍ଗଶାଳା ରାଜନୀତି’ ସାମ୍‌ନାକୁ ଆସିଥିଲା। ଏବେ ଧର୍ମଶାଳା ଭବନକୁ ବି ରଙ୍ଗଶାଳା ଭାବେ ବ୍ୟବହାର କରାଯାଉଥିବା ନେଇ ଅଭିଯୋଗ ହେଉଛି। ଏହା ସତ ହୋଇଥିଲେ, ଏଥିରେ କେଉଁମାନେ ସମ୍ପୃକ୍ତ ତାହାକୁ ନେଇ ପ୍ରଶ୍ନ ଉଠିଲାଣି।

ସୂଚନାଯୋଗ୍ୟ ଯେ ୨୦୧୯ ଅକ୍ଟୋବର ୧୬ତାରିଖରେ ଧର୍ମଶାଳା ବ୍ଲକ୍ ଅଧୀନ ହରିଦାସପୁର ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ର‌ଙ୍କ ବେଆଇନ ଜବରଦଖଲ ସରକାରୀ ଜମିରେ ଗଢ଼ିଥିବା ରଙ୍ଗଶାଳାରେ ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁ ହୋଇଥିଲା। ସେତେବେଳେ ଏହି ଘଟଣା ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି କରିଥିଲା। ତେବେ ଏହି ହତ୍ୟାକାଣ୍ଡକୁ ଆତ୍ମହତ୍ୟାର ରୂପ ଦେଇ ଚପାଇ ଦିଆଯାଇଥିଲା। ଜ‌ନୈକ ପୁଲିସ ଉଚ୍ଚ ପଦାଧିକାରୀ ଏହି ଘଟଣାକୁ ଚପାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ବୋଲି ଚର୍ଚ୍ଚା ହୋଇଥିଲା। ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କୁ ପୁଲିସ ଗିରଫ କରିଥିଲା। ତେବେ ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ ଶେଷହେବା ପୂର୍ବରୁ ସରକାରୀ ଜମିରେ ହୋଇଥିବା ସେହି ରଙ୍ଗଶାଳାକୁ ମେସିନ ଲଗାଇ ତରବରିଆ ଭାବେ ଜିଲ୍ଲା ପ୍ରଶାସନ ମାଟିରେ ମିଶାଇ ଦେଇଥିଲା। ତତ୍କାଳୀନ କେନ୍ଦୁଝର ବିଧାୟକ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ବିଜେପି ତଥ୍ୟାନୁସନ୍ଧାନକାରୀ ଦଳ ସେତେବେଳେ ଘଟଣାସ୍ଥଳକୁ ଯାଇଥିଲେ।

ଏବେ ଧର୍ମଶାଳା ଭବନରେ ସମାନ ଧରଣର କେଳେଙ୍କାରୀ ଚାଲୁଥିବା ସନ୍ଦେହ କରାଯାଉଛି। ଏହାର ପ୍ରଚ୍ଛଦପଟରେ କେଉଁମାନେ ରହିଥିଲେ
ଏବଂ ସରକାରୀ ଅଧିକାରୀ ଓ ବିଜେଡିର ନେତାନେତ୍ରୀଙ୍କ କିଭଳି ସମ୍ପୃକ୍ତି ରହିଛି ତାହା ଏବେ ମୁଖ୍ୟ ଆଲୋଚ୍ୟବସ୍ତୁ ପାଲଟିଛି। ଏପରିସ୍ଥଳେ ଗତକାଲି ରାତାରାତି ଏହା ଭିତରେ ଥିବା ଢାବାରୁ ସାମଗ୍ରୀ ମଧ୍ୟ ଉଭାନ ହୋଇଯାଇଛି। ଅନ୍ୟପକ୍ଷରେ, ସ୍ଥାନୀୟ ବିଧାୟକ ହିଂମାଶୁ ସାହୁ ଖୋଳତାଡ଼ କରିବା ପରେ ‘ଧର୍ମଶାଳା ଭବନ’କୁ ନେଇ ନୂଆନୂଆ ତଥ୍ୟ ସାମ୍‌ନାକୁ ଆସିଛି। ଏବେ ଜଣାପଡ଼ିଛି ‌ଯେ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ପରାମର୍ଶ କ୍ରମେ ‘ସ୍ପେସିଆଲ ପ୍ରବ୍ଲେମ୍ ଫଣ୍ଡ୍‌’ରୁ ଅର୍ଥ ବିନିଯୋଗ ହୋଇଛି। ୧୯୯୭-୯୮ରେ ପ୍ରଣୀତ ଏହି ଯୋଜନା ଅନୁସାରେ ଏହି ପାଣ୍ଠି ସରକାରୀ ବା ବେସରକାରୀ ଶିକ୍ଷାନୁଷ୍ଠାନ, ରାସ୍ତା, କଲଭର୍ଟ, ପୋଲ, ନଦୀବନ୍ଧ ଭଳି ପ୍ରକଳ୍ପର ମରାମତି, ବିକାଶ କିମ୍ବା ଅନ୍ୟ କାର୍ଯ୍ୟପାଇଁ ବିନିଯୋଗ ହେବାକଥା। କିମ୍ବା ଏଇ ଅର୍ଥରେ ଛୋଟମୋଟ ନୂଆକାର୍ଯ୍ୟ ବି କ‌ରାଯିବା କଥା। ମାତ୍ର ତତ୍‌କାଳୀନ ବିଧାୟକ ପ୍ରଣବ କୁମାର ବଳନ୍ତରାୟଙ୍କ ପରାମର୍ଶକ୍ରମେ ଧର୍ମଶାଳା ଭବନ ପାଇଁ ୨୦୨୧-୨୨ମସିହାରେ ସ୍ପେସାଲ ପ୍ରବ୍ଲେମ୍ ଫଣ୍ଡ୍‌ରୁ ୧୦ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି।

ସମ୍ବନ୍ଧିତ ଖବର