ତେଜୁଛି ଅପର ଜୋଙ୍କ ପାଣି ବିବାଦ, ଉଭୟ ଚାଷୀ ଗୋଷ୍ଠୀ ଜିଦ୍‌ରେ ଅଟଳ

ସମାଧାନର ବାଟ ଖୋଜୁନି ଜିଲ୍ଲା ପ୍ରଶାସନ

ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ରବି ଚାଷ ପାଇଁ ଅପର ଜୋଙ୍କ ପାଣି ଆବଣ୍ଟନକୁ ନେଇ ଏକ ମାସ ହେବ ଉପରମୁଣ୍ଡ ଓ ତଳମୁଣ୍ଡ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ବିବାଦ କ୍ରମେ ବଢ଼ୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ କୌଣସି ସମାଧାନର ବାଟ ବାହାର କରି ପାରୁନାହିଁ। ଜିଲ୍ଲା ପ୍ରଶାସନ ଚାହିଲେ ପାଣି ପଞ୍ଚାୟତ ନିୟମ ଅନୁଯାୟୀ ଚାଷୀମାନଙ୍କୁ ପାଣି ଦେଇ ପାରିବ। ହେଲେ ଏହା ଉପରେ ଜିଲ୍ଲା ପ୍ରଶାସନ ଚୁପ୍ ରହିଛି। ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ ଉଭୟ ଚାଷୀ ଗୋଷ୍ଠୀ ମଧ୍ୟରେ ଲଢ଼େଇ କରାଉଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଆଗକୁ ପାଣି ପାଇଁ ଉଭୟ ଚାଷୀ ଗୋଷ୍ଠୀ ମଧ୍ୟରେ ଏକ ବଡ଼ଧରଣର ଗଣ୍ଡଗୋଳ ମଧ୍ୟ ହେବାର ଆଶଙ୍କା ଦେଖାଦେଇଛି। ଏହା ଉପରେ ଜିଲ୍ଲା ପ୍ରଶାସନ ସଜାଗ ରହିବା ଜରୁରି ବୋଲି ବୁଦ୍ଧୀଜୀବୀ ମହଲରେ ଆଲୋଚନା ମତ ପ୍ରକାଶ ପାଇଛି।

ପ୍ରକାଶ ଯେ ପ୍ରାୟ ୧୦ ବର୍ଷରୁ ଅଧିକ ହେଲ ପତୋରା ଡ୍ୟାମର ଜଳସେଚନ ପାଇଁ କୌଣସି ସ୍ଥାୟୀ ସମାଧାନ ହୋଇ ନାହିଁ। ଏହି ଜଳପ୍ରକଳ୍ପ ଅଧୀନରେ ୨୦ଟି ପାଣି ପଞ୍ଚାୟତ ରହିଛି। ଏଥିରେ ପ୍ରାୟ ୧୦ ହଜାର ହେକ୍ଟର ଜମିରେ ଜଳସେଚନର ବ୍ୟବସ୍ଥା କରାଯାଇଛି। କିନ୍ତୁ ଜଙ୍ଗଲ ବିଭାଗର ଅନୁମତି ମିଳିନଥିବାରୁ ପତୋରା ଡ୍ୟାମରେ ପୂର୍ଣ୍ଣକ୍ଷମ ଭାବେ ଜଳ ରଖା‌ଯାଇ ପାରୁ ନାହିଁ। ବି‌ଶେଷ କରି ରବି ଫସଲ ପାଇଁ ସମଗ୍ର ୧୦ ହଜାର ହେକ୍ଟର ଜମିରେ ଜଳସେଚନ କରିବା ସମ୍ଭବ ହେଉନାହିଁ। ୧୦୧୩ ମସିହାରେ ଉଭୟ ଉପରମୁଣ୍ଡ ଓ ତଳମୁଣ୍ଡ ଚାଷୀଙ୍କ ମଧ୍ୟରେ ନିଷ୍ପତ୍ତି ହୋଇଥିଲା। ଜଳସେଚନ ପାଇଁ ରବି ଋତୁରେ ଗୋଟିଏ ବର୍ଷ ଉପରମୁଣ୍ଡ ୧ରୁ ୫ ଏବଂ ୧୭ରୁ ୨୦ ନମ୍ବର ପାଣି ପଞ୍ଚାୟତକୁ ପାଣି ଦିଆଯିବ। ଆଉ ଗୋଟିଏ ବର୍ଷ ତଳମୁଣ୍ଡର ୬ରୁ ୧୬ ନମ୍ବର ପାଣିପଞ୍ଚାୟତ ଚାଷୀ ଜଳସେଚନ ସୁବିଧା ପାଇବେ। ଏହି ନିଷ୍ପତ୍ତି ଲୋକ ଅଦାଲତରେ ଗୃହୀତ ମଧ୍ୟ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ପା‌ଣିପଞ୍ଚାୟତ ନଂ ୬ରୁ ୧୬କୁ ଜଳଯୋଗାଣର ସୁଯୋଗ ଆସିବା ସମୟରେ ବାରମ୍ବାର ଗଣ୍ଡଗୋଳ ହୋଇଥାଏ। ତଳମୁଣ୍ଡ ଓ ଉପରମୁଣ୍ଡ ଚାଷୀଙ୍କ ମଧ୍ୟରେ ବିବାଦ ଦେଖାଦେଇଥାଏ। ଏହାର ସମାଧାନ ପାଇଁ ଉଭୟ ପକ୍ଷ ହାଇକୋର୍ଟଙ୍କ ଦ୍ବରାସ୍ଥ ମଧ୍ୟ ହୋଇଥିଲେ।

