ଇଣ୍ଟରନ୍ୟାସ୍‌ନାଲ୍‌ ସୋଲାର୍‌ ଆଲାଏନ୍ସର ମହାନିର୍ଦ୍ଦେଶକ ହେଲେ ଉପେନ୍ଦ୍ର ତ୍ରିପାଠୀ

ଭୁବନେଶ୍ବର : ଇଣ୍ଟରନ୍ୟାସ୍‌ନାଲ୍‌ ସୋଲାର୍ ଆଲାଏନ୍ସର ମହାନିର୍ଦ୍ଦେଶକ ପଦବିରେ ନିଯୁକ୍ତ ହୋଇଛନ୍ତି ଓଡ଼ିଆ ପ୍ରଶାସନିକ ଅଧିକାରୀ ଉପେନ୍ଦ୍ର ତ୍ରିପାଠୀ। ଗତ ୩ ତାରିଖରେ ମିଳିତ ଜାତିସଂଘର ସଚିବଙ୍କ ଉପସ୍ଥିତିରେ ଆଲାଏନ୍ସର ପ୍ରଥମ ସମ୍ମିଳନୀ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଉଦ୍‌ଘାଟିତ ହୋଇଥିଲା। ଏହି ସମ୍ମିଳନୀରେ ୪୪ଟି ଦେଶର ସମ୍ମତି କ୍ରମେ ଶ୍ରୀ ତ୍ରିପାଠୀଙ୍କୁ ମହାନିର୍ଦ୍ଦେଶକ ଭାବେ ମନୋନୀତ କରାଯାଇଥିଲା। ସୋଲାର୍ ଆଲାଏନ୍ସ ହେଉଛି ନବୀକରଣ ଯୋଗ୍ୟ ଶକ୍ତି ଉତ୍ପାଦନ ଦିଗରେ କାମ କରିବା ପାଇଁ ଗଠିତ ପ୍ରଥମ ଆନ୍ତର୍ଜାତିକ ସଂସ୍ଥା। ଭାରତରେ ଏହାର ମୁଖ୍ୟ କାର୍ଯ୍ୟାଳୟ ରହିଛି। ଏହି ସଂସ୍ଥାର ଚୁକ୍ତିପତ୍ରରେ ୭୦ଟି ରାଷ୍ଟ୍ର ସ୍ବାକ୍ଷର କରିସାରିଛନ୍ତି। ଶ୍ରୀ ତ୍ରିପାଠୀଙ୍କ ଜନ୍ମସ୍ଥାନ ହେଉଛି ଗଞ୍ଜାମ ଜିଲ୍ଲାର ଚିଲିକା ନିକଟସ୍ଥ ଗାଁ କାହକାପୁର। ସେ କର୍ଣ୍ଣାଟକ କ୍ୟାଡର୍‌ରେ ଭାରତୀୟ ପ୍ରଶାସନିକ ଅଧିକାରୀ ଭାବେ ଯୋଗ ଦେଇ ଦୀର୍ଘ ୩୬ ବର୍ଷ ଧରି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦପଦବିରେ କାର୍ଯ୍ୟ କରିଥିଲେ। ନବୀକରଣ ଯୋଗ୍ୟ ଶକ୍ତିର ବିନିଯୋଗ ପାଇଁ  ଆନ୍ତର୍ଜାତିକ ସ୍ତରରେ ନୀତି ପ୍ରଣୟନ ଦିଗରେ କାର୍ଯ୍ୟ କରିବାକୁ ସଦସ୍ୟ ରାଷ୍ଟ୍ରମାନେ ତାଙ୍କୁ ଶୁଭେଚ୍ଛା  ଜଣାଇଛନ୍ତି।

ସମ୍ବନ୍ଧିତ ଖବର