ଫେସ୍‌ବୁକ୍‌ରେ ଫେକ୍‌ଆଇଡ଼ି ଖୋଲି ଯୁବତୀଙ୍କ ଅଶ୍ଳୀଳ ଫଟୋ ଅପ୍‌ଲୋଡ୍‌

ପରକୀୟା ପ୍ରୀତି କରି ଫସିଲେ ସମ୍ବଲପୁରର ଯୁବତୀ

ସମ୍ବଲପୁର : ପରକୀୟା ପ୍ରୀତି କରୁଥିବା ମହିଳା ହୁଅନ୍ତୁ ବା ପୁରୁଷ, ସାବଧାନ ହୋଇଯାନ୍ତୁ। କେତେବେଳେ ଆପଣ ବ୍ଲାକ୍‌ମେଲିଂର ଶିକାର ହେବେ କିମ୍ବା କେତେବେଳେ ଆପଣଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ୍‌ ହୋଇଯିବ ତାହା ବୁଝିପାରିବେ ନାହିଁ। ସମ୍ବଲପୁର ସହରର ଜଣେ ବିବାହିତା ମହିଳା ଏବେ ଏଭଳି ଏକ ଜାଲରେ ଛନ୍ଦି ହୋଇଯାଇଛନ୍ତି, ଯେଉଁ ଜାଲରୁ ବାହାରିବା ପାଇଁ ତାଙ୍କୁ ଥାନାର ଦ୍ବାରସ୍ଥ ହେବାକୁ ପଡ଼ିଛି। ପରକୀୟା ପ୍ରୀତି ପରେ ଫେସ୍‌ବୁକ୍‌ରେ ତାଙ୍କର ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍‌ ହେବାପରେ ତାଙ୍କର ଅକଲ ଗୁଡୁମ୍‌ ହୋଇଯାଇଛି। ଶେଷରେ ଏ ନେଇ ଯୁବତୀ ଜଣକ ସମ୍ବଲପୁର ସାଇବର୍‌ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ସମ୍ବଲପୁର ସହରର ଯୁବତୀଙ୍କର ବିବାହ ହୋଇଥିଲା ଜଣଙ୍କ ସହ, ବିବାହ ପରେ ପ୍ରେମ ହେଲା ସମ୍ବଲପୁରରେ ରହୁଥିବା ଆଉ ଜଣେ ସହପାଠୀଙ୍କ ସହ। ସ୍ବାମୀଙ୍କ ଅନୁପସ୍ଥିତିରେ ଉକ୍ତ ଯୁବକଙ୍କ ସହ ସବୁ ପ୍ରକାର ସମ୍ପର୍କ ଆରମ୍ଭ ହୋଇଗଲା। ସବୁଠାରୁ ବଡ଼ କଥା ହେଲା ଯାହା ସହ ଯୁବତୀ ଜଣକ ପରକୀୟା ପ୍ରୀତି କରିଥିଲେ ଉକ୍ତ ଯୁବକ ଜଣକ ମଧ୍ୟ ବିବାହିତ ଥିଲେ। ଏସବୁ ଭିତରେ ଯୁବକ ଜଣକଙ୍କର ମୁମ୍ବାଇର ଏକ ଘରୋଇ କମ୍ପାନିରେ ଚାକିରି ହେବାରୁ ସେ ସେଠାକୁ ଚାଲିଗଲେ। ତାପରେ ଉଭୟେ ଭିଡିଓ କଲିଂ ମାଧ୍ୟମରେ ସମ୍ପର୍କ ବଢ଼ାଇ ଚାଲିଲେ। ବାଥ୍‌ରୁମ୍‌ ଭିଡିଓ କଲିଂ ଉଭୟଙ୍କ ପାଇଁ ନିତିଦିନିଆ ହୋଇଗଲା। ଯୁବକ ଜଣକ କିଛି କିଛି ସ୍କ୍ରିନ୍‌ ରେକର୍ଡିଂ ମଧ୍ୟ ନିଜ ଫୋନ୍‌ରେ ରଖିଲେ। ଦିନେ ହଠାତ୍‌ ଯୁବକଙ୍କ ସ୍ତ୍ରୀଙ୍କ ହାବୁଡ଼ରେ ତାଙ୍କ ମୋବାଇଲ୍‌ଟି ପଡ଼ିଲା। ତାଙ୍କ ସ୍ତ୍ରୀ ସେଥିରେ ଥିବା ଫଟୋ ଓ ଭିଡିଓ ସବୁ ଦେଖିଦେଲେ।
ଯୁବକଙ୍କ ସ୍ତ୍ରୀ ଏସବୁ ଦେଖିବା ପରେ ଅସଲ କାହାଣୀ ଆରମ୍ଭ ହେଲା।

ଯୁବକଙ୍କର ସ୍ତ୍ରୀ ସହିତ ମଧ୍ୟ ପରକୀୟା ପ୍ରୀତି ଆଉଜଣେ ଯୁବକଙ୍କ ସହ ଚାଲିଥିଲା। ତା ପାଖକୁ ଅନ୍ତରଙ୍ଗ ଭିଡିଓ ଓ ଫଟୋଗୁଡ଼ିକ ପ୍ରଥମ ଯୁବକଙ୍କ ସ୍ତ୍ରୀ ପଠାଇ ଦେଲେ। ଦ୍ବିତୀୟ ଯୁବକ ଜଣକ ତାପରେ ଫେସ୍‌ବୁକ୍‌ରେ ଏକ ଫେକ୍‌ ଆଇଡି ତିଆରି କରି ସମ୍ବଲପୁର ସହରର ଯୁବତୀଙ୍କର ଅନ୍ତରଙ୍ଗ ଭିଡିଓ ଓ ଫଟୋଗୁଡିକୁ ଗୋଟିଏ ପରେ ଗୋଟିଏ ଅପ୍‌ଲୋଡ୍‌ କରିଚାଲିଲେ। ଏ ନେଇ ଯୁବତୀ ଜଣକ ଜାଣିବା ପରେ ଫଟୋ ଡିଲିଟ୍‌ କରିବା ପାଇଁ ଉକ୍ତ ଯୁବକଙ୍କୁ ଅନୁରୋଧ କଲେ। କିଛି ଲାଭ ନମିଳିବାରୁ ଶେଷରେ ବୁଧବାର ଦିନ ସମ୍ବଲପୁର ସାଇବର୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର