ପୁରୀ: ନୂଆ ରୂପ ନେବ ଶ୍ରୀଲୋକନାଥ ମନ୍ଦିର। ଐତିହ୍ୟ ସହରର ବିକାଶ ଧାରାରେ ଯୋଡ଼ି ହେବ ଏହି ପ୍ରାଚୀନ ମନ୍ଦିର। ବହୁଦିନ ଧରି ଟେଣ୍ଡର୍ ପ୍ରକ୍ରିୟା ବିଳମ୍ବ ଯୋଗୁ ଅଟକିଥିବା କାମ ଆରମ୍ଭ ହୋଇଛି। ୨୪.୯୯ କୋଟି ବ୍ୟୟରେ ମନ୍ଦିରର ବିକାଶ ସହ ପାରିପାର୍ଶ୍ବିକ ସୌନ୍ଦର୍ଯ୍ୟୀକରଣ ହେବ। ଆସନ୍ତା ବର୍ଷ ଜୁନ ମାସ ସୁଦ୍ଧା କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।
ଓବିସିସି, ରେଭେନ୍ୟୁ ଟିମ୍, କଣ୍ଟ୍ରାକ୍ଟରଙ୍କ ଉପସ୍ଥିତିରେ ତହସିଲଦାରଙ୍କ ଦ୍ବାରା ଉନ୍ନୟନ ପାଇଁ ଜାଗା ଚିହ୍ନଟ ହୋଇଥିଲା। ସେଇ ଅନୁସାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ପାର୍ବତୀ ସାଗରର ଜଳ ବିଶୋଧନ ସହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ବର୍ଷା ଦିନେ ପ୍ରଭୁ ଶ୍ରୀଲୋକନାଥଙ୍କ ମନ୍ଦିର ଜଳାର୍ଣ୍ଣବ ରହୁଥିବାରୁ, ଏହି ସମସ୍ୟା ଦୂର କରିବା ଲାଗି ଆଧୁନିକ ଜ୍ଞାନକୌଶଳ ଉପଯୋଗରେ ଡ୍ରେନେଜ୍ ବ୍ୟବସ୍ଥା କରାଯିବ। ମନ୍ଦିର ପରିସରସ୍ଥ ଚଟାଣରେ ଥିବା ପୁରୁଣା ପଥର କଢ଼ାଯାଇ ଖଣ୍ଡୋଲାଇଟ ପଥରରେ ପୁନଃନିର୍ମିତ ହେବ। ପାର୍ବତୀ ସାଗରର ପାଚେରି ଦୃଢ଼ କରିବା ପାଇଁ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ କରାଯିବ। ଚାରିପାର୍ଶ୍ବରେ ୨୬୭ ମିଟରର ସୁଦୃଢ଼ ପାଚେରି ସହ ପୁଷ୍କରିଣୀର ବିଶୋଧନ କରାଯିବ। ପାହାଚ ମରାମତି, ଲ୍ୟାଣ୍ଡ ସ୍କେପିଂ, ଆଲୋକୀକରଣ ଓ ବସାଉଠା ପାଇଁ ସ୍ଥାନ ରହିବ।
ହାରାହାରି ୧୭ ଏକର ପରିମିତ ଜାଗର ପଡ଼ିଆ ଅଞ୍ଚଳର ବିକାଶ ହେବ। ଚାରିପଟେ ବାଉଣ୍ଡରି କାନ୍ଥ ସହ ପାଦଚଲା ରାସ୍ତା ନିର୍ମିତ ହେବ। ଲ୍ୟାଣ୍ଡସ୍କେପିଂ ଜୋନ୍ ନିର୍ମିତ ହେବ। ଏହା ମଧ୍ୟରେ ଆଳଙ୍କାରିକ ଗଛ ସହ ଘାସ ଗାଲିଚା ରହିବ। ଭଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଭଜନ ମଣ୍ଡପ ନିର୍ମିତ ହେବ। ମନ୍ଦିର ନିକଟରେ ବ୍ୟବସାୟ କରୁଥିବା ଦୋକାନୀମାନଙ୍କୁ ବ୍ୟବସ୍ଥିତ କରିବା ଲାଗି ମିନି ସପିଂ କମ୍ପ୍ଲେକ୍ସ ନିର୍ମିତ ହେବ। ଦୁଇ ଓ ଚାରି ଚକିଆ ପାଇଁ ବିସ୍ତୃତ ପାର୍କିଂ ଅଞ୍ଚଳ ବ୍ୟବସ୍ଥିତ ହେବ। ସେବାୟତମାନଙ୍କ ପାଇଁ ସ୍ବତନ୍ତ୍ର କକ୍ଷ ନିର୍ମିତ ହେବ। ଭକ୍ତମାନେ ଶୃଙ୍ଖଳିତ ଭାବେ ଦର୍ଶନ କରିବା ପାଇଁ ସ୍ଥାୟୀ ଧାଡ଼ି ବ୍ୟବସ୍ଥା କରାଯିବ। ଜୋତା ଓ ମୋବାଇଲ୍ ପାଇଁ ଏକ ଷ୍ଟାଣ୍ଡ ନିର୍ମିତ ହେବ। କୁଷ୍ଠାଶ୍ରମ ନିକଟରେ ଏକ ପ୍ରବେଶ ତୋରଣ ନିର୍ମିତ ହେବ। ଶିବ-ପାର୍ବତୀ-ବୃଷଭଙ୍କୁ ଏହି ତୋରଣରେ ସ୍ଥାନିତ କରାଯିବ। ଶୌଚାଳୟ ସହ ପାନୀୟ ଜଳ ପାଇଁ ବ୍ୟବସ୍ଥା କରାଯିବ। ମନ୍ଦିରକୁ ଯାଇଥିବା ୪୦୦ ମିଟର ରାସ୍ତାର ଉନ୍ନତୀକରଣ କରାଯିବା ସହିତ ୪ଟି ରାସ୍ତାର ବିକାଶ କରାଯିବ। ମନ୍ଦିରକୁ ସଂଯୋଗ ହୋଇଥିବା ୪ଟି ପ୍ରମୁଖ ରାସ୍ତାର ଉନ୍ନତୀକରଣ ମଧ୍ୟ କରାଯିବ। ଏନେଇ ଓବିସିସିର ପ୍ରକଳ୍ପ ମ୍ୟାନେଜର୍ ପ୍ରଭାତ ପାଣିଗ୍ରାହୀ କହିଛନ୍ତି, ଠିକାସଂସ୍ଥା କାର୍ଯ୍ୟ ଆରମ୍ଭ କରିଦେଇଛି। ତେଣୁ ପ୍ରକଳ୍ପକୁ ଅଗ୍ରାଧିକାର ଭିତ୍ତିରେ ବର୍ଷେ ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ରହିଥିବାରୁ ସେଇ ଅନୁଯାୟୀ ନିର୍ମାଣକାରୀ ସଂସ୍ଥାକୁ ଟାର୍ଗେଟ୍ ଦିଆଯାଇଛି। କାମ ଆରମ୍ଭ ହୋଇଯାଇଥିବାରୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ସରିଯିବ ବୋଲି ଆଶାବାଦୀ ଥିବା ଶ୍ରୀ ପାଣିଗ୍ରାହୀ କହିଛନ୍ତି।