ଅପର ଜୋଙ୍କ ପାଣି ବିବାଦ : ତଳମୁଣ୍ଡକୁ ପାଣି ନଆସିବା ଯାଏ ଅନ୍ଦୋଳନ ଜାରି ରହିବ

ଜିଲ୍ଲା ପ୍ରଶାସନ ସହ ଆଲୋଚନା ବିଫଳ

ନୂଆପଡ଼ା : ନୂଆପଡ଼ା ପତୋରା ଅପର ଜୋଙ୍କ ଜଳସେଚନ ପ୍ରକଳ୍ପର ପାଣି ବଣ୍ଟନକୁ ନେଇ ପୁଣି ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଜିଲ୍ଲା ପ୍ରଶାସନ ତଳମୁଣ୍ଡକୁ ପାଣି ଦେବାକୁ ୧୮ ତାରିଖ ଦିନ ପ୍ରତିଶ୍ରୁତି ଦେଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ପାଣି ତଳମୁଣ୍ଡକୁ ଆସିନଥିବାରୁ ଚାଷୀମାନେ ସିଲଧାଠାରେ ବୁଧବାର ପୁଣି ୩୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଖବର ପାଇ ନୂଆପଡ଼ା ଉପଜିଲ୍ଲାପାଳ ତରଣୀସେନ ନାଏକ ଘଟଣାସ୍ଥଳରେ ପହଞ୍ଚିଥିଲେ। ତଳମୁଣ୍ଡ ଚାଷୀଙ୍କ ସହ ଆଲୋଚନା କରିଥିଲେ। ହେଲେ ତଳମୁଣ୍ଡ ଚାଷୀମାନେ ସେମାନଙ୍କର ଜିଦରେ ଅଟଳ ରହିଥିଲେ।

ଅନ୍ୟପକ୍ଷେ, ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଧବାର ଡ୍ୟାମର ପାଣି ଛଡ଼ାଯାଇଥିଲା। ତଳମୁଣ୍ଡ ପର୍ଯ୍ୟନ୍ତ ପାଣି ନଆସିବା ଯାଏ ରାସ୍ତା ଅବରୋଧ ହଟିବ ନାହିଁ ବୋଲି ଚାଷୀମାନେ କହିଛନ୍ତି। ଜିଲ୍ଲାପାଳ ତଳମୁଣ୍ଡ ଚାଷୀ ରାଜେଶ ନିଗମ, ପ୍ରମୋଦ ସାହୁ, କାଳୀଚରଣ ସାହୁ, ମନୋଜ ସାହୁ, ଦେବୀପ୍ରସାଦ ମିଶ୍ରଙ୍କୁ ତାଙ୍କ କାର୍ଯ୍ୟାଳୟକୁ ଡାକି ଆଲୋଚନା କରିବା ସହ ରାସ୍ତା ଅବରୋଧ ପ୍ରତ୍ୟାହା କରିବାକୁ କହିଥିଲେ। ପରେ ଜିଲ୍ଲାପାଳ ସ୍ବଧାଦେବ ସିଂହ, ଏସ୍‌ପି ରାହୁଲ ଜୈନ ଉଭୟ ଉପରମୁଣ୍ଡ ଓ ତଳମୁଣ୍ଡ ଚାଷୀଙ୍କୁ ନେଇ ସନ୍ଧ୍ୟାରେ ବୈଠକ କରିଥିଲେ। ଏହି ବୈଠକରେ ମଧ୍ୟ ଉଭୟ ଗୋ‌ଷ୍ଠୀ ନିଜ ନିଜ ଜିଦ୍‌ରେ ଅଟଳ ରହିଥିଲେ। ହାଇକୋର୍ଟଙ୍କ ନିର୍ଦେଶ ଅନୁସାରେ ଉଭୟ ଉପରମୁଣ୍ଡ ଓ ତଳମୁଣ୍ଡକୁ ପାଣି ଦେବାର ବ୍ୟବସ୍ଥା କରାଯିବ ବୋଲି କହିବା ପରେ ରାତି ୮ଟାରେ ତଳମୁଣ୍ଡ ଚାଷୀମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ। ଫଳରେ ୧୨ ଘଣ୍ଟା ଧରି ଅବରୋଧ ହୋଇଥିବା ରାସ୍ତାରେ ଯାତାୟାତା ସ୍ବାଭାବିକ ହୋଇଥିଲା। ତଳମୁଣ୍ଡକୁ ପାଣି ନଆସିଲେ ପୁଣି ଆନ୍ଦୋଳନ କରାଯିବ ବୋଲି ଚାଷୀମାନେ ଧମକ ଦେଇଛନ୍ତି।

ସମ୍ବନ୍ଧିତ ଖବର