ବାରିପଦା: ବାରିପଦା ସହରରେ ବସ୍‌ ପାର୍କିଂ ଯୋଗୁଁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବ ନାହିଁ। ବାରିପଦା ସହରଠୁ ଅନତି ଦୂର ଦାରଗାଡ଼ାହିରେ ହେବ ନୂତନ ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ। ଏଭଳି ପରିକଳ୍ପନା କିଛି ବର୍ଷ ହେଲା ହୋଇଥିଲା। ତେବେ ବାରିପଦା ପୁରୁଣା ବସ୍‌ଷ୍ଟାଣ୍ଡର ଉନ୍ନତୀକରଣ ନିମନ୍ତେ ରାଜ୍ୟ ସରକାର ୩ କୋଟି ୫୬ ଲକ୍ଷ ଟଙ୍କା ମଂଜୁର କରିଥିବାରୁ ପ୍ରସ୍ତାବିତ ନୂତନ ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ନିର୍ମାଣ ଆଶା ମଉଳିଲା ବୋଲି କୁହାଯାଉଛି।

Advertisment

ବାରିପଦା ପୌର ପାଳିକା ବସ୍‌ଷ୍ଟାଣ୍ଡ ବହୁ ପୁରୁଣା ବସ୍‌ଷ୍ଟାଣ୍ଡ। ତେବେ ଜାଗା ଅଭାବ ସାଙ୍ଗକୁ ବସ୍‌ ସଂଖ୍ୟା ବଢ଼ିଛି। ବସ୍‌ଷ୍ଟାଣ୍ଡର ପ୍ରବେଶ ଓ ପ୍ରସ୍ଥାନ ପଥ ଅଣଓସାରିଆ ହୋଇଥିବାରୁ ଅଧିକାଂଶ ସମୟ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି। ବସ୍‌ଷ୍ଟାଣ୍ଡରୁ ଗୋଟିଏ ବାଟରେ ବସ୍‌ଗୁଡ଼ିକ ବାହାରୁଥିବାରୁ ଦୈନିକ ଟ୍ରାଫିକ୍ ସମସ୍ୟା ଦେଖା ଦେବା ସହ ଦୁର୍ଘଟଣାର ଆଶଙ୍କା ସୃଷ୍ଟି ହେଉଛି। ଜାଗା ଅଭାବରୁ ସହରର ବିଭିନ୍ନ ଛକ ଜାଗାରେ ବସ୍‌ଗୁଡ଼ିକୁ ପାର୍କିଂ କରାଯାଉଛି। ତେଣୁ ଜନସାଧାରଣ ଓ ଯାତ୍ରୀମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଏକ ବଡ଼ ଜାଗାରେ ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ ହେବାର ଆବଶ୍ୟକତା ରହିଛି ବୋଲି ବାରିପଦା ସହରବାସୀ ଦାବି କରି ଆସୁଥିଲେ। ରାଜ୍ୟ ସରକାର ବି ଏହାକୁ ଗୁରୁତ୍ବର ସହ ନେଇ ଅନ୍ୟ ଜାଗାରେ ନୂତନ ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ନିର୍ମାଣ ହେବ ବୋଲି କହିଥିଲେ। ଏଥି ନିମନ୍ତେ ବାରିପଦା ସହରଠୁ ଅନତି ଦୂର ଦାରଗାଡ଼ାହିରେ ଜାଗା ଚିହ୍ନଟ କରାଯାଇଥିଲା। ନୂତନ ବସ୍‌ଷ୍ଟାଣ୍ଡ ହେବ ବୋଲି ଆଶା କରାଯାଉଥିଲା। ତେବେ ଗତକାଲି ପୁରୁଣା ବସ୍‌ଷ୍ଟାଣ୍ଡର ଉନ୍ନତୀକରଣ ପାଇଁ ସରକାର ଟଙ୍କା ମଂଜୁର କରିବା ପରେ ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ ହେବା ଆଶା ମଉଳିଗଲା ବୋଲି କୁହାଯାଉଛି। ପୁରୁଣା ବସ୍‌ଷ୍ଟାଣ୍ଡରେ ବସ୍‌ ରଖିବାକୁ ଜାଗା ନାହିଁ। ଯାତ୍ରୀଙ୍କ ପାଇଁ କୌଣସି ସୁବିଧା ବି ନାହିଁ। ବସ୍‌ ଯୋଗୁଁ ମୁଖ୍ୟ ରାସ୍ତାରେ ସୃଷ୍ଟି ହେଉଥିବା ଟ୍ରାଫିକ୍ ସମସ୍ୟା କିଭଳି ଦୂର କରି ପୁରୁଣା ବସ୍‌ଷ୍ଟାଣ୍ଡର ନବକଳେବର ହେବ, ସେନେଇ ବାରିପଦା ସହରବାସୀ ସନ୍ଦେହ ପ୍ରକଟ କରିଛନ୍ତି।

ମଂଜୁର ହୋଇଥିବା ଟଙ୍କାରେ କୋଠା, ବିଶ୍ରାମଗାର, ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା କରାଯିବ। ଏହି କାମ ପୂର୍ତ୍ତ ବିଭାଗକୁ ଦାୟିତ୍ବ ଦିଆଯାଇଛି। ତେବେ ପୁରୁଣା ବସ୍‌ଷ୍ଟାଣ୍ଡରେ ଯାହା ଟଙ୍କା ଖର୍ଚ୍ଚ କଲେ ବି ଟ୍ରାଫିକ୍ ସମସ୍ୟା ସୁଧୁରିବ ନାହିଁ। ଜନସାଧାରଣ ଟ୍ରାଫିକ୍ ସମସ୍ୟାର ସମ୍ମୁଖୀନ ହେବେ। ଯାତ୍ରୀଙ୍କ ସମସ୍ୟା ବି ଦୂର ହେବ ନାହିଁ। ତେଣୁ ପ୍ରସ୍ତାବିତ ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ ହେବାର ଆବଶ୍ୟକତା ରହିଛି ବୋଲି କହନ୍ତି ବାରିପଦା ସହରର ବିଜୟ କୁମାର ବେହେରା। ବାରିପଦା ଘରୋଇ ବସ୍‌ ମାଲିକ ସଂଘର କର୍ମକର୍ତ୍ତା ସୁନୀଲ ଦାସଙ୍କ କହିବା ଅନୁଯାୟୀ ଜାଗା କମ୍ ଥିବାରୁ ୩ କୋଟି ୫୬ ଲକ୍ଷ ଟଙ୍କା ବ୍ୟୟରେ ଉନ୍ନତୀକରଣ କାମ କିଭଳି ଓ କେଉଁଠି ହେବ, ସେନେଇ ଆଶଙ୍କା ରହିଛି। ଏନେଇ ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତିଙ୍କୁ ପଚାରିବାରୁ ସେ ପ୍ରସ୍ତାବିତ ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ ସମ୍ପର୍କରେ କିଛି ନକହି କେବଳ ପୁରୁଣା ବସ୍‌ଷ୍ଟାଣ୍ଡର ଉନ୍ନତୀକରଣ ନିମନ୍ତେ ନଗର ଉନ୍ନୟନ ବିଭାଗ ପକ୍ଷରୁ ୩ କୋଟି ୫୬ ଲକ୍ଷ ଟଙ୍କା ମଂଜୁର ହୋଇଥିବା କହିଛନ୍ତି।