ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ରବି ଚାଷ ପାଇଁ ଅପର ଜୋଙ୍କ ପାଣି ଆବଣ୍ଟନ ନେଇ ମାସେ ହେବ ଉଭୟ ଚାଷୀ ଗୋଷ୍ଠୀ ମଧ୍ୟରେ ଚାଲିଥିବା ବିବାଦ ରବିବାର ସମାଧାନ ହୋଇଛି। ଜିଲ୍ଲା ପ୍ରଶାସନ ଜିରୋ ହେଡ୍‌ରୁ ଚାଷ ପାଇଁ ପାଣି ଦେବା ନିଷ୍ପତ୍ତି ପରେ ଉପରମୁଣ୍ଡ ଚାଷୀ ମୁଖ୍ୟ କେନାଲ୍‌ରେ ବସିଥିବା ଧାରଣାକୁ ପ୍ରତ୍ୟାହାର କରିଛନ୍ତି। ଶନିବାର ଜିଲ୍ଲା ପ୍ରଶାସନ ଓ ଉଭୟ ଚାଷୀ ଗୋଷ୍ଠୀଙ୍କ ମଧ୍ୟରେ ଜିଲ୍ଲାପାଳଙ୍କ ସଦ୍‌ଭାବନା ଗୃହଠାରେ ପ୍ରାୟ ୫ ଘଣ୍ଟା ଧରି ‌ବୈଠକ ହୋଇଥିଲା। ହେଲେ ଉଭୟ ଚାଷୀ ଗୋଷ୍ଠୀ ସେମାନଙ୍କ ଜିଦ୍‌ରେ ଅଟଳ ରହିଥିଲେ। ଜିଲ୍ଲା ପ୍ରଶାସନ ଚାଷୀମାନଙ୍କୁ ବୁଝାସୁଝା କରିଥିଲେ। ଶେଷରେ ଜିଲ୍ଲା ପ୍ରଶାସନ ଉପରମୁଣ୍ଡ ଜିରୋ ହେଡ୍ ଥିବା ଭେଲା ପତୋରା, ପାଥରପୁଞ୍ଜି ଚାଷୀମାନଙ୍କୁ ୩୫୦ ହେକ୍ଟର ଚାଷ କରିବାକୁ ପାଇଁ ପାଣି ଦିଅଯିବା ସହ ୬ରୁ ୧୬ ନଂ ପାଣି ପଞ୍ଚାୟତଙ୍କୁ ମଧ୍ୟ ଚଳିତ ବର୍ଷ ପାଣି ଦେବାର ନିଷ୍ପତ୍ତିରେ ଉଭୟ ଚାଷୀ ଗୋଷ୍ଠୀ ରାଜି ହୋଇଥିଲେ।

Advertisment

ରବିବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଉପ ଜିଲ୍ଲାପାଳ ତରଣୀସେନ ନାଏକ, ନୂଆପଡ଼ା ତହସିଲଦାର ଦେବେନ୍ଦ୍ର ରାଉତ, ନୂଆପଡ଼ା ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ଗୌରାଙ୍ଗ ଚରଣ ସାହୁ, ନୂଆପଡ଼ା ଏଏପ୍‌ସି ସୁନିଲ ଆଚାର୍ଯ୍ୟ, ଏଡିପିଓ ପ୍ରଶାନ୍ତ ପଟ୍ଟନାୟକ ଉପରମୁଣ୍ଡ ଚାଷୀମାନେ ବସିଥିବା ମୁଖ୍ୟ କେନାଲ ନିକଟକୁ ଯାଇ ପ୍ରାୟ ଘଣ୍ଟାଏ ଧରି ଆଲୋଚନା କରିଥିଲେ। ପରେ ଚଳିତ ବର୍ଷଠାରୁ ଡ୍ୟାମ୍‌ରେ ୩୪୩ ମିଟର ପାଣି ରଖିବା ସହ ପାଣି ପଞ୍ଚାୟତ ନୂତନ ନିର୍ବାଚନ, ‌କେନାଲ କରାମିତ କରାଯିବ ବୋଲି ଚାଷୀମାନଙ୍କୁ ଲଖିତି ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ୪ ଦିନ ଧରି ମୁଖ୍ୟ କେନାଲରେ ଧାରଣା ଦେଇଥିବା ଚାଷୀମାନେ ଧାରଣା ପ୍ରତ୍ୟାହାର କରିଥିଲେ। ପରେ ଉପଜିଲ୍ଲାପାଳ ଓ ତହସିଲଦାର ମୁଖ୍ୟ କେନଲାର ଦ୍ବରାକୁ ଖୋଲି ପାଣି ଛଡା ଯାଇଥିଲା। ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ଉପରମୁଣ୍ଡ ଭେଲା ପତୋରା, ପାଥରପୁଞ୍ଜି ଚାଷୀମାନଙ୍କୁ ୩୫୦ ହେକ୍ଟର ଜମିରେ ଚାଷ କରିବାକୁ ପାଇଁ ପାଣି ଯୋଗାଇ ଦିଆଯିବ।