ନୀଳଗିରି(ଦିଲ୍ଲୀପ ସ୍ବାଇଁ): ଗଛ ପ୍ରେମରେ ପଡ଼ିଛନ୍ତି ଜଣେ ବୃଦ୍ଧ। ସେ ହେଲେ ବାଲେଶ୍ବର ଜିଲ୍ଲା ନୀଳଗିରି ଉପଖଣ୍ଡ ଅନ୍ତର୍ଗତ ବଉଳଗଡ଼ିଆ ଗାଁ’ର ଉପେନ୍ଦ୍ର ପରିଡ଼ା। ତାଙ୍କ ବୟସ ଆସି ୮୧ ବର୍ଷ ହେଲାଣି। ତଥାପି ସେ ଥକି ପଡ଼ି ନାହାନ୍ତି। ପରିବେଶର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି।

Advertisment

୨୦ ବର୍ଷ ତଳେ ଉପେନ୍ଦ୍ରଙ୍କ ଘର ସଂସାର ପ୍ରତି ମୋହମାୟା ତୁଟିଯାଇଥିଲା। ଫଳରେ ସେ ଗାଁ ପାଖ ବିଷ୍ଣୁପୁର ପାହାଡ଼କୁ ଚାଲିଯାଇଥିଲେ। ସେଠାରେ ଏକ ଛୋଟ କୁଡ଼ିଆ କରି ରହିବାକୁ ଲାଗିଲେ। ଆଜିଯାଏ ସେ ସେହିଠାରେ ରହୁଛନ୍ତି। ଜଙ୍ଗଲରୁ ସଂଗ୍ରହ କରୁଥିବ‌ା ଫଳମୂଳ ଏବଂ ଭାତ ଗଣ୍ଡେ ରୋଷେଇ କରି ଖାଆନ୍ତି। ଉପେନ୍ଦ୍ର ପାହାଡ଼ରେ ନାନା ପ୍ରକାର ଏବଂ ନାନା ଜାତିର ଗଛ ଲଗାଉଛନ୍ତି। ଏଯାଏ ସେ ୫ ହଜାରରୁ ଅଧିକ ଗଛ ଲଗାଇ ସାରିଲେଣି। ସେହିପରି ରହୁଥିବା କୁଡ଼ିଆ ଚାରିପାଖରେ ଆମ୍ବ, ପଣସ, କାଜୁ, କେନ୍ଦୁ, କମଳା, ମହୁଲ, ତେନ୍ତୁଳି ଆଦି ଗଛ ଲଗାଇଛନ୍ତି। ଖରା, ବର୍ଷା, ଶୀତ; ଯେଉଁ ସମୟରେ ହେଲେ ବି ଉପେନ୍ଦ୍ର ଗଛ ଲଗାଇବା କାମରେ ଲାଗିଥା’ନ୍ତି। ସେ ନିଜ ପୁଅଝିଅଙ୍କ ପରି ଗଛଗୁଡ଼ିକର ସେବାଯତ୍ନ କରନ୍ତି। ଉପେନ୍ଦ୍ରଙ୍କ ଏମିତି ଗଛ ପ୍ରେମ ଦେଖି ସ୍ଥାନୀୟ ଲୋକମାନେ ତାଙ୍କୁ ଗଛ ମଣିଷ ବୋଲି ଡାକୁଛନ୍ତି।

publive-image

ବର୍ତ୍ତମାନ ଯେତେବେଳେ ପରିବେଶ ପ୍ରଦୂଷଣରେ ଭରିଯାଉଛି, ସେତେବେଳେ ଉପେନ୍ଦ୍ର ମଣିଷ ସମାଜ ପାଇଁ ଉଦାହରଣ ଭାବେ ଉଭା ହୋଇଛନ୍ତି। ପରପିଢ଼ିଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବାକୁ ହେଲେ ଲୋକଙ୍କୁ ଯେ ପ୍ରଚୁର ପରିମାଣରେ ଗଛ ଲଗାଇବା ପାଇଁ ପଡ଼ିବ, ସେନେଇ ଉପେନ୍ଦ୍ର ପରୋକ୍ଷରେ ଆହ୍ବାନ ଦେଇଛନ୍ତି।