ମାନ୍ୟବର ଉଚ୍ଚ ନ୍ୟାୟାଳୟ ଗତ ୮ ଜାନୁଆରି ୨୦୨୧ ଦିନ ଏକ ଅନ୍ତରୀଣ ଆଦେଶ ଦେଇଛନ୍ତି। ଉକ୍ତ ଆଦେଶରେ ନିର୍ଦେଶ ଦିଆଯାଇଛି ଯେ ପାଣି ପଞ୍ଚାୟତ କମିଟିରେ ଗୃହୀତ ହୋଇଥିବା ନିଷ୍ପତ୍ତିକୁ ଗ୍ରହଣ କରି ଚଳିତ ବର୍ଷ ପାଣି ପଞ୍ଚାୟତ ନଂ ୬ରୁ ୧୬ ପର୍ଯ୍ୟନ୍ତ ଥିବା ଚାଷୀମାନଙ୍କ ଜମିକୁ ପାଣି ଯୋଗାଇ ଦିଆଯାଉ ବୋଲି ନିର୍ଦେଶ ରହିଛି। ହେଲେ ଉପରମୁଣ୍ଡ ଚାଷୀ ଏଥିରେ ରାଜି ନହୋଇ ସେମାନଙ୍କୁ ପାଣି ଦିଆଯାଉ ବୋଲି ଜିଦ୍‌ ଧରିଛନ୍ତି। ଅପର ଜୋଙ୍କ ପ୍ରକଳ୍ପ ନିର୍ମାଣରେ ଉପର ମୁଣ୍ଡ ଚାଷୀ ବିସ୍ଥାପିତ ହୋଇଥିବା ଦର୍ଶାଇ ଏହି ଚାଷୀଙ୍କୁ ପ୍ରତିବର୍ଷ ପାଣି ଦେବାକୁ ନେଇ ୨୦୧୮ମସିହାରେ ୪ଟି ଦାବି ରଖିଥିଲେ। ପାଣି ରୋଟେସନ ବନ୍ଦ କରାଯାଉ, ଉପରମୁଣ୍ଡକୁ ପ୍ରତିବର୍ଷ ପାଣି ଦିଆଯାଉ, ଡ୍ୟାମରେ ୩୫୪ ମିଟର ପାଣି ରଖିବାର ବ୍ୟବସ୍ଥା କରାଯାଉ, ପାଣିପଞ୍ଚାୟତର ନିର୍ବାଚନ କରାଯିବା ସହ ପ୍ରୋଜେକ୍ଟ କମିଟି ମଧ୍ୟ ଗଠନ କରାଯାଉ ବୋଲି ଦାବି କରିଥିଲେ। ଜିଲ୍ଲା ପ୍ରଶାସନ ରୋଟେସନକୁ ବନ୍ଦ କରିବା ସହ ପାଣିପଞ୍ଚାୟତ ନିର୍ବାଚନ କରିବାକୁ ଲଖିତ ପ୍ରତିଶ୍ରୁତ ଦେଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ପାଣି ପଞ୍ଚାୟତ ନିର୍ବାଚନ ହୋଇ ନାହିଁ। ୨୦ଟି ପାଣି ପଞ୍ଚାୟତ ପାଣି କେବେ ଛଡ଼ାଯିବ କେଉଁଆଡ଼େ ଯିବ ତାର ବୁଝାମଣା କରିଥାଏ। ହେଲେ ପାଣି ଭାଗବଣ୍ଟାକୁ ନେଇ କେବେ ଜିଲ୍ଲାପାଳ ଅଫିସ ଘେରାଉ ତ କେବେ ଜାତୀୟ ରାଜପଥ ଅବରୋଧ କରାଯାଉଛି। ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଇ ଆନ୍ଦୋଳନକୁ କିଛି ସମୟ ପାଇଁ ରୋକି ଦେଉଛି। ହେଲେ କୌଣସି ସ୍ଥାୟୀ ସମାଧାନର ବାଟ ଫିଟାଉନି। ଜିଲ୍ଲା ପ୍ରଶାସନ ଏହାର ତୁରନ୍ତ ସମାଧାନ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